ଭୁବନେଶ୍ୱର: ବଜାରରୁ ହଟିଯିବ ନୋଟ୍ ୨ ହଜାର ଟଙ୍କିଆ ନୋଟ୍ । ଲୋକମାନଙ୍କ ପାଖରେ ଥିବା ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରାଇ ଦେବାକୁ ପଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏହି ବଡ଼ ଘୋଷଣା କରାଯାଇଛି ।
ଗ୍ରାହକଙ୍କ ପାଖରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସେମାନଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିପାରିବେ । ଥରକରେ ୨୦ ହଜାର ଟଙ୍କା(୧୦ ଟି ୨ ହଜାର ଟଙ୍କା ନୋଟ୍) ଯେ କୌଣସି ବ୍ୟାଙ୍କରେ ମଧ୍ୟ ବଦଳେଇ ପାରିବେ । ୨୦୨୩ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ସମୟ ଦିଆଯାଇଛି ।
ସୂଚନାଥାଉକି, ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ବିମୁଦ୍ରାକରଣ ନିଷ୍ପତ୍ତି ନେଇଥିଲେ । ସବୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ କୁ ଅଚଳ କରିଦିଆଗଲା । ରିଜର୍ଭ ବ୍ୟାଙ୍କ ନୂଆ ୫୦୦ ଟଙ୍କିଆ ଏବଂ ୨୦୦୦ ହଜାର ଟଙ୍କିଆ ନୋଟ୍ ବଜାରକୁ ଛାଡ଼ିଥିଲେ । ମୁଦ୍ରା ସଙ୍କଟର ମୁକାବିଲା ପାଇଁ ଅସ୍ଥାୟୀ ବ୍ୟବସ୍ଥା ସ୍ୱରୂପ ୨ହଜାର ଟଙ୍କିଆ ନୋଟ୍ ପ୍ରଚଳନ କରିଥିବା ଏବେ କୁହାଯାଇଛି ।
୨୦୧୭ ମାର୍ଚ୍ଚ ସୁଦ୍ଧା ୮୯% ୨ ହଜାର ଟଙ୍କିଆ ନୋଟ୍ ବଜାରକୁ ଛଡ଼ାଯାଇଥିଲା । ତେବେ ୨୦୧୮-୧୯ ରୁ ଏହି ନୋଟ୍ ର ଛପା ବନ୍ଦ ହୋଇଥିଲା । ୨୦୧୮ ମାର୍ଚ୍ଚ ୩୧ ବେଳକୁ ମୋଟ ୬.୭୩ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନ ଥିଲା । ବଜାରରେ ଉପଲବ୍ଧ ସମୁଦାୟ ମୁଦ୍ରାର ଏହା ଥିଲା ୩୭.୩% । ତେବେ ୨୦୧୩ ମାର୍ଚ୍ଚ ୩୧ ସୁଦ୍ଧା ୨ ହଜାର ଟଙ୍କିଆ ନୋଟ୍ ପରିମାଣ ୩.୬୨ ଲକ୍ଷ କୋଟିକୁ ହ୍ରାସ୍ ପାଇ ୧୦.୮% ରେ ପହଞ୍ଚିଛି ।
ଅନ୍ୟ ନୋଟ୍ ର ଅଭାବ ମେଣ୍ଟି ଥିବାରୁ ଆଉ ୨ ହଜାର ଟଙ୍କିଆ ନୋଟ୍ ର ଆବଶ୍ୟକତା ନ ଥିବା ଦର୍ଶାଇ ରିଜର୍ଭ ବ୍ୟାଙ୍କ ଏହା ବଜାରରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି । ତେବେ ଏହି ନୋଟ୍ ର ଲିଗାଲ୍ ଟେଣ୍ଡର ଜାରି ରହିବ ବୋଲି କୁହାଯାଇଛି ।