ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୍) : କାହାର ହେବ ଚତୁର୍ଥ ଆସନ? ହାତରେ ସଂଖ୍ୟା ନ ଥାଇ ବିଜେପି ଦମ୍ଭ ପଛରେ ରହସ୍ୟ କ’ଣ? କ’ଣ ହେବ ଦେବୀ, ସୌଭିକ, ସୁବାସିନୀଙ୍କର ଭୂମିକା? ଘୋଡା ବେପାର ହେଲେ କେଉଁମାନେ ହେବେ ଘୋଡ଼ା? ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ଏହି ଚର୍ଚ୍ଚା ଏବେ ସବୁଠି । ଆସନ୍ତା ୧୬ ତାରିଖ ନିର୍ବାଚନ ଦିନକୁ ସମସ୍ତେ ଚାହିଁ ବସିଛନ୍ତି । ନିର୍ବାଚନରେ ସଂଖ୍ୟାର ଖେଳ ହେବ ନା ବିବେକ ନାଁରେ ଅର୍ଥର ଖେଳ ହେବ ତାହା ସମସ୍ତଙ୍କର ଉକ୍ରଣ୍ଠା ବଢ଼ାଇଛି ।
ବିଜେଡି ଓ କଂଗ୍ରେସରେ ଭୋଟ ବିଭାଜନ ନିଶ୍ଚିତ ବୋଲି ରାଜ୍ୟସଭା ପ୍ରାର୍ଥୀ ଘୋଷଣା ଦିନୁଁ ଚର୍ଚ୍ଚା ଚାଲିଛି । ଚତୁର୍ଥ ଆସନରେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିଜୟ ସୁନିଶ୍ଚିତ ବୋଲି ଦଳୀୟ ନେତାମାନେ ଦମ୍ଭ ଦେଖାଉଛନ୍ତି । ଖୋଦ୍ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ବିଜେପି ଉପରେ ଘୋଡ଼ାବେପାର ଉଦ୍ୟମର ଆରୋପ ଲଗାଇଛନ୍ତି । ବିଜେଡିରେ ଅସନ୍ତୁଷ୍ଟ ବିଧାୟକଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ ମନାଇବା ସହଜ ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଦେବୀରଂଜନ ତ୍ରିପାଠୀ, ସୌଭିକ ବିଶ୍ୱାଳଙ୍କ ସମେତ ପୂର୍ବତନ ବିଜେଡି ନେତାଙ୍କ ବିଧାୟକ ପୁଅମାନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ।
ଏହି ସମୟରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବାରୁ ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ଭୋଟକୁ ନେଇ ଗୁଞ୍ଜରଣ ହୋଇଛି । ନିଜକୁ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଦାବି କରି ଦଳର ନିଷ୍ପତ୍ତି ଅନୁଯାୟୀ ଭୋଟ ଦେବେ ବୋଲି ଆଜି ସେ ସ୍ପଷ୍ଟ କରିଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା କିନ୍ତୁ ଥମୁନାହିଁ । ସେହିଭଳି କଂଗ୍ରେସରେ ୨ ରୁ ୩ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାରୁ ଉଭୟ ଦଳର ବିଧାୟକମାନଙ୍କ ଗତିବିଧି ଉପରେ ସମସ୍ତଙ୍କର ନଜର ରହିଛି ।
କ୍ରସ୍ ଭୋଟିଂ, ଘୋଡ଼ା ବେପାରର ଚର୍ଚ୍ଚା ମଧ୍ୟରେ ଗତକାଲି ରାତିରେ ବିଜେଡି ପକ୍ଷରୁ ଦଳୀୟ ବିଧାୟକମାନଙ୍କ ଉପରେ ତିନି ଧାଡ଼ିଆ ହ୍ୱିପ୍ ଜାରି କରାଯାଇଛି । ବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏହା ଜାରି କରିଛନ୍ତି । ହ୍ୱିପ୍ ଅନୁଯାୟୀ, ୧୩ରୁ ତାରିଖ ପର୍ଯ୍ୟନ୍ତ ବିଧାୟକମାନେ ଭୁବନେଶ୍ୱର ଛାଡ଼ି ଯାଇପାରିବେ ନାହିଁ । ସମସ୍ତେ ଏହାକୁ କଡ଼ାକଡ଼ି ପାଳନ କରିବେ । ବିଜେଡିରେ କ୍ରସ୍ ଭୋଟିଂ ଆଶଙ୍କା ଅଧିକ ଥିବାରୁ ଏଭଳି ହ୍ୱିପ୍ ଜାରି କରାଯାଇଥିବା ଚର୍ଚ୍ଚାକୁ ଆଜି ଶ୍ରୀମତୀ ମଲ୍ଲିକ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଆମ ପାଖରେ ପର୍ଯ୍ୟାପ୍ତ ଭୋଟ ଅଛି । ଆମର କାହାକୁ ଡରିବାର ନାହିଁ । ଦୂରଦୂରାନ୍ତରେ ଯେଉଁ ବିଧାୟକମାନେ ଅଛନ୍ତି ସେମାନେ ପହଞ୍ଚି ପାରିବେ ନ ପାରିବେ ସେଥିପାଇଁ ହ୍ୱିପ୍ ଜାରି କରାଯାଇଛି । ବିଜେଡି ଭଳି ଏକ ଶୃଙ୍ଖଳିତ ଦଳରେ ଏହି ବ୍ୟବସ୍ଥା ନୂଆ ନୁହେଁ ।
ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଦଳୀୟ ବିଧାୟକମାନଙ୍କ ଉପରେ ହ୍ୱିପ୍ ଜାରି କରାଯାଇଛି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଦାବି କରିଛନ୍ତି ଯେ ଆମେ ସବୁ ବିଧାୟକମାନେ ଏକ ଅଛୁ, ଏକ ରହିବୁ । ସରକାରୀ ଦଳର ଅଭ୍ୟାସ ଘୋଡ଼ା ବେପାର କରିବା । ଆମର କିନ୍ତୁ ସେଥିପ୍ରତି ଖାତିର ନାହିଁ । ଦଳର ନିଷ୍ପତ୍ତି ପଛରେ ସବୁ ବିଧାୟକ ଏକଜୁଟ୍ ଥିବା ସେ ଦୋହରାଇଛନ୍ତି ।
ଚତୁର୍ଥ ଆସନ ପାଇଁ ଲଢ଼ୁଥିବା ବିଜେଡି ଓ କଂଗ୍ରେସର କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ସବୁ ବିଧାୟକଙ୍କୁ ଭେଟି ଭୋଟ ଭିକ୍ଷା କରୁଥିଲା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ଗୁପ୍ତ ରଣନୀତି ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ତେବେ ସମ୍ଭାବ୍ୟ ଘୋଡ଼ାବେପାରକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ରାଜ୍ୟସଭା ନିର୍ବାଚନରେ ଖେଳ ଆରମ୍ଭ ହୋଇଯାଇଛି ଏବଂ ଆଗକୁ ଜମାଣିଆ ହେବ ବୋଲି ଗତକାଲି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ମନ୍ତବ୍ୟ ଘୋଡ଼ା ବେପାର ଦିଗକୁ ଇସାରା କରୁଥିଲା ବେଳେ ବିଜେଡି ଓ କଂଗ୍ରେସ ସମେତ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯାଇଛି ।
ବିଜେଡିର ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ କହିଛନ୍ତି, ରାଜ୍ୟସଭା ଭୋଟ ଗହମ ଗୋଟି ଗଣିତ । ଆମର ସମସ୍ତେ ରହିବେ । ଆମର ଉଭୟ ପ୍ରାର୍ଥୀଙ୍କୁ ଆମେ ଜିତାଇବୁ । ଶାସକ ଦଳ ନିଶ୍ଚିତ ପରାଜୟ ଭୋଗିବେ । ଆମ ପାଖରେ ଗଣିତ ଅଛି । ତାଙ୍କ ପାଖରେ ନା ଗଣିତ ଅଛି ନା ସଂଖ୍ୟା ଅଛି । ସେମାନେ କହିବାଟା ଅସ୍ୱାଭାବିକ କଥା । ଯଦି ଅସ୍ୱାଭାବିକ କଥା କହି ସେମାନେ ଜିତିବାର ଆସ୍ଫାଳନ କରୁଛନ୍ତି ତାହାହେଲେ ନୀତି ନୈତିକତା ସେମାନଙ୍କର ନାହିଁ ତାହା ସ୍ପଷ୍ଟ ।
ଅନ୍ୟପକ୍ଷରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ ଅନ୍ୟମାନେ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିଜୟ ନିଶ୍ଚିତ ବୋଲି ଦାବି କରିଛନ୍ତି । ବିଜେଡିର ଘୋଡ଼ା ବେପାର ଅଭିଯୋଗକୁ ସେମାନେ କଟାକ୍ଷ କରିଛନ୍ତି ।
ଘୋଡ଼ା ବେପାର ଚର୍ଚ୍ଚା ଭିତରେ ପୂର୍ବତନ ଆଇଆରଏସ୍ ଅଧିକାରୀ ଶୋଭନ କରଙ୍କର ଏକ ଫେସବୁକ ପୋଷ୍ଟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ସେ ଲେଖିଛନ୍ତି ଯେ ଆଶ୍ଚର୍ଯ୍ୟ ଏବଂ ଦୁଃଖର ବିଷୟ ଯେ ଅନେକ ବୁଦ୍ଧିଜୀବୀ ଘୋଡ଼ାବେପାରକୁ ଆବେଗର ସହ ଅପେକ୍ଷା କରିଛନ୍ତି ।