ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଏହା ଡିପ୍ରେସନ୍ ବା ଅବପାତର ରୂପ ନେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହେବ । କ୍ରମଶଃ ଘନୀଭୂତ ହୋଇ ୨୬ ତାରିଖ ସଂଧ୍ୟାରେ ସିଭିୟର୍ ସାଇକ୍ଲୋନ୍ ବା ଅତି ଭୀଷଣ ବାତ୍ୟା ରୂପରେ ଏହା ଉତ୍ତର ଓଡ଼ିଶା- ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳ ଅତିକ୍ରମ କରିବ । ସେତେବେଳେ ଘଣ୍ଟା ପ୍ରତି ପବନର ବେଗ ରହିବ ୧୨୦ ରୁ ୧୬୫ କିମି । ସ୍ଥଳବିଶେଷରେ ପବନର ବେଗ ବଢ଼ି ୧୮୫ କିମି ହୋଇପାରେ । ତେବେ ନିର୍ଦ୍ଦଷ୍ଟ ଭାବେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ଆସନ୍ତାକାଲି ସ୍ପଷ୍ଟ ହେବ ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି । ତାଙ୍କର ଆକଳନ ଅନୁଯାୟୀ ୨୪ ତାରିଖ ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ ରୁ ୫୦ କିମି ବେଗରେ ପବନ ବହିବ ଏବଂ ଧୀରେ ଧୀରେ ପବନର ବେଗ ୫୦ ରୁ ୬୦ କିମି ହେବ । ୨୬ ସକାଳେ ପବନର ବେଗ ଅଧିକ ହେବ । ଉତ୍ତର ଓଡ଼ିଶାରେ ୨୫ ତାରିଖରୁ ବର୍ଷା ଆରମ୍ଭ ହେବ ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଧ୍ୟ ସମାନ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ବାତ୍ୟା ୟାସ୍ ର ଲ୍ୟାଣ୍ଡଫଲ୍ ସ୍ଥାନ ଜଣାପଡ଼ି ନ ଥିଲେ ମଧ୍ୟ ଏଥିରେ ଉତ୍ତର ଓଡ଼ିଶା ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି ଏବଂ ସବୁ ବିଭଗକୁ ସଜାଗ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି । କୃଷକମାନେ ସେମାନଙ୍କ କୃଷିଜାତ ସାମଗ୍ରୀକୁ ସୁରକ୍ଷିତ ଜାଗାକୁ ନେଇ ଆସିବାକୁ ସେ ଅନୁରୋଧ କରିଛନ୍ତି ।
ଲୋକଙ୍କୁ ସୁରକ୍ଷିତ ଜାଗା ସ୍ଥାନାନ୍ତରଣକୁ ପ୍ରାଥମିକତା ଦିଆଯାଇଛି । ସରପଞ୍ଚ, ୱାର୍ଡ ମେମ୍ବର, ମିଶନ ଶକ୍ତି ସ୍ଥାନାନ୍ତରଣରେ ସାହାଯ୍ୟ କରିବେ । ସେହିଭଳି କୋଭିଡ୍ କଟକଣା ଭିତରେ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଏଥିରେ ସ୍ଥାନୀୟ ପ୍ରଶାସନକୁ ଏନଜିଓମାନଙ୍କ ସହଯୋଗ ଲୋଡ଼ାଯାଇଛି । ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା ନ କରି ପ୍ରଶାସନର ନିଦେ୍ର୍ଦଶ ମାତ୍ରେ ଲୋକମାନେ ଆଶ୍ରୟସ୍ଥଳ ଯାଆନ୍ତୁ ବୋଲି ଏସଆରସି ଅନୁରୋଧ କରିଛନ୍ତି । ଆସନ୍ନ ପ୍ରସବ ଗର୍ଭବତୀ ମହିଳାମାନେ ଆଶ୍ରୟସ୍ଥଳୀ ନ ଆସି ଆଗୁଆ ମେଡିକାଲ୍ ରେ ଯାଇ ରହିବାକୁ କୁହାଯାଇଛି ।
ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବେ । ୧୪ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ ।