ଭୁବନେଶ୍ୱର: କଂଗ୍ରେସ ଭବନର ଅତି ପରିଚିତ ସମସ୍ତଙ୍କର ପ୍ରିୟ ରାଧା ବାବୁ ଆଉ ନାହାନ୍ତି । ଗତ ରାତିରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କୁ ମାତ୍ର ପ୍ରାୟ ୫୫ ବର୍ଷ ହୋଇଥିଲା । ରାଧା ବାବୁଙ୍କ ଅକାଳ ମୃତ୍ୟୁ ରାଜ୍ୟ କଂଗ୍ରେସ ପରିବାରକୁ ସ୍ତବ୍ଧ କରିଦେଇଛି । ସାମ୍ବାଦିକ ମହଲରେ ମଧ୍ୟ ଶୋକର ଛାୟା ଖେଳାଇ ଦେଇଛି ।
ରାଧାମୋହନ ସ୍ୱାଇଁ ଓରଫ ରାଧା ବାବୁ ସବୁ ଦିନ ପରି ଗତକାଲି କଂଗ୍ରେସ ଭବନ ଠିକ୍ ସମୟରେ ଆସି ଦିନସାରା ଅଫିସ କାମ କରିଥିଲେ । ଆଜି ଅନୁଷ୍ଠିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀର ଆୟୋଜନ କାମରେ ସଂଧ୍ୟା ପର୍ଯ୍ୟନ୍ତ ବ୍ୟସ୍ତ ରହିଥିଲେ । ଏହାପରେ ତାଙ୍କ ବାସସ୍ଥାନ କଟକ ଫେରି ଯାଇଥିଲେ । ରାତିରେ ଘରେ ଖାଇପିଇ ଶୋଇଥିଲା ବେଳେ ସେ ହୃଦଘାତର ଶିକାର ହୋଇଥିଲେ । ପରିବାର ଲୋକ ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନେଇଥିଲେ । ମାତ୍ର ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ରାଧା ବାବୁ ଦୀର୍ଘ ପ୍ରାୟ ଅଢ଼େଇ ଦଶନ୍ଧୀ ଧରି କଂଗ୍ରେସ ଭବନର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ପେଟ ପୋଷିବା ପାଇଁ ତାଙ୍କର ଏଠି ଚାକିରି ଲାଳସା ନଥିଲା । ବରଂ କଂଗ୍ରେସକୁ ହୃଦୟରୁ ଭଲ ପାଉଥିବାରୁ ସେ ସେବା ମନୋବୃତ୍ତି ନେଇ କଂଗ୍ରେସ ଭବନକୁ ଟାଣି ହୋଇ ଆସିଥିଲେ । ନେତା ଭାବରେ ନୁହେଁ, ଜଣେ ସାଧାରଣ କର୍ମଚାରୀ ଭାବେ ସେ ଦାୟିତ୍ୱରେ ବାନ୍ଧି ହୋଇ ରହିଥିଲେ । ତାଙ୍କର କର୍ତ୍ତବ୍ୟନିଷ୍ଠା ଓ ବ୍ୟକ୍ତିତ୍ୱର ଆକର୍ଷଣ ପାଇଁ ସେ ସମସ୍ତଙ୍କ ହୃଦୟ ଛୁୂଇଁଥିଲେ ।
କଂଗ୍ରେସ ଭବନକୁ ଅତିଥି ଆସିବାଠାରୁ ଆରମ୍ଭ କରି ସାମ୍ବାଦିକ ସମ୍ମିଳନୀ ଆୟୋଜନ ପର୍ଯ୍ୟନ୍ତ ଯାବତୀୟ ଦାୟିତ୍ୱକୁ ରାଧା ବାବୁ ସୁରୁଖୁରୁରେ କରୁଥିଲେ । ସାମ୍ବାଦିକ ସମ୍ମିଳନୀକୁ ସଫଳ କରାଇବା ପଛରେ ତାଙ୍କର ବିଶେଷ ଭୂମିକା ରହୁଥିଲା । ସବୁ ସାମ୍ବାଦିକଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ଯୋଗୁଁ ଏହା ସମ୍ଭବ ହେଉଥିଲା । ତାଙ୍କର ଭଦ୍ର ଅମାୟିକ ବ୍ୟବହାର ଓ ସ୍ନେହବୋଳା କଥାରେ ସମସ୍ତଙ୍କୁ ନିଜର କରିପାରିଥିଲେ । ଆଜି ତାଙ୍କ ଅବର୍ତ୍ତମାନରେ କଂଗ୍ରେସ ଭବନ ଖାଁ ଖାଁ ହୋଇଯାଇଛି ।







