ପୁରୀ: ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡରର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ଏହାର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି । ଐତିହ୍ୟ ପ୍ରକଳ୍ପରେ ୩ଟି ପ୍ରମୁଖ ବିଷୟକୁ ଗୁରୁତ୍ୱ ଦିଆଯାଇ ୪ ଟି ଭାଗରେ ବିଭକ୍ତ କରାଯାଇଛି । ଫେବୃଆରୀ ୨୮ ସୁଦ୍ଧା ପ୍ରକଳ୍ପ ଅନୁମୋଦନ କାର୍ଯ୍ୟ ଶେଷ ହେବ ଏବଂ ଆସନ୍ତା ଜୁନ୍ ୧ ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।
ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା, ସେବାୟତ ଓ ଭକ୍ତଙ୍କ ମୌଳିକ ସୁବିଧା ଏବଂ ନୀତିକାନ୍ତି ବେଳେ ଅଧିକ ସମାଗମକୁ ନିୟନ୍ତ୍ରଣ କରିବା ହେଉଛି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ପ୍ରସ୍ତାବିତ ଐତିହ୍ୟ ପ୍ରକଳ୍ପକୁ ୪ଟି ଭାଗରେ ବିଭକ୍ତ କରାଯାଇଛି । ତାହା ହେଲା, ୧-ଐତିହ୍ୟ କରିଡର, ୨-ଅଭ୍ୟର୍ଥନା କକ୍ଷ, ୩-ମୌଳିକ ସୁବିଧା,୪-ଭଙ୍ଗା ଯାଇଥିବା ମଠର ଉତ୍କଳୀୟ କଳାରେ ପୁନର୍ବିକାଶ ।
ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାମ ୮୫ ପ୍ରତିଶତ ସରିଛି । ବାକି ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ହୋଇଛି । ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ଶେଷ କରାଯାଇ ଏନଏମଏ, ଏଏସଆଇ, ପିକେଡିଏ ଠାରୁ ଅନୁମୋଦନ ମଗାଯିବ । ଟେକ୍ନିକାଲ୍ ଟିମ୍ ଅନୁଧ୍ୟାନ କରିବା ପରେ ଓବିସିସି ମାଧ୍ୟମରେ ଟେଣ୍ଡର କରାଯାଇ ଜୁନ୍ ୧ ରୁ କାମ ଆରମ୍ଭ ହେବ ।
ପ୍ରସ୍ତାବିତ ପ୍ରକଳ୍ପରେ ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦୁଆରକୁ ୯ ଭାଗରେ ବିଭକ୍ତ କରାଯାଇଛି ।
- ୫୫ରୁ ୭୫ ମିଟର ଦୂରରେ ରହୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି । ସେଠାରେ ସଟଲ ଲେନ୍ ରହିବ, ବ୍ୟାଟେରୀ ଗାଡ଼ି ଚାଲିବ ।
- କୀର୍ତ୍ତନ ଓ ଜରୁରୀକାଳୀନ ସେବା ପାଇଁ ସୁବିଧା କରାଯାଇଛି ।
- ସ୍ୱତନ୍ତ୍ର ଶ୍ରୀମନ୍ଦିର ଅଭ୍ୟର୍ଥନା କକ୍ଷ ହେବ ।
- ୬ ହଜାର ଲୋକଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ । ଅତ୍ୟାବଶ୍ୟକସ୍ଥଳେ ଆଉ ୨ ହଜାର ଭକ୍ତଙ୍କ ପାଇଁ ବ୍ୟବସ୍ଥା ହେବ ।
- ୪ ହଜାର ପରିବାରର ବ୍ୟାଗେଜ୍ ପାଇଁ ନିଶୁଳ୍କ ବ୍ୟବସ୍ଥା କରାଯିବ ।
- ଭକ୍ତ ଏବଂ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଲେଜର ସ୍କି୍ରିନିଂ ଲଗାଯିବ ।
- ଶ୍ରୀମନ୍ଦିରର ଦକ୍ଷିଣ, ଉତ୍ତର ଏବଂ ପଶ୍ଚିମରେ ଶୌଚାଳୟ ହେବ ।
- ସେବାୟତଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଶୌଚାଳୟ କରାଯିବ ।
- ଶ୍ରୀମନ୍ଦିର ନିକଟରେ ସୂଚନା ପ୍ରଦାନ କେନ୍ଦ୍ର ରହିବ ।
- ଶ୍ରୀମନ୍ଦିର ନିକଟରେ ଏଟିଏମ, ପୁଲିସ ସେବା କେନ୍ଦ୍ର ରହିବ ।
- ୫୦୦ ଲୋକ ବସି କୀର୍ତ୍ତନ କରିପାରିବା ଭଳି ମଣ୍ଡପ ହେବ ।
- ବଡ଼ଛତା ଏବଂ ମୌଳି ମନ୍ଦିର ନିର୍ମାଣ କରାଯିବ ।
- ୨ ଲକ୍ଷ ଭକ୍ତ ଠିଆ ହୋଇ ସୁନାବେଶ ଦେଖିପାରିବା ଭଳି ବ୍ୟବସ୍ଥା ହେବ । ଏବେ ସୁନାବେଶ ମାତ୍ର ୨୦ ହଜାର ଭକ୍ତ ଦେଖିପାରୁଛନ୍ତି। ଡ. କ୍ରିଷନ୍ କୁମାର କହିଛନ୍ତି, ଆଜିର ଦିନ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଐତିହାସିକ ଦିନ । ସେବାୟତ, ମଠ ଓ ପୁରୀବାସୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି । ୨୦୧୯ ଅକ୍ଟୋବର ୧୯ରେ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । କରିଡର ପାଇଁ କ୍ୟାବିନେଟ୍ ରେ ୮୦୦ କୋଟିର ଅନୁମୋଦନ ମିଳିଥିଲା । ୨୦୧୯ ଡିସେମ୍ବର ୩୦ ରେ ପ୍ରକଳ୍ପ ନେଇ ଚିଠା ପ୍ରସ୍ତୁତ ହୋଇଥିଲା । ପ୍ରାୟ ୩୦୦ ପ୍ରସ୍ତାବ ଆଧାରରେ ସାଂସ୍କୃତିକ, ଟେକ୍ନିକାଲ ଓ ଡିଜାଇନ କମିଟି ଗଠନ ହୋଇଥିଲା । ଏହି ତିନୋଟି କମିଟି ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ବୈଠକ କରି ସମୀକ୍ଷା କରିଛନ୍ତି ।