ଭୁବନେଶ୍ୱର: ଅର୍ଥ ଓ କ୍ଷମତା ମଣିଷକୁ କିଭଳି ପ୍ରାଚୁର୍ଯ୍ୟରେ ବୁଡ଼ାଏ, ତାହାର ଆଉ ଏକ ଉଦାହରଣ ହୋଇଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ । ବିଧାୟକ ଭାବେ ପାଇଥିବା ଏକ ସରକାରୀ କ୍ୱାର୍ଟର୍ସକୁ ଆଲିଶାନ କୋଠାର ରୂପ ଦେଇଥିବା ଏହି ନେତା କ୍ଷମତାରୁ ଯିବା ପରେ ସେହି କୋଠାକୁ ଭାଙ୍ଗିବା ଘଟଣା ଆଜି ରାଜ୍ୟର ସବୁଠାରୁ ବଡ଼ ଖବର ହୋଇଛି । କାହା ଅନୁମତିରେ ସରକାରୀ ଘରକୁ ରାଜପ୍ରସାଦ ବନାଯାଇଥିଲା, ଏଥିପାଇଁ ଅର୍ଥ କୁଆଡୁ ଆସିଥିଲା ଏବଂ କାହା ଅନୁମତିରେ ଏବେ ଭଙ୍ଗାଗଲା ତାହା ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।
ରାଜଭବନ ଛକ ପାଖ ଭିଆଇଆଇଏମଆର ୧ କ୍ୱାର୍ଟର୍ସକୁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୯ ତାରିଖରେ ବବିଙ୍କୁ ଆବଣ୍ଟନ କରିଥିଲା । ସେହିବର୍ଷ ଅଗଷ୍ଟ ୧୭ ରେ ବବି ଏହାକୁ ଦଖଲକୁ ନେଇଥିଲେ । ଜଣେ ବିଧାୟକ ଭାବେ ତାଙ୍କୁ ଏହି କ୍ୱାର୍ଟର୍ସ ମିଳିଥିଲା । ତେବେ ବବି ପାଖ କ୍ୱାର୍ଟର୍ସକୁ ମିଶାଇ ତାହାକୁ ରାଜକୀୟ ଠାଣି ଦେଇଥିଲେ । ମୂଳ ବିଲଡିଂକୁ ଲାଗି ୪୦ ପ୍ରତିଶତ ପରିମିତ ଜାଗାରେ ଅଣ୍ଡର ଗ୍ରାଉଣ୍ଡ ସାଙ୍ଗକୁ ଷ୍ଟିଲ୍ ଷ୍ଟ୍ରକଚର ଉପରେ ୩ ମହଲାର ଆଲିଶାନ କୋଠା ନିର୍ମାଣ କରାଯାଇଥିଲା । ସବୁଆଡ଼େ ଇଟାଲିଆନ୍ ଉଡ୍, ଦାମୀ ମାର୍ବଲସ୍ ଖଞ୍ଜାଯାଇଥିଲା । ଇଣ୍ଟେରିୟର ଡିଜାଇନ୍ ବି ମନଲୋଭା ହୋଇଥିଲା । ଏହିଭଳି ଭାବେ ପାଖାପାଖି ୧୦ ହଜାର ବର୍ଗଫୁଟ ଜାଗାରେ ଗଢ଼ି ଉଠିଥିଲା ବବିଙ୍କ ସୌଖୀନ ସାମ୍ରାଜ୍ୟ ।
ତେବେ ବିଜେଡି ସରକାରରୁ ଯିବା ପରେ ଏବଂ ନିଜର ବିଧାୟକ ପଦ ଯିବା ପରେ ବବି କ୍ୱାର୍ଟର୍ସ ଛାଡ଼ିବାର ନୋଟିସ୍ ପାଇବା ପୂର୍ବରୁ ହିଁ ଆଗୁଆ ସେହି ଆଲିଶାନ ବଙ୍ଗଳାକୁ ଭାଙ୍ଗିବା ଆରମ୍ଭ କରିଦେଇଥିଲେ । ବାହାର ପଟୁ ତାଲା ପକାଇ ୧୦ ଦିନ ହେଲା ଘର ଭଙ୍ଗା କାମ ଚାଲିଥିବା ବେଳେ ଆଜି ଅଚାନକ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚି ଖୋଳତାଡ଼ କରିଥିଲେ । କାହା ଅନୁମତିରେ ସରକାରୀ କ୍ୱାର୍ଟର୍ସକୁ ଏମିତି ରାଜକୀୟ ରୂପ ଦିଆଯାଇଥିଲା ଏବଂ ଲୁଚାରେ ଏହାକୁ ଭାଙ୍ଗିବା ପଛର ରହସ୍ୟ କ’ଣ ଜାଣିବାକୁ ଚାହିଁଥିଲେ ।
ତେବେ ବବି ଏକ ଭିଡିଓ ଜାରି କରି ଗଣମାଧ୍ୟମର କାର୍ଯ୍ୟକୁ ନିନ୍ଦା କରିଥିଲେ । ସବୁ ସେ ଆଇନ ଅନୁଯାୟୀ କରିଛନ୍ତି ଏବଂ ଯେଉଁଭଳି କ୍ୱାର୍ଟର୍ସ ଦଖଲକୁ ନେଇଥିଲେ, ସେହିଭଳି କ୍ୱାର୍ଟର୍ସ ଫେରାଇବେ ବୋଲି ସଫେଇ ଦେଇଥିଲେ । ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ ।
ଅନ୍ୟପକ୍ଷରେ ଘଟଣାର ଗୁରୁତ୍ୱକୁ ଦେଖି ରାଜ୍ୟ ସରକାରଙ୍କ ନିଦେ୍ର୍ଦଶମତେ ସାଧାରଣ ପ୍ରଶାସନ ବିଭାଗର ଏକ ତିନି ଜଣିଆ ଟିମ୍ ସେଠାକୁ ଯାଇ ସରଜମିନ୍ ତଦନ୍ତ କରିଥିଲେ । ଟିମ୍ ର ନେତୃତ୍ୱ ନେଉଥିବା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସଂଗ୍ରାମ ରାୟ ସର୍ଦ୍ଦାର ଗଣମାଧ୍ୟମକୁ କହିଛନ୍ତି, ସରକାରୀ ଅନୁମତିରେ ସରକାରୀ କ୍ୱାର୍ଟର୍ସ ସମ୍ପ୍ରସାରଣ କରିବାରେ ମନା ନାହିଁ । ତେବେ ବବି ଦାସଙ୍କ କ୍ଷେତ୍ରରେ କ’ଣ ହୋଇଛି ତାହା ସେ କହିପାରିବେ ନାହିଁ । ଆଜିର ସରଜମିନ୍ ତଦନ୍ତ ଉପରେ ସରକାରଙ୍କୁ ରିପୋର୍ଟ ଦିଆଯିବ । ବେଆଇନ କାମ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।
ସୂଚନାଥାଉକି, ବବି ଦାସଙ୍କ ଏହି ସରକାରୀ ଘର ଆଧୁନିକୀକରଣରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସରକାରୀ ଭାବେ କୁହାଯାଇଥିଲା । ମାତ୍ର ବାସ୍ତବରେ ଏହି ଆଲିଶାନ ବଙ୍ଗଳା ନିର୍ମାଣରେ ୨ରୁ ୩ କୋଟି ଖର୍ଚ୍ଚ ହୋଇଥିବା ଚର୍ଚ୍ଚା ହେଉଛି ।