ଭୁବନେଶ୍ୱର: ଦୀର୍ଘ ୪୯୨ ବର୍ଷର ସଂଘର୍ଷ, ପ୍ରତୀକ୍ଷା ଓ ଉତ୍କଣ୍ଠାର ଅବସାନ । ଜନ୍ମସ୍ଥାନ ଅଯୋଧ୍ୟାରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀରାମ । କୋଟି କୋଟି ଭକ୍ତଙ୍କ ସ୍ୱପ୍ନକୁ ସାର୍ଥକ କରି ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯଜମାନରେ ଏହା ସମ୍ପନ୍ନ ହୋଇଛି । ସୁସଜ୍ଜିତ ମନ୍ଦିର ଉପରେ ଆକାଶରୁ ପୁଷ୍ପ ବର୍ଷା ସହ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଛି ଗଗନ ପ୍ରବନ । ଏହି ଅପୂର୍ବ ଦୃଶ୍ୟର ସିଧା ପ୍ରସାରଣ ଦେଖିଛନ୍ତି ବିଶ୍ୱବ୍ୟାପୀ ଭକ୍ତ । ସମସ୍ତଙ୍କ ମୁହଁରୁ ଶୁଭିଛି ଜୟ ଶ୍ରୀରାମ ।
୧୧ ଦିନ ଧରି ବ୍ରତ ପାଳନ କରୁଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସକାଳେ ସରଯୁ ନଦୀରେ ସ୍ନାନ ତର୍ପଣ କରି ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ଆରମ୍ଭ ହୋଇଥିଲା ପ୍ରାଣ ପ୍ରତିଷ୍ଠା ରୀତିନୀତି । ଗର୍ଭଗୃହରେ କାଶୀ ପୀଠର ବେଦଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀ ଯଜମାନ ହୋଇ ବସିଥିବା ବେଳେ ପାଖରେ ଥିଲେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ୍ ପଟେଲ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ସମୟ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ୍ ଥିଲା । ଆଉ ଯଥା ସମୟରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେଇଥିଲେ । ଏହି ଦିବ୍ୟ ସମାରୋହରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
କେବଳ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ସୀମିତ ନାହିଁ । ସମଗ୍ର ବିଶ୍ୱର ଅଗଣିତ ଭକ୍ତଙ୍କ ମଧ୍ୟକୁ ଏହା ବ୍ୟାପୀ ଯାଇଛି । ସବୁ ଜାଗାରେ ପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରଗୁଡ଼ିକରେ ପ୍ରବଳ ଭିଡ଼ ହୋଇଛି ।
ଓଡ଼ିଶାରେ ସବୁ ଦେବାଦେବୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭୁବନେଶ୍ୱରର ମୁଖ୍ୟ ରାମ ମନ୍ଦିର ଓ ସବୁ ହନୁମାନ ମନ୍ଦିରଗୁଡ଼ିକରେ ଠାକୁରଙ୍କ ଦର୍ଶନ ଓ ପ୍ରସାଦ ସେବନ ପାଇଁ ଭିଡ଼ ହୋଇଛି । ବିଭିନ୍ନ ସ୍ଥାନରେ ଭକ୍ତମାନଙ୍କ ପାଇଁ ଅନ୍ନଛତ୍ର ଖୋଲାଯାଇଛି ।
ଏପଟେ ନୟାଗଡ଼ ଜିଲ୍ଲା ଫତେଗଡ଼ ମିନି ଅଯୋଧ୍ୟା ସଦୃଶ ହୋଇଛି । ସେଠାରେ ପାହାଡ଼ ଉପରେ ନିର୍ମିତ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଚାଲିଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତା ୨୭ ତାରିଖରେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ସେଠାରେ ଭକ୍ତଙ୍କର ପ୍ରବଳ ଗହଳି ହୋଇଛି ।