ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପ୍ରଚାର ଜୋର୍ ଧରିଛି । ତିନି ପ୍ରମୁଖ ଦଳର ହେଭିୱେଟ୍ ମାନେ ଗାଁ ଗାଁ ବୁଲି ପ୍ରଚାରକୁ ଜୋର୍ କରିଛନ୍ତି । ଚାଷୀ ସମସ୍ୟା ଏବଂ ରେଳକୁ ମୁଖ୍ୟ ପ୍ରସଙ୍ଗ କରି ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଖୋଦ୍ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପଦ୍ମପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରଚାର ସଭାରେ ଉଭୟ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଚାଲେଞ୍ଜ ଦେଇଥିବା ବେଳେ ଶାସକ ବିଜେଡି ତାହାର କଡ଼ା ଜବାବ ଦେଇଛି ।
ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ପାଇକମାଳରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ । ପଦ୍ମପୁର ଦେଇ ବରଗଡ଼ରୁ ନୂଆପଡ଼ାକୁ ରେଳଲାଇନ୍ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଥିଲେ । ରାଜ୍ୟ ସରକାରଙ୍କ ଟାଲଟୁଳ ନୀତି ଯୋଗୁଁ ଏହା ସମ୍ଭବ ହୋଇପାରି ନ ଥିବା ସେ ତେର୍ଚ୍ଛବାଣ ମାରିଥିଲେ । ରାଜ୍ୟ ସରକାରଙ୍କୁ ସେ କହିଥିଲେ, ମୁଁ ଓପନଲି ଚାଲେଂଜ ଦେଉଛି.. ଆପଣ କାଲି ଜାଗା ଦିଅନ୍ତୁ । ପଅରଦିନ କାମ ଆରମ୍ଭ ହେବ ।
କେନ୍ଦ୍ରମନ୍ତ୍ରୀ ପୁଣି କହିଥିଲେ ଯେ ରାଜ୍ୟ ସରକାର ଜାଗା ଦେଲେ ଓଡ଼ିଶାର ବିକାଶ ହୋଇପାରିବ । ରାଜ୍ୟ ସରକାରଙ୍କ ନୀତି ନିୟତ୍ ଠିକ୍ ରହିଲେ ଏଠାରେ ରୋଜଗାରର ମାଧ୍ୟମ ସୃଷ୍ଟି ହୋଇପାରିବ । କେହି ଦାଦନ ଖଟିବାକୁ ଯିବେ ନାହିଁ ।
ସୂଚନାଥାଉକି, ପଦ୍ମପୁର ଦେଇ ବରଗଡ଼ରୁ ନୂଆପଡ଼ାକୁ ରେଳଲାଇନ୍ ପ୍ରସଙ୍ଗ ପ୍ରଥମେ ବିଜେଡି ଉଠାଇଥିଲା । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଗତ ସପ୍ତାହରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ର ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିପାରି ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ତୁରନ୍ତ ଏହି କାର୍ଯ୍ୟ ହାତକୁ ନେବାକୁ ଦାବି କରିଥିଲେ । ତେବେ ରେଳମନ୍ତ୍ରୀ ତତକ୍ଷଣାତ ତାଙ୍କ ଚିଠିର ଜବାବ ଦେଇଥିଲେ । ଆଉ ଆଜି ନିର୍ବାଚନୀ ସଭାରେ ତାଙ୍କ ମୁହଁରୁ ଏଭଳି ଶୁଣିବାକୁ ମିଳିଛି ।
ସେହିଭଳି ପଦ୍ମପୁରରେ ଆୟୋଜିତ ନିର୍ବାଚନୀ ସଭାରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାର ଭାଷଣ ଦେଇ ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀର ମାରିଥିଲେ । ସେ କହିଥିଲେ, କେନ୍ଦ୍ର ସରକାର ଟଙ୍କା ଦେଇ ସାରିଛନ୍ତି । ମାତ୍ର ରାଜ୍ୟ ସରକାର ତାଙ୍କ ଦାୟିତ୍ୱ ତୁଲାଇନାହାନ୍ତି ।
ତେବେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ଦେଇଛି ବିଜେଡି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରେଳଲାଇନ୍ ଓ ଫସଲ ବୀମାକୁ ନେଇ କେନ୍ଦ୍ରମନ୍ତ୍ରୀ ବିଭ୍ରାନ୍ତ କରୁଛନ୍ତି । କେତେବେଳେ କ’ଣ କହୁଛନ୍ତି ସ୍ପଷ୍ଟ ହେଉନାହିଁ ।
୨୦୧୮ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ରେଳଲାଇନ୍ କୁ କେନ୍ଦ୍ର ଅନୁମୋଦନ କରିଥିବା ଘୋଷଣା କରିଥିଲେ । ମାତ୍ର କେନ୍ଦ୍ର ଗତ ୪ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କୁ ଜମି ମାଗିନାହାନ୍ତି । ରେଳ ପ୍ରକଳ୍ପ ପାଇଁ ଜମି ଏବଂ ପାଣ୍ଠି ଯୋଗାଇବା କେନ୍ଦ୍ରର ଦାୟିତ୍ୱ । ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱେଚ୍ଛାକୃତ ଭାବେ ୩୦୦ କୋଟି ଟଙ୍କା ସହିତ ଏହି ରେଳ ପ୍ରକଳ୍ପ ପାଇଁ ମାଗଣା ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହା ସତ୍ତ୍ୱେ କେନ୍ଦ୍ର ଏହି ପ୍ରକଳ୍ପ ଆରମ୍ଭ କରିନାହିଁ । ରାଜ୍ୟ ସରକାର ମାଗଣା ଜମି ଏବଂ ପାଣ୍ଠି ଯୋଗାଇ ଦେଇଥିଲେ ମଧ୍ୟ ଓଡ଼ିଶାରେ ଅନେକ ପ୍ରକଳ୍ପ ଆରମ୍ଭ ହୋଇନାହିଁ ।
ସେହିପରି ଫସଲ ବୀମାକ୍ଷେତ୍ରରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭ୍ରମିତ କରୁଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଫସଲ ବୀମା କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ଚାଷୀଙ୍କ ପାଖରେ ସହାୟତା ପହଞ୍ଚାଇବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଚାଷୀଙ୍କ କ୍ରୋଧର ସମ୍ମୁଖୀନ ହେଲା ପରେ ଯାଇ ଫସଲ ବୀମା ମଂଜୁର କରାଯାଇଛି । ମାତ୍ର ଭୋଟ ପାଇଁ ପଦ୍ମପୁର ଚାଷୀଙ୍କୁ ଭ୍ରମିତ କରାଯାଉଛି ବୋଲି ସେ କହିଛନ୍ତି ।