ଭୁବନେଶ୍ୱର: ଅଫିସରରାଜ ପାଇଁ ବିଜେଡି ସରକାର ବହୁତ ବଦନାମ ହୋଇଥିଲା । ତେଲିଆ ଅଫିସରଙ୍କୁ ବ୍ୟବସ୍ଥା ବେଶ୍ ସୁହାଉଥିଲା । ଗୋଟେ ଗୋଟେ ଜାଗାରେ ଦୀର୍ଘ ବର୍ଷ ରହି ଅବସର ନେଲା ପରେ ବି ସେଠାରେ ପୁନଃ ନିଯୁକ୍ତି ମିଳିଯାଉଥିଲା । ତେଲ, ଖୋସାମତି ଓ ପ୍ରିୟାପ୍ରୀତିରେ ଏହା ହେଉଥିବାରୁ ଦୁର୍ନୀତି ବଢ଼ି ଯାଇଥିଲା । ବ୍ୟବସ୍ଥାକୁ ବଦଳାଇବାର ବିଶ୍ୱାସ ଦେଇ ବିଜେପି ଏହାକୁ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ କରିଥିଲା । ରାଜ୍ୟରେ କ୍ଷମତାକୁ ଆସିଲା । ସରକାର ଗଢ଼ିବାର ଅଳ୍ପ ଦିନ ଭିତରେ ଗାଦି ମାଡ଼ି ବସିଥିବା କିଛି ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦିଆଗଲା । ମାତ୍ର ତାହା ଯେ ଲୋକଦେଖାଣିଆ ଥିଲା ତାହା ସରକାରଙ୍କ ପରବର୍ତ୍ତୀ ପଦକ୍ଷେପରୁ ସ୍ପଷ୍ଟ ହୋଇଗଲାଣି । ପୂର୍ବ ସରକାରରେ ଦୁର୍ନୀତି ଓ ଅରାଜକତାରେ ଭରିଥିବା ନଗର ଉନ୍ନୟନ ବିଭାଗରେ ଏବେ ସବୁ ଦିନ ଗଣ୍ଡା ଗଣ୍ଡା ଅଧିକାରୀଙ୍କୁ ପୁନଃ ନିଯୁକ୍ତି ମିଳୁଥିବା ବେଳେ ମନ୍ତ୍ରୀଙ୍କ ପ୍ରିୟାପ୍ରୀତି ଚର୍ଚ୍ଚାର ବିଷୟ ହୋଇଛି ।
ଦୀର୍ଘ ୧୦ ବର୍ଷ ଧରି ନଗର ଉନ୍ନୟନ ବିଭାଗରେ ଏକଛତ୍ରବାଦ ଶାସନ ଚଳାଇଥିଲେ ଜି.ମାଥିଭାଥନନ୍ । ନୂଆ ସରକାର ଆସିଲା ପରେ ତାଙ୍କୁ ଗୋପବନ୍ଧୁ ଏକାଡେମୀକୁ ବଦଳି କରାଯାଇଛି । ତାଙ୍କ ଛତ୍ରଛାୟାରେ ଦୁଇଜଣ ଅଫିସର ବିଭାଗରେ ରାଜ୍ କରୁଥିଲେ । ସେମାନେ ହେଲେ ଓଏଏସରୁ ପଦୋନ୍ନତି ପାଇ ଆଇଏଏସ୍ ହୋଇଥିବା ସଂଗ୍ରାମଜିତ୍ ନାୟକ ଏବଂ ଓଏଏସ୍ ଅଧିକାରୀ ସାରଦା ପଣ୍ଡା । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ସଂଗ୍ରାମଜିତ୍ ପୌର ପ୍ରଶାସନର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ । ବର୍ଷେ ତଳେ ଅବସର ନେଇଥିଲେ ମଧ୍ୟ ସରକାର ସେହି ପଦବୀରେ ପୁଣି ତାଙ୍କୁ ଥଇଥାନ କରିଥିଲେ । ବିଭାଗରୁ ମାଥିଭାଥନନଙ୍କୁ ବଦଳି ସହ ସଂଗ୍ରାମଜିତ ଦାୟିତ୍ୱମୁକ୍ତ ହୋଇଥିଲେ । ସେହିଭଳି ସାରଦା ପଣ୍ଡା ୮ ବର୍ଷରୁ ଅଧିକ ସମୟ ଧରି ସୁଡ଼ାର ନିଦେ୍ର୍ଦଶକ ପଦବିରେ ଥିଲେ । ଗତ ଜୁନ୍ ୩୦ ତାରିଖରେ ସେ ଚାକିରିରୁ ଅବସର ନେଇଥିଲେ ।
ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏବେ ସେହି ସଂଗ୍ରାମଜିତ୍ ନାୟକ ଏବଂ ସେହି ସାରଦା ପଣ୍ଡାଙ୍କୁ ମୋହନ ସରକାର ମଧ୍ୟ ଗେହ୍ଲାପୁଅ କରିଛନ୍ତି । ସେମାନଙ୍କୁ ସେହି ନଗର ଉନ୍ନୟନ ବିଭାଗରେ ଥଇଥାନ କରାଯାଇଛି । ସଂଗ୍ରାମଜିତଙ୍କୁ ଜାଗା ମିଶନର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା ବେଳେ ସାରଦା ପଣ୍ଡାଙ୍କୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଓଏସଡି ଭାବେ ନିଯୁକ୍ତି ମିଳିଛି । ଓଏଏସ୍ ପତ୍ନୀ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ପତ୍ନୀଙ୍କ ବାନ୍ଧବୀ ହୋଇଥିବାରୁ ସେହି ସମ୍ପର୍କର ଡୋରିରେ ସଂଗ୍ରାମଜିତ୍ ପୁଣି କ୍ଷମତାଶାଳୀ ହୋଇଥିବା କୁହାଯାଉଛି । ସେହିଭଳି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୁପାରିଶରେ ସାରଦା ପଣ୍ଡାଙ୍କୁ ପୁନଃ ଥଇଥାନ କରାଯାଇଥିବା ଜଣାପଡ଼ିଛି । ମନମୋହନ ମନ୍ତ୍ରୀ ଥିଲା ବେଳେ ସାରଦା ତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଥିଲେ ।
ଏହି ଦୁହିଁଙ୍କ ଛଡ଼ା ନଗର ଉନ୍ନୟନ ବିଭାଗର ଓଏସଡି ଭାବେ ଆଉ ଜଣେ ଅବସରପ୍ରାପ୍ତ ଅଧିକାରୀ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ପୁନଃ ନିଯୁକ୍ତି ମିଳିଛି । ବର୍ଷେ ତଳେ ସେ ଅବସର ନେଇସାରିଥିଲେ । ମୟୁରଭଞ୍ଜରେ ଏଡିଏମ୍ ଭାବେ କାର୍ଯ୍ୟ କରୁଥିବା ବେଳେ ଏବେକାର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ସେହି ସମ୍ପର୍କକୁ ଭୁଲି ନ ଯାଇ ଶ୍ରୀ ମହାପାତ୍ର ମନ୍ତ୍ରୀ ହେବା ପରେ ତାଙ୍କୁ ଆଣି ଥଇଥାନ କରିଛନ୍ତି ।
ସୂଚନାଥାଉକି, ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କର ବିଶ୍ୱସ୍ତ ଭାବେ ତିନିମୂର୍ତ୍ତିଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି । ସେମାନେ ହେଲେ ଓଏସଡି ସାରଦା ପଣ୍ଡା, ସୁରଥ ମଲ୍ଲିକ ଏବଂ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ ଚଳାଉଥିବା ଜଣେ ବିଲଡର । ରାଜ୍ୟ ଅତିଥି ଭବନରେ ଏମାନଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ମନ୍ତ୍ରୀଙ୍କ ପାଖେ ପାଖେ ଦେଖିବାକୁ ମିଳୁଛି । ଗତ ସପ୍ତାହରେ ଏହି ତିନିମୂର୍ତ୍ତିଙ୍କୁ ରାଜଧାନୀ ଉପକଣ୍ଠରେ ଥିବା ଏକ କାର୍ ସୋରୁମ୍ ରେ ଦେଖିବାକୁ ମିଳିଥିଲା । ଦୁଇଟି ଟୟୋଟା ଇନୋଭା କାର୍ ବୁକିଂ କରିବାକୁ ସେମାନେ ଆସିଥିବା ସୋ’ ରୁମ୍ ର ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ଇନୋଭା କାର୍ ଦୁଇଟି କାହା ପାଇଁ ବୁକିଂ ହୋଇଛି ଜଣାପଡ଼ିନାହିଁ ।
ସେ ଯାହା ହେଉ, ନଗର ଉନ୍ନୟନ ବିଭାଗରେ ପୁନଃ ନିଯୁକ୍ତି ସେତିକିରେ ସରିନାହିଁ । ଗତ ସପ୍ତାହରେ ଗୋଟିଏ ଦିନରେ ନଗର ଉନ୍ନୟନ ବିଭାଗ ୪ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ପୁନଃ ନିଯୁକ୍ତି ଦେଇଥିଲା । ସେମାନେ ହେଲେ- ଦେବସୁନ୍ଦର ମହାପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର, ୱାଟକୋର ସିଓଓ ଶରତ ଚନ୍ଦ୍ର ମିଶ୍ର ଏବଂ ଜଳଧର ସ୍ୱାଇଁ । ଆଜି ବିଡିଏରେ ୫ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ବର୍ଷକ ପାଇଁ ପୁନଃ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ- ପ୍ରଭାତ କୁମାର ମିଶ୍ର, ରାଜେନ୍ଦ୍ର ସାହାଣୀ, ତ୍ରିଲୋଚନ ଭୂୟାଁ, ଚିତ୍ତରଞ୍ଜନ ମିଶ୍ର ଏବଂ ଲିଙ୍ଗରାଜ ବେହେରା ।
ସୁତରାଂ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃନିଯୁକ୍ତିରେ ପୁରୁଣା ସରକାରଙ୍କଠୁ ବଳିପଡ଼ିଲେଣି ମୋହନ ସରକାର । ଏଥିପାଇଁ ନୂଆ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନ ଥିବା ସ୍ପଷ୍ଟ ହେଉଛି । ନଗର ଉନ୍ନୟନ ବିଭାଗରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ବ୍ୟାପକ ପୁନଃ ନିଯୁକ୍ତିକୁ ନେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ମହାପାତ୍ର କିଛି ଦିନ ତଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, ନୂଆ ସରକାରଙ୍କୁ ସବୁ କିଛି ବୁଝିବାକୁ ସମୟ ଲାଗିବ । ଅବସରପ୍ରାପ୍ତ ଅଧିକାରୀ ହଟିବା ଉପରେ ଗୁରୁତ୍ୱ ଦେବୁ ।