ଭୁୁବନେଶ୍ୱର: ଯୁବ ଉଦ୍ୟୋଗୀ, ସମାଜସେବୀ ତଥା ସୋସିଆଲ୍ ମିଡ଼ିଆରେ ସକ୍ରିୟ ରହୁଥିବା ସମ୍ବିତ ନନ୍ଦ ଓରଫ୍ ସୋମୁ ଆଉ ନାହାନ୍ତି । କଟକ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଦେଇଛନ୍ତି । ଫୁସଫୁସ୍ ସଂକ୍ରମଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କର ସେ ପୁଅ । ସମ୍ବିତଙ୍କ ମୃତ୍ୟୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିରେ ସୋସିଆଲ୍ ମିଡ଼ିଆ ଭରିଯାଇଛି ।
ସୋମୁଙ୍କର ଏପ୍ରିଲ୍ ୨୬ ତାରିଖ କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ସିଲଭର୍ ସିଟି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠି ଅବସ୍ଥା ଗୁରୁତର ହେବାରୁ ମେ’ ୩ ତାରିଖରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ସେ ନିମୋନିଆରେ ଆକ୍ରାନ୍ତ ହବା ସହ ଫୁସଫୁସ୍ ରେ ସଂକ୍ରମିତ ହୋଇଥିଲେ । ଅବସ୍ଥା ଗୁରୁତର ଥିବାରୁ ଭେଣ୍ଟିଲେଟରରେ ରହିଥିଲେ । ତାଙ୍କର ଚିକିତ୍ସା ପାଇଁ ଇସିଏମଓ ମେସିନ୍ ର ଆବଶ୍ୟକତା ଥିଲେ ମଧ୍ୟ ତାହା ଉପଲବ୍ଧ ହୋଇପାରି ନଥିଲା ।
ଗତକାଲିଠାରୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା । ତୁରନ୍ତ ଇସିଏମଓ ମେସିନ୍ ଯୋଗାଇ ତାଙ୍କ ପୁଅର ଜୀବନ ବଞ୍ଚାଇବାକୁ ଆଜି ସକାଳେ ଶ୍ରୀ ନବୀନ ନନ୍ଦ ଟ୍ୱିଟ୍ କରି ସମସ୍ତଙ୍କୁ ଆକୁଳ ନିବେଦନ କରିଥିଲେ । ମାତ୍ର କେହି ସାହାଯ୍ୟ କରିବା ପୂର୍ବରୁ ସୋମୁଙ୍କ ଜୀବନ ଚାଲିଯାଇଥିଲା । ପୁଅର ମୃତ୍ୟୁ ପାଇଁ ପ୍ରାଥମିକ ଅବସ୍ଥାରେ କଟକ ସିଲଭର୍ ସିଟି ହସ୍ପିଟାଲ୍ ଅବହେଳାକୁ ଶ୍ରୀ ନନ୍ଦ ଦାୟୀ କରିଛନ୍ତି ।
ବାପା ମାଆଙ୍କ ବ୍ୟତୀତ ସୋମୁଙ୍କର ପତ୍ନୀ ଏବଂ ୮ ବର୍ଷର ଝିଅ ଅଛନ୍ତି । କୁନିଝିଅ ତାଇକୋଣ୍ଡାରେ ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ଏବଂ ଜଣେ ଭଲ ଡ୍ୟାନସର୍ ମଧ୍ୟ ।