ଭୁବନେଶ୍ୱର: ଜଣେ ସରକାରୀ ବାବୁଙ୍କ ମାମଲା ରଫାଦଫା କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଇନ୍ସପେକ୍ଟର ଶ୍ରୀମତୀ ମାନସୀ ଜେନା ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ଖବରର ଶିରୋନାମା ପାଲଟିଥିଲା । ଆଜି ଅବକାରୀ ବିଭାଗର ଅଧୀକ୍ଷକ ପଦବୀରେ ଥିବା ଜଣେ ମହିଳା ଅଧିକାରୀ ମଧ୍ୟ ଦୋ ନମ୍ବରୀ କାରବାର ପାଇଁ ଖବରର ଶୀର୍ଷ ମଣ୍ଡନ କରିଛନ୍ତି । ହିସାବ ବହିର୍ଭୂତ ୬ ଲକ୍ଷ ଟଙ୍କା ଧରି ସେ କର୍ମକ୍ଷେତ୍ରରୁ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ତାଙ୍କର କଳା କାରନାମାକୁ ସୁରକ୍ଷା ଦେବାକୁ ଯାଇ ତାଙ୍କ ପୁଲିସ ଇନ୍ସପେକ୍ଟର ସ୍ୱାମୀ ମଧ୍ୟ ଫସିଛନ୍ତି ।
ଗିରଫ ଅଧିକାରୀଜଣଙ୍କ ହେଉଛନ୍ତି ରାୟଗଡ଼ା ଅବକାରୀ ଅଧୀକ୍ଷକ ଶ୍ରୀମତୀ ନିନା ବେଉରା । ସାପ୍ତାହିକ ଛୁଟି କାଟିବା ପାଇଁ ଗତକାଲି ସେ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିଲେ । ଏକ ବ୍ୟାଗ୍ ରେ ନଗଦ ୬ ଲକ୍ଷ ଟଙ୍କା ପୂରାଇ ଘରକୁ ଆଣୁଥିଲେ । ତେବେ ଏହା ଲାଞ୍ଚ ଟଙ୍କା ଏବଂ ବିଭିନ୍ନ ସୂତ୍ରରୁ ସେ ଆଦାୟ କରିଛନ୍ତି ବୋଲି ଭିଜିଲାନ୍ସ ବିଭାଗ ପାଖରେ ସୂଚନା ପହଞ୍ଚିଥିଲା । ଟଙ୍କା ସହ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ସ୍କ୍ୱାଡ୍ ତାଙ୍କର ପିଛା କରିଥିଲା ଏବଂ ରାତି ପ୍ରାୟ ସାଢ଼େ ୧୧ଟାରେ ଖୋର୍ଦ୍ଧା ପାଖରେ ତାଙ୍କୁ ଧରିଥିଲା ।
ଭିଜିଲାନ୍ସ ତାଙ୍କ ଗାଡ଼ି ଏବଂ ଆସବାବପତ୍ର ଖାନତଲାସ କରି ଏହି ୬ ଲକ୍ଷ ଟଙ୍କା ଠାବ କରିଥିଲେ । ଏତେ ଟଙ୍କା କେଉଁଠୁ ଆଣିଛ ବୋଲି ଭିଜିଲାନ୍ସ ଅଧିକାରୀଙ୍କ ପ୍ରଶ୍ନରେ ସେ ଛେପ ଢ଼ୋକିଥିଲେ ଏବଂ ପାଟି ତାଙ୍କର ଖନି ମାରିଥିଲା । ଟଙ୍କାର ହିସାବ ଦେଇ ପାରି ନ ଥିଲେ । ଅଧାରାତିରେ ତାଙ୍କୁ ଭିଜିଲାନ୍ସ ଅଫିସକୁ ଅଣାଯାଇଥିଲା । ଆଜି ସକାଳୁ ସକାଳୁ ଏକାଧିକ ଭିଜିଲାନ୍ସ ଟିମ୍ ଶ୍ରୀମତୀ ବେଉରାଙ୍କ ଅଫିସ, ଘର ଏବଂ ସମ୍ପର୍କୀୟ ଘରେ ଚଢ଼ଉ କରିଥିଲେ ।
ମାହାଙ୍ଗା ଥାନା ଆଇଆଇସି ଭାବେ ଅବସ୍ଥାପିତ ତାଙ୍କ ସ୍ୱାମୀ ନିହାର ରଞ୍ଜନ ମହାନ୍ତିଙ୍କ ସରକାରୀ କ୍ୱାର୍ଟର୍ସରେ ଚଢ଼ଉ ପାଇଁ ଭିଜିଲାନ୍ସ ଟିମ୍ ଗଲା ବେଳକୁ ସେଠି ତାଲା ପଡ଼ିଥିଲା । ତାଙ୍କ ମୋବାଇଲ୍ ବନ୍ଦ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରି ନ ଥିଲା । ତେବେ ତୁରନ୍ତ ଭୁବନେଶ୍ୱର ଅଫିସରେ ହାଜର ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଶ୍ରୀ ମହାନ୍ତି ଏହି ନିର୍ଦ୍ଦେଶକୁ ମାନି ଦିନ ପ୍ରାୟ ସାଢ଼େ ୧୨ ଟା ବେଳକୁ ଭିଜିଲାନ୍ସ ଅତିରିକ୍ତ ଏସପିଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ ।








