ଭୁବନେଶ୍ୱର: ବରଗଡ଼ରୁ ନୂଆପଡ଼ା ଭାୟା ପଦ୍ମପୁର ରେଳ ଲାଇନ୍ ପାଇଁ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି । ପଦ୍ମପୁର ଉପନିର୍ବାଚନ ଭୋଟକୁ ନିଜ ସପକ୍ଷରେ ଟାଣିବା ଉଦ୍ଦେଶ୍ୟରେ ପରଷ୍ପର ଗୋହି ଖୋଳାଖୋଳି ବି ହୋଇଛନ୍ତି । କେନ୍ଦ୍ର ଅବହେଳାକୁ ଦାୟୀ କରି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଗତକାଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ରମନ୍ତ୍ରୀ ଆଜି ତାହାର ଜବାବରେ ରାଜ୍ୟ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି । ତେବେ ବିଜେଡି ଏହାର କଡ଼ା ଜବାବ ଦେଇଛି ।
ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ଜବାବରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଲେଖିଛନ୍ତି, ବରଗଡ଼ରୁ ନୂଆପଡ଼ା ଭାୟା ପଦ୍ମପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ । ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣାଧୀନ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି । ଭାରତ ସରକାର ଗତବର୍ଷ ଡିସେମ୍ବରରେ ଉକ୍ତ ପ୍ରକଳ୍ପର ଆଇପିଏ ପଠାଇଛନ୍ତି । ପ୍ରକଳ୍ପ ଆଗକୁ ନେବାକୁ ଓଡ଼ିଶା ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ । ସର୍ଭେ, ଯୋଜନା ଏବଂ ଜମି ଅଧିଗ୍ରହଣ ପାଇଁ ରାଜ୍ୟକୁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ରେଳମନ୍ତ୍ରୀଙ୍କ ଏହି ଜବାବ ଆଧାରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି । ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି ଏବଂ ବିଜେଡି ମୁଖପାତ୍ର ଡ. ସସ୍ମିତ୍ ପାତ୍ରଙ୍କ ମନ୍ତବ୍ୟକୁ କଟୁ ସମାଲୋଚନା କରିଛନ୍ତି । ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ବିଫଳତାକୁ ସେ ଦାୟୀ କରିଥିବା ବେଳେ ପଦ୍ମପୁରରେ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି ।
ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ପାତ୍ର ସାମ୍ବାଦିକ ସମ୍ମିଳନୀ କରି ରେଳମନ୍ତ୍ରୀ ଓ ସାଂସଦ ଶ୍ରୀ ପୂଜାରୀଙ୍କୁ ଜବାବ ଦେଇଛନ୍ତି ।
ଡକ୍ଟର ପାତ୍ର କହିଛନ୍ତି, ରେଳମନ୍ତ୍ରୀଙ୍କ ଚିଠିରୁ ପ୍ରମାଣିତ ହୋଇଛି ଯେ ପଦ୍ମପୁର ଦେଇ ବରଗଡ଼-ନୂଆପଡ଼ାକୁ ପ୍ରସ୍ତାବିତ ରେଳଲାଇନ୍ ୨୦୧୮ ରେ ମଞ୍ଜୁର ହୋଇ ନ ଥିଲା । ଏଭଳି ଭୁଲ୍ ସୂଚନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ଓ ରେଳମନ୍ତ୍ରୀଙ୍କ ଚିଠିରୁ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ।
ବର୍ତ୍ତମାନ ରାଜ୍ୟ ସରକାର ମାଗଣାରେ ସମସ୍ତ ଜମି ଏବଂ ୩୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଦେବାକୁ ସମ୍ମତି ପ୍ରଦାନ କରିବା ପରେ ରେଳବାଇ କାର୍ଯ୍ୟ କରିବା ପରିବର୍ତ୍ତେ ପୁଣି ଥରେ ସର୍ଭେ କରିବାକୁ କହିଛି । ଏହା ଗ୍ରହଣୀୟ ନୁହେଁ ଏବଂ ଏଥିରୁ ଜଣାପଡୁଛି ଯେ ରେଳବାଇ ନିଜେ ଓଡ଼ିଶାରେ କୌଣସି ପ୍ରକଳ୍ପ କରିବାକୁ ଚାହୁଁନାହିଁ । ବିଜେପି କେବଳ କଥା କହୁଛି ହେଲେ ଏହି ପ୍ରକଳ୍ପକୁ ମଞ୍ଜୁର କରିବାକୁ ସେମାନଙ୍କର ଉଦେ୍ଦଶ୍ୟ ନାହିଁ । ଆମେ ନୀତିଗତ ଅନୁମୋଦନ, ସର୍ବେକ୍ଷଣ ଇତ୍ୟାଦି ଚାହୁଁନାହୁଁ । ଆମେ ଚାହୁଁଛୁ ରେଳବାଇ ଦ୍ୱାରା ଏହି ପ୍ରକଳ୍ପ ମଞ୍ଜୁର କରାଯାଉ ଏବଂ ମାଗଣା ଜମି ଏବଂ ରାଜ୍ୟ ସରକାର ଯୋଗାଇଥିବା ୩୦୦ କୋଟି ଟଙ୍କା ସହାୟତାରେ ନିର୍ମାଣ କରାଯାଉ । ପଦ୍ମପୁରବାସୀଙ୍କୁ ଭୂଆଁ ବୁଲାଇବାରୁ ବିଜେପି ନିବୃତ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ସାଂସଦ ଶ୍ରୀ ପୂଜାରୀଙ୍କୁ ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି, ଶ୍ରୀ ପୂଜାରୀ ଜଣେ ଅଭିଜ୍ଞ ସାଂସଦ । ସେ ଏକଥା ଜାଣିବା ଉଚିତ ଯେ ଦେଶର କୌଣସି ରେଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହେଲେ ଏହା ବ୍ଲୁ ବୁକ୍ ନୁହେଁ, ପିଙ୍କ୍ ବୁକ୍ ରେ ସ୍ଥାନ ପାଏ । ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶିତ ୨୦୨୨-୨୩ ପିଙ୍କ୍ ବୁକ୍ ରେ କେଉଁଠି ମଧ୍ୟ ପଦ୍ମପୁର ରେଳଲାଇନ୍ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ ନାହିଁ । ଯେତେବେଳେ ଏହି ପ୍ରକଳ୍ପ ପିଙ୍କ୍ ବୁକ୍ ରେ ସ୍ଥାନ ପାଇନାହିଁ ଏବଂ ଏଥିପାଇଁ କୌଣସି ଅର୍ଥ ମଞ୍ଜୁର ହୋଇନାହିଁ, ସେତେବେଳେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବା ଉଚିତ ବୋଲି ସାଂସଦ ଶ୍ରୀ ପୂଜାରୀ କହିବା ହାସ୍ୟାସ୍ପଦ ଏବଂ ଦୁଃଖଦାୟକ ।
ସର୍ବୋପରି ରେଳବାଇ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନେଇଛି ଏବଂ ସେମାନେ ଏହାର ୨୦% ମଧ୍ୟ ଦେଇନାହାନ୍ତି । ଓଡ଼ିଶା ରେଳବାଇକୁ ତା’ର ଉପଯୁକ୍ତ ଅଂଶ ଦେବାକୁ ସମୟ ଆସିଛି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।