ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଜଣେ ଅଧିକାରୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକୁ ରାଜ୍ୟ ସରକାର ଶେଷରେ ପାଳନ କରିଛନ୍ତି । ଆଇଏଏସ୍ ଅଫିସର ରଞ୍ଜନ କୁମାର ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ନିଯୁକ୍ତି ଦିଆଯାଇଛି ।
ଏକ ଜନସ୍ୱାର୍ଥ ମାମଲାର ବିିଚାର କରି ସର୍ବୋଚ୍ଚ ଅଦାଲତ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କରୋନା ମହାମାରୀକୁ ଆଳ କରି ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ ଟାଳି ଦେଇଥିଲେ । ଅତିରିକ୍ତ ଭାବେ ଜଣେ ଆଇଏଏସ୍ ଅଧିକାରୀ ଏହି ଦାୟିତ୍ୱ ତୁଲାଉଥିଲେ ।
ନବନିଯୁକ୍ତ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ଆଇଏଏସ୍ ବୀର ବିକ୍ରମ ଯାଦବଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ ଯାଦବ ପୂର୍ତ୍ତ ଓ ଖାଦ୍ୟ ଯୋଗାଣ ବିଭାଗ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।
ଶ୍ରୀ ଦାସଙ୍କ ଜାଗାରେ ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିବା ଆଇଏଏସ୍ ଅଫିସର ଦିଲ୍ଲୀପ ରାଉତରାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି ।
ସେହିଭଳି ଆଇଏଏସ ଅଫିସର ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ପୃଷ୍ଟି ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।