ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ଆଜି ସକାଳୁ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ମାଲବାହୀ ଟ୍ରେନ ର ୮ ଟି ବଗି ଇଞ୍ଜିନରୁ ଅଲଗା ହୋଇ ଯାତ୍ରୀ ବିଶ୍ରାମଗାରକୁ ମାଡି ଯାଇଛି । ବଗି ତଳେ ଚାପି ହୋଇ ୩ ଜଣଙ୍କର ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ମାଆ-ଝିଅ ଏବଂ ଅନ୍ୟ ଜଣେ ବ୍ୟକ୍ତି ଅଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କୁ ୧ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ସହାୟତା ଦିଆଯିବ ।
ଆଜି ସକାଳ ଠିକ୍ ୬.୪୪ ମିନିଟ୍ ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦ୍ରୁତଗତିରେ ଆସୁଥିବା ଏକ ମାଲବାହୀ ଗାଡ଼ି କୋରେଇ ଷ୍ଟେସନ୍ ଅତିକ୍ରମ କଲାବେଳେ ୮ ଟି ବଗି ଇଞ୍ଜିନରୁ ଅଲଗା ହୋଇଯାଇଥିଲା । ପ୍ରଚଣ୍ଡ ଶବ୍ଦ ସହ ସେଗୁଡ଼ିକ ପରଷ୍ପର ଉପରେ ଚଢ଼ାଚଢ଼ି ହୋଇ ସିଧା ପ୍ଲାଟଫର୍ମର ଯାତ୍ରୀ ବିଶ୍ରାମଗାରକୁ ମାଡ଼ି ଯାଇଥିଲା । ଏହି ଧକ୍କାରେ ଷ୍ଟେସନ୍ ଫୁଟ ଓଭରବ୍ରିଜ୍ ଭାଙ୍ଗି ଚୁରମାର ହୋଇଗଲା । ଷ୍ଟେସନରେ ଅପେକ୍ଷା କରିଥିବା କିଛି ଯାତ୍ରୀ ଏକାଧିକ ବଗି ତଳେ ଚାପି ହୋଇଯାଇଥିଲେ । କଟକ ଆସିବାକୁ ଅପେକ୍ଷା କରିଥିବା ଗୋଟିଏ ପରିବାରର ମାଆ-ଝିଅ ବଗି ତଳେ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ସାଙ୍ଗରେ ଥିବା ଏକ ଶିଶୁ ସୋ÷ଭାଗ୍ୟକୁ ଅଳ୍ପକେ ବର୍ତ୍ତି ଯାଇଥିଲା । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ବଗି ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ୧୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।
୮ ଟ୍ରେନ ବାତିଲ: ବଗି ସଫା କରି ଲାଇନ୍ କ୍ଲିୟର୍ କରିବାକୁ ୧୨ ଘଣ୍ଟା ଲାଗିଯିବ । ସେଥିପାଇଁ ୮ ଟ୍ରେନ୍ କୁ ବାତିଲ କରାଯାଇଛି । ବାତିଲ୍ ଟ୍ରେନ୍ ଗୁଡ଼ିକ ହେଲା; ହାୱଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ, ହାୱାଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ସାଲିମାର-ପୁରୀ ଓ ପୁରୀ- ସାଲିମାର ଏକ୍ସପ୍ରେସ, ସାଲିମାର- ହାଇଦ୍ରାବାଦ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ,
ହେଲ୍ପଲାଇଇନ ନମ୍ବର: ରେଲୱେ ପକ୍ଷରୁ ଜରୁରୀକାଳୀନ ସହାୟତା ନମ୍ବର ଜାରି କରାଯାଇଛି । କୋରେଇ ଷ୍ଟେସନ୍ ସହାୟତା ନମ୍ବର-୮୪୫୫୮୮୯୯୦୫ । ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ରୁମ୍ ନମ୍ବର-୦୬୭୪-୨୪୯୨୨୪୫ । ଭୁବନେଶ୍ୱର ସହାୟତା ନମ୍ବର ୦୬୭୪-୨୫୩୪୦୨୦ ।