ଭୁବନେଶ୍ୱର: ଜନୈକ କର୍ମଚାରୀ ସରକାରୀ ଚାକିରିରୁ ଅବସର ନେଇଥିଲେ ବି ନିଜର ଚଉକି ମୋହ ଛାଡୁନାହାନ୍ତି । ତାହାପୁଣି କୋଉ ଦୁର୍ଗମ ଇଲାକାର ଚିତ୍ର ନୁହେଁ । ଖୋଦ୍ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଅବସରପ୍ରାପ୍ତ କର୍ମଚାରୀ ଖାଲି ଯେ ତାଙ୍କ ଚେୟାର ଛାଡ଼ିନାହାନ୍ତି ସେୟା ନୁହେଁ, ତାଙ୍କର ମାମଲତି ବି ଛାଡ଼ିନାହାନ୍ତି । ସବୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟରେ ତାଙ୍କର ଅଧିକ ଭାଗିଦାରି ଦେଖିବାକୁ ମିଳୁଛି । ସବୁଠାରୁ ଦୁର୍ଭାଗ୍ୟର କଥା, ବିଭାଗର ନିର୍ଦ୍ଦେଶକଙ୍କ ଗୋଚରରେ ଏହି ବେଆଇନ କାର୍ଯ୍ୟ ଜାରି ରହିଛି ।
ସରକାରୀ ଚଉକିର ମୋହ ଛାଡ଼ି ପାରୁ ନ ଥିବା ଏହି ଅବସରପ୍ରାପ୍ତ କର୍ମଚାରୀ ହେଉଛନ୍ତି ଗୌର ମହାପାତ୍ର । ତାଙ୍କର ମୂଳ ପଦବୀ ଥିଲା ଷ୍ଟେନୋ । ମାତ୍ର ତାଙ୍କୁ ସୂଚନା ଅଧିକାରୀ ଭାବେ ସମସ୍ତେ ଜାଣନ୍ତି । କୌଣସି କାରଣରୁ ବିଭାଗରେ ତାଙ୍କର ଯଥେଷ୍ଟ ପ୍ରଭାବ ରହି ଆସିଛି । ଗତ ଜାନୁଆରୀ ୩୧ ତାରିଖରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ବିଭାଗୀୟ କର୍ମଚାରୀମାନେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ତେବେ କାଗଜପତ୍ରରେ ଚାକିରିରୁ ଅବସର ନେଇଥିଲେ ମଧ୍ୟ ୫ ମାସ ପରେ ବି ସେ ଦପ୍ତର ଏବଂ ଚୌକି ଛାଡ଼ି ନାହାନ୍ତି । ଆହୁରି ଆଶ୍ଚର୍ଯ୍ୟର କଥା, ପୂର୍ବବତ ତାଙ୍କର କାମ ବି ଜାରି ରହିଛି । ଏଥିରେ ତାଙ୍କ ପାଇଁ କୌଣସି ପ୍ରତିବନ୍ଧକ ଦେଖିବାକୁ ମିଳୁନାହିଁ ।
ଗତକାଲି ନୂଆ ସରକାରର ଶପଥ ଗ୍ରହଣ ପାଇଁ ସାମ୍ବାଦିକମାନଙ୍କୁ ଏଣ୍ଟ୍ରି ପାସ୍ ବଣ୍ଟନ ଦାୟିତ୍ୱରେ ଏହି ବାବୁ ଥିଲେ । ତେବେ ସେଥିରେ ଭୀଷଣ ବିଭ୍ରାଟ୍ ଘଟିଥିଲା । ପାସ୍ କଥା ପଚାରିବାରୁ ବିଜେପି ଉପରେ ଦୋଷ ଲଦି ଖସି ଯିବାକୁ ଚେଷ୍ଟା କରିଥିଲେ । ତେବେ ଏଣ୍ଟ୍ରି ପାସ୍ ରୁ ବଞ୍ଚିତ ୨୦ ରୁ ଅଧିକ ସାମ୍ବାଦିକ ବିଭାଗର ଏହି ଅବ୍ୟବସ୍ଥା ସମ୍ପର୍କରେ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କୁ ଜଣାଇଥିଲେ । ଚାକିରିରୁ ଅବସରପ୍ରାପ୍ତ କର୍ମଚାରୀ ଗୌର ମହାପାତ୍ରଙ୍କୁ ରାଜ୍ୟ ସରକାର ଚାକିରିରେ ପୁନଃଥଇଥାନ କରି ନ ଥିଲା ବେଳେ କେଉଁ ନିୟମ ବଳରେ ତାଙ୍କୁ ଏହି ଦାୟିତ୍ୱରେ ରଖାଯାଇଛି ବୋଲି ନିର୍ଦ୍ଦିଷ୍ଟ ପ୍ରଶ୍ନ କରିଥିଲେ । ମାତ୍ର ନିର୍ଦ୍ଦେଶକ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ।
ଏ ସମ୍ପର୍କରେ ବିଭାଗର ସଚିବ ସଞ୍ଜୟ ସିଂହଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ତାଙ୍କଠାରୁ କୌଣସି ଉତ୍ତର ମିଳିନାହିଁ ।
ସୂଚନା ଓ ଲୋକସମ୍ପର୍କ ଭଳି ରାଜ୍ୟ ସରକାରଙ୍କ ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏଭଳି ଅଭାବନୀୟ ଘଟଣା ଉପରେ ନୂଆ ସରକାର ଦୃଷ୍ଟି ଦେବା ସହ ବେଆଇନ କାର୍ଯ୍ୟ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ମହଲରେ ଦାବି ହୋଇଛି ।







