ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର ଆଉ ନାହାନ୍ତି । କିଛି ଦିନ ଧରି ଅସୁସ୍ଥ ଥିବା ବାସୁଦେବ ଆଜି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଥିଲେ ।
ବାଣପୁର ଗୋଦାବରୀଶ ବିଦ୍ୟାପୀଠର ଛାତ୍ର ଶ୍ରୀ ମହାପାତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ କରିଥିଲେ । ପିଲାବେଳୁ କଳା ଓ ସାହିତ୍ୟରେ ତାଙ୍କର ପ୍ରବଳ ରୁଚି ଥିଲା । ଏହା ତାଙ୍କୁ ସାମ୍ବାଦିକତା ବୃତ୍ତିକୁ ଟାଣି ଆଣିଥିଲା । ଖବରକାଗଜରେ ସାମ୍ବାଦିକତା ଆରମ୍ଭ କରିଥିଲେ । ଧରିତ୍ରୀ ଖବରକାଗଜରେ ସେ ବହୁତ ଦିନ କାର୍ଯ୍ୟ କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ତାଙ୍କର ଦକ୍ଷତା ଥିଲା । ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝି ଲେଖନୀ ଚାଳନା କରିବା ଥିଲା ତାଙ୍କ ସାମ୍ବାଦିକତାର ମୂଳମନ୍ତ୍ର ।
ପରିବେଶ ଉପରେ ତାଙ୍କର ସ୍ୱତନ୍ତ୍ର ରୁଚି ଥିଲା । ତାଙ୍କର ବହୁ ଉଚ୍ଚମାନର ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି । କେବଳ ଖବରକାଗଜ ନୁହେଁ ଟିଭି ସାମ୍ବାଦିକତାରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା । ଏକ ଘରୋଇ ଓଡ଼ିଆ ଟିଭି ଚ୍ୟାନେଲର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରି ସମସ୍ତଙ୍କର ପ୍ରିଭାଜନ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ନିଜର ଏକ ୱେବ୍ ପୋର୍ଟାଲ୍ ଚଳାଇବା ସହ ବିଭିନ୍ନ ଜାତୀୟ ଏବଂ ସ୍ଥାନୀୟ ନ୍ୟୁଜ୍ ପ୍ଲାଟଫର୍ମ ସହିତ ସଂପୃକ୍ତ ରହି ଫ୍ରିଲାନ୍ସ କରୁଥିଲେ ।
ସ୍ୱର୍ଗତ ମହାପାତ୍ରଙ୍କ ପତ୍ନୀ ଏବଂ ଏକମାତ୍ର ପୁଅ ଅଛନ୍ତି । ପତ୍ନୀ ସୁଜାତା ମହାପାତ୍ର ମଧ୍ୟ ରାଜ୍ୟର ଜଣେ ଜଣାଶୁଣା ସାମ୍ବାଦିକ । ସେ କଳିଙ୍ଗ ଟିଭିରେ କାର୍ଯ୍ୟ କରୁଛନ୍ତି ।
ବାସୁଦେବ ମହାପାତ୍ରଙ୍କ ଅକାଳ ବିୟୋଗ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି । ତାଙ୍କ ମୃତ୍ୟୁ ଖବର ସାମ୍ବାଦିକମାନଙ୍କୁ ସ୍ତବ୍ଧ କରିଦେଇଛି । ସୋସିଆଲ୍ ମିଡିଆରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି । କେବଳ ସାମ୍ବାଦିକ ନୁହଁନ୍ତି, ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ମହାପାତ୍ରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।