ଭୁବନେଶ୍ୱର: ଆଉ ଜଣେ ଓଡ଼ିଆ ପୁଅକୁ ବିଜ୍ଞାନ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ପଦରେ ଦେଖିବାକୁ ମିଳିଛି । ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଅଜିତ୍ କୁମାର ମହାନ୍ତି ଆଣବିକ ଶକ୍ତି କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଆଣବିକ ଶକ୍ତି ବିଭାଗର ସଚିବ ଭାବେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର କ୍ୟାବିନେଟ୍ ତାଙ୍କର ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ୬୬ ବର୍ଷ ବୟସ କିମ୍ବା ୨୦୨୫ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।
ଡକ୍ଟର ମହାନ୍ତି ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ର(ବାର୍କ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
ଓଡ଼ିଶାରେ ଜନ୍ମିତ ଶ୍ରୀ ମହାନ୍ତି ବାରିପଦା ଏମପିସି କଲେଜରୁ ୧୯୭୯ ମସିହାରେ ପଦାର୍ଥ ବିଜ୍ଞାନ ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ରେଭେନସା କଲେଜରୁ ସେ ଏମଏସସି ପାସ୍ କରିଥିଲେ । ଏହାପରେ ସେ ଭାବା ଆଣବିକ ଗବେଷଣା କେନ୍ଦ୍ରର ଟ୍ରେନିଂ ସ୍କୁଲରେ ଶିକ୍ଷାସମାପ୍ତ କରି ଅନୁଷ୍ଠାନର ନ୍ୟୁକ୍ଲିୟର୍ ଫିଜିକ୍ସ ଡିଭିଜନ୍ ରେ ଯୋଗଦେଇଥିଲେ । ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସେ ଡକ୍ଟୋରେଟ୍ ଡିଗ୍ରୀ ହାସଲ କରିଛନ୍ତି ।
ନ୍ୟୁକ୍ଲିୟର୍ ଫିଜିକ୍ସରେ ଡକ୍ଟର ମହାନ୍ତିଙ୍କ ଅବଦାନ ବେଶ୍ ଉଲ୍ଲେଖନୀୟ । ତାଙ୍କର ବହୁତ ଗବେଷଣାତ୍ମକ ସନ୍ଦର୍ଭ ବିଶ୍ୱସ୍ତରୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ଶାହା ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର୍ ଫିଜିକ୍ସର ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଛନ୍ତି । ଇଣ୍ଡିଆନ୍ ଫିଜିକ୍ସ ଆସୋସିଏସନ୍(ଆଇପିଏ)ର ସାଧାରଣ ସମ୍ପାଦକ ଏବଂ ସଭାପତି ଥିଲେ । ନ୍ୟୁକ୍ଲିୟର ଗବେଷଣା କ୍ଷେତ୍ରରେ ବିଶ୍ୱର ସ୍ୱନାମଧନ୍ୟ ସଂଗଠନ ୟୁରେପିଆନ୍ ଅର୍ଗାନାଇଜେସନ୍ ଫର୍ ନ୍ୟୁକ୍ଲିୟର୍ ରିଚର୍ଚ୍ଚରେ ସେ ଦୁଇଥର ସମ୍ମାନଜନକ ସାଇଣ୍ଟିଫିକ୍ ଆସୋସିଏଟ୍ ପଦ ମଣ୍ଡନ କରିଥିଲେ ।