ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର (WODC) ବାର୍ଷିକ ଅନୁଦାନ ଦୁଇଗୁଣା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଦିନ ଭିଡ଼ିଓ କନଫରେନ୍ସିଂ ଜରିଆରେ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ୧୦୦ କୋଟିରୁ ୨୦୦ କୋଟି ଟଙ୍କାକୁ ଅନୁଦାନ ବୃଦ୍ଧି କରିଛନ୍ତି । ଏଥିସହ ପରିଷଦ ଅଧୀନରେ ଥିବା ୧୦ ଟି ଜିଲ୍ଲା ଏବଂ ଆଠମଲ୍ଲିକରେ ପରିଷଦର ଶାଖା କାର୍ଯ୍ୟାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉକି, ୧୯୯୯-୨୦୦୦ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ ପରିମାଣ ବର୍ଷକୁ ମାତ୍ର ୩ କୋଟି ଥିଲା । ପରବର୍ତ୍ତୀ ସମୟରେ ଏହା ୧୦୦ କୋଟିକୁ ବୃଦ୍ଧି ପାଇଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୨୦୦ କୋଟି ହେବ ।
ପଶ୍ଚିମ ଓଡ଼ିଶାରେ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଅନେକ ଗୁଡ଼ିଏ ବୃହତ୍ତ ପ୍ରକଳ୍ପ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଉପରେ ଦାୟିତ୍ୱ ଛାଡ଼ିଛନ୍ତି । ବିଜୁ ଏକ୍ସପ୍ରେସ୍ ୱେ, ଲୋୟର ସୁକତେଲ ଜଳସେଚନ ଭଳି ବୃହତ୍ତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଦ୍ୱାରା ପଶ୍ଚିମ ଓଡ଼ିଶାର ବିକାଶରେ କାୟାକଳ୍ପ ହୋଇପାରିବ ବୋଲି ଆାଶା କରାଯାଇଥିଲା ।
ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ପରିଷଦର କାର୍ଯ୍ୟକ୍ରମ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା ରଖିଥିଲେ। ଉପସ୍ଥାପନାରୁ ଜଣାଯାଇଛି ଯେ ବିଗତ ଦିନମାନଙ୍କରେ WODC ପକ୍ଷରୁ ସଡକ ନିର୍ମାଣ, ଶିକ୍ଷା ଭିତ୍ତିଭୂମି ଓ ଜଳସେଚନ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରାଯାଇଛି । ଆଗାମୀ ଦିନରେ ପରିପରିବା, ଡାଲି ଜାତୀୟ ଫସଲ ଓ ତୈଳବିଜ, ଫୁଲଚାଷ ଆଦି ଉଦ୍ୟାନ କୃଷିଭିତ୍ତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ପ୍ରଦାନ, ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି କ୍ଷେତ୍ରରେ ପଶ୍ଚିମ ଓଡିଶା ଅଞ୍ଚଳରେ ବହୁତ ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଥିଲା ।
ପଶ୍ଚିମ ଓଡିଶା ଜିଲ୍ଲାଗୁଡିକରେ ସର୍ବାଧିକ ଅର୍ଥନୈତିକ ସମ୍ଭାବନା ଥିବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ସୁବିଧା ସୃଷ୍ଟି କରିବା (Fill the Critical Supply Chain Gaps) କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସମ୍ବଲପୁର, ବରଗଡ ଓ ସୋନପୁରରେ ଧାନ ଓ ଧାନରୁ ଉତ୍ପାଦିତ ପଦାର୍ଥର ବିନିଯୋଗ ପାଇଁ ଭିତ୍ତିଭୂମି, ବଲାଙ୍ଗୀରେ କୁକୁଡା ଓ ଅଣ୍ଡାଚାଷ ପାଇଁ ଭିତ୍ତିଭୂମି, କଳାହାଣ୍ଡିରେ ମାଛଚାଷ, ବୌଦ ଓ ସୋନପୁରରେ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ଏବଂ ହସ୍ତତନ୍ତ କ୍ଲଷ୍ଟରର ବିକାଶ ପାଇଁ ବହୁତ ସୁଯୋଗ ରହିଛି ବୋଲି ମତପ୍ରକାଶ ପାଇଥିଲା ।
ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍. କେ. ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ଆଶୋକ କୁମାର ମୀନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ ।