ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ଆସନ୍ତାକାଲି ଲଘୁଚାପରେ ପରିଣତ ହେବ । ୨୩ ତାରିଖରେ ଅବପାତର ରୂପ ନେଇ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । କ୍ରମଶଃ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ବାତ୍ୟା ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତେବେ ଏହାର ଗତି, ବେଗ ଓ ତୀବ୍ରତା ନେଇ ସୂଚନା ଆସି ନ ଥିବା କହିଛନ୍ତି ।
ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର ସୂଚନା କହୁଛି, ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ମେ’ ୨୫ ତାରିଖ ସୁଦ୍ଧା ଘୂର୍ଣ୍ଣିଝଡ଼ରେ ପରିଣତ ହେବ । ଏହା ମୁଖ୍ୟତଃ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ମୁହାଁ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରିବ । ଏହି ଘୂର୍ଣ୍ଣିଝଡ଼ ଭଦ୍ରକ କିମ୍ବା ବାଲେଶ୍ୱର ଜିଲ୍ଲା ଅଥବା ପଶ୍ଚିମବଙ୍ଗର ଦିଘା ଉପକୂଳ ଦେଇ ଗତି କରିପାରେ ବୋଲି କହିଛନ୍ତି କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ।
ସମ୍ଭାବ୍ୟ ବାତ୍ୟା ‘ୟାସ୍’ ର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସମୀକ୍ଷା ବୈଠକ କରିଥିଲେ । କୋଭିଡ୍ କଟକଣା ମାନି ସୁରକ୍ଷା ବ୍ୟବସ୍ଥା ଉପରେ ଜୋର୍ ଦିଆଯାଇଥିଲା । ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଛନ୍ତି, ବାତ୍ୟା ହେଲେ ଆମେ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ସମୁଦ୍ରରୁ ଅଧିକାଂଶ ମତ୍ସ୍ୟଜୀବୀ ଚାଲି ଆସିଲେଣି । କାଳି ସକାଳ ସୁଦ୍ଧା ସମସ୍ତେ ଫେରି ଆସିବେ । କୋଷ୍ଟଗାର୍ଡର ଦୁଇଟି ବିମାନ ଓ ଦୁଇଟି ଜାହାଜ ସମୁଦ୍ରରେ ପଇଁତରା ମାରୁଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନାକୁ ସଜାଗ ରଖାଯାଇଛି । ଏଥିସହ ୧୭ଟି ଏନଡିଆରଏଫ, ୨୦ ବାଟାଲିଅନ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି । ଶହେରୁ ଅଧିକ ଅଗ୍ନିଶମ ଟିମ୍ ବି ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ କ୍ଷତିଗ୍ରସ୍ତ ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀ ଅଧିକରୁ ଅଧିକ କରିବାକୁ ପ୍ରସ୍ତୁତି ଚାଲିଛି ।