ଭୁବନେଶ୍ୱର: ବିଶିଷ୍ଟ ହୋମିଓପାଥିକ୍ ଡାକ୍ତର କମଳାକାନ୍ତ କରଙ୍କର ଆଜି ପରଲୋକ ହୋଇଯାଇଛି । ଆଇଆରସି ଭିଲେଜସ୍ଥିତ ବାସଭବନରେ ସକାଳେ ସେ ହୃଦଘାତ୍ ର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ୍ ନେବା ବାଟରେ ହିଁ ଆଖି ବୁଜି ଦେଇଥିଲେ । ତାଙ୍କୁ ୮୭ ବର୍ଷ ହୋଇଥିଲା । ଡାକ୍ତର କରଙ୍କ ବିୟୋଗ ହୋମିଓପାଥିକ୍ ଚିକିତ୍ସା ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ହୋମିଓପାଥିକ୍ ଚିକିତ୍ସାରେ ଡାକ୍ତର କମଳାକାନ୍ତ କରଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ରାଜଧାନୀର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ କଲେଜରେ ଦୀର୍ଘ ୧୦ ବର୍ଷ ଧରି ସେ ଅଧ୍ୟକ୍ଷ ଥିଲେ । ଚାକିରିରୁ ଅବସର ଗ୍ରହଣ କରିବା ପରେ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟ୍ ରେ ନିଜର କ୍ଲିନିକ୍ ଖୋଲି ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଉଥିଲେ । ଜଣେ ଦକ୍ଷ ଚିକିତ୍ସକ ଭାବେ ତାଙ୍କର ସୁନାମ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କ ପାଖକୁ ଧାଇଁ ଆସୁଥିଲେ ।
ଘରୋଇ କ୍ଲିନିକ୍ ଖୋଲିଥିଲେ ମଧ୍ୟ ତାଙ୍କର ଅର୍ଥ ମୋହ ନ ଥିଲା । ଗରିବ ରୋଗୀଙ୍କୁ ମାଗଣାରେ ଔଷଧ ଦେଉଥିଲେ । ବାର୍ଦ୍ଧକ୍ୟଜନିକ ଶାରୀରିକ ଅସୁସ୍ଥତା ସତ୍ତ୍ୱେ ସେ ଚିକିତ୍ସା ସେବା ଜାରି ରଖିଥିଲେ । ଏହି ବୟସରେ ମଧ୍ୟ ସେ ନିୟମିତ ଭାବେ ତାଙ୍କ ଜନ୍ମମାଟି ମାହାଙ୍ଗା ଯାଉଥିଲେ ଏବଂ ସେଠାରେ ମାସକୁ ଅନ୍ତତଃ ଦୁଇ ଦିନ ରହି ରୋଗୀ ଦେଖିବା ସହ ମାଗଣାରେ ଔଷଧ ଦେଉଥିଲେ ।
ସ୍ୱର୍ଗତଃ କର କେବଳ ହୋମିଓପାଥିକ୍ ଡାକ୍ତରୀ ବିଦ୍ୟାରେ ପାରଙ୍ଗମ ନ ଥିଲେ । ସାହିତ୍ୟ ପ୍ରତି ମଧ୍ୟ ତାଙ୍କର ପ୍ରଗାଢ଼ ଅନୁରକ୍ତି ଥିଲା । ନିଜର ବ୍ୟସ୍ତବହୁଳ କର୍ମମୟ ଜୀବନରୁ ସମୟ ବାହାର କରି ଲେଖାଲେଖି କରୁଥିଲେ । ଗଠନମୂଳକ ସମାଲୋଚନାରେ ସେ ଥିଲେ ସିଦ୍ଧହସ୍ତ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଅନେକ ପୁସ୍ତକ ଲେଖିଛନ୍ତି । ତାଙ୍କର ଚର୍ଚ୍ଚିତ ପୁସ୍ତକ ମଧ୍ୟରେ ରହିଛି ବିବିଧ ପ୍ରସଙ୍ଗ, ହୋମିଓପାଥି ବ୍ୟବସ୍ଥା ଓ ଅବ୍ୟବସ୍ଥା, ସାଉଁଟାଫୁଲ ଓ ବିରିୟାନୀ । ଇଂରାଜୀରେ ତାଙ୍କ ଦ୍ୱାରା ରଚିତ ‘ହୋମିଓପାଥି ଷ୍ଟେଟ୍ ଆଣ୍ଡ ଆର୍ଫାୟାସ’ ପୁସ୍ତକଟି ଦେଶ ବିଦେଶରେ ପାଠକୀୟ ଆଦୃତ ଲାଭ କରିଛି ।