ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶହ ଶହ ବର୍ଷର ପୁରାତନ ମଠ ବର୍ଷେ ହେଲା ମାଟିରେ ମିଶିଗଲାଣି । ବିନା ବିରୋଧରେ ଶହ ଶହ ଦୋକାନ ଘର କେବେଠୁ ଉଚ୍ଛେଦ ସରିଲାଣି । ଏବେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ଅର୍ଥାତ ନେଡ଼ି ଗୁଡ କହୁଣୀକୁ ବୋହିସାରିଛି । ଆଉ ଏତିକିବେଳେ ବିକାଶ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ । ଏଏସଆଇ କି ଏନଏମଏ ଅନୁମୋଦନ ପ୍ରସଙ୍ଗ ଭିତରକୁ ନ ଯାଇ ସିଧାସଳଖ ପୁରୀରେ ବିକାଶ ନାଁରେ ଚାଲିଥିବା କାର୍ଯ୍ୟକୁ ସେ ନାପସନ୍ଦ କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଗତକାଲି ଗୋବର୍ଦ୍ଧନ ମଠ ପରିସରରେ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗବେଷକ, ସଂଗଠକ ଓ ଐତିହ୍ୟ ବିଶାରଦମାନଙ୍କୁ ନେଇ ଦୀର୍ଘ ୫ ଘଣ୍ଟା କାଳ ଅଲୋଚନା ହୋଇଥିଲା । ସବୁବର୍ଗର ଲୋକଙ୍କଠାରୁ ଶୁଣିବା ପରେ ଶଙ୍କରାଚାର୍ଯ୍ୟ ଆଜି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ।
ସେଥିରେ କହିଛନ୍ତି, ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି । ଆମେ ବିକାଶ ଚାହୁଁଛୁ ମାତ୍ର ଅସ୍ଥିତ୍ୱ ବିଲୋପର ପକ୍ଷରେ ନାହୁଁ । ପ୍ରଶସ୍ତ ମାର୍ଗ ନାଁରେ ମଠଗୁଡ଼ିକୁ ଭାଙ୍ଗି ଦିଆଗଲା । ଦେବୀ ଦେବତା ମନ୍ଦିର ବି ବିଲୁପ୍ତ କରିଦିଆଯାଉଛି । ପୁରୀ ହେଉଛି ଧାର୍ମିକ ରାଜଧାନୀ । ଏହାକୁ ବିକୃତ ଓ ବିଲୁପ୍ତ କରା ନ ଯାଉ । ମାର୍ଗ ପ୍ରଶସ୍ତ ନାଁରେ ପ୍ରଦର୍ଶନ ସ୍ଥଳୀ ପିକନିକ୍ ସ୍ଥଳୀ କରିବା ଠିକ୍ ନୁହେଁ । ଶାସନତନ୍ତ୍ର ଲୋକମତକୁ ନେଇ ବଳଶାଳୀ ଭାବିବା ଉଚିତ ନୁହେଁ । ତପସ୍ଥଳୀକୁ ଭୋଗସ୍ଥଳୀ ସୁର-ସୁନ୍ଦରୀଙ୍କ ସ୍ଥାନ କଲେ ଦେବୀ ଦେବତା କୋପ କରିବେ । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋ କଥାକୁ ଅନୁଧ୍ୟାନ କରନ୍ତୁ । ମଠ ଭଙ୍ଗା ପାଇଁ ଦୁଃଖ ପ୍ରକାଶ କରନ୍ତୁ । ଭବିଷ୍ୟତରେ ଆଉ ନ କରନ୍ତୁ ।
ରାଜ୍ୟ ସରକାରଙ୍କ ଉପରେ ଶଙ୍କରାଚାର୍ଯ୍ୟ ଏଭଳି ବର୍ଷିବା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି । ତେବେ ଶଙ୍କରାଚାର୍ଯ୍ୟଙ୍କ ଆଭିମୁଖ୍ୟକୁ ଅଧିକାଂଶ ସେବାୟତ କିନ୍ତୁ ଗ୍ରହଣ କରିନାହାନ୍ତି । ‘ମଠ ଭଙ୍ଗାହେଲା ବେଳେ ଆମେ ସମସ୍ତେ ଯାଇ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ମାତ୍ର ସେ ଧ୍ୟାନ ଦେଇ ନ ଥିଲେ । ଏବେ ସବୁ ସରି ପ୍ରକଳ୍ପ କାମ ଆଗକୁ ଯିବା ବେଳେ ତାଙ୍କର ସ୍ୱର ଶୁଭୁଛି । ଏହା ଠିକ୍ ନୁହେଁ’ ବୋଲି ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି । କୌଣସି ପରିସ୍ଥିତିରେ ପ୍ରକଳ୍ପ ବନ୍ଦ ନହେଉ ବୋଲି ସେ ମତ ଦେଇଛନ୍ତି ।
ବିଜେପି ମୁଖପାତ୍ର ଡ. ଯତୀନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳ ବିକାଶକୁ ବିରୋଧ କରୁନି । ମାତ୍ର ଆଇନ ଅନୁସାରେ ନିର୍ମାଣ କାର୍ଯ୍ୟ ହେଉ । ସେ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହୁ । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ସମସ୍ତଙ୍କ ସାମନାରେ ରଖିବାକୁ ସେ ଦାବି କରିଛନ୍ତି ।
ଏହାର ଜବାବରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦିତ । ସାଧାରଣ ଜନତା ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ୍ ଡୋମେନରେ ରଖାଯାଇଥିଲା । ଏହାପରେ ଯାଇ ପରିଚାଳନା କମିଟି ଦ୍ୱାରା ଯୋଜନା ଅନୁମୋଦିତ ହୋଇଥିଲା । ରାଜ୍ୟ ସରକାର ଯୋଜନାକୁ ଓଡ଼ିଶା ବିଧାନସଭାକୁ ଆଣିଥିଲେ । ସମସ୍ତ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା ।
ଯୋଜନା ଅନୁମୋଦନ ପାଇଁ ଏନଏମଏକୁ ପଠାଯାଇଥିଲା ଏବଂ ଏନଏମଏ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ଏହାପରେ ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଏହି ସମାରୋହ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହାପରେ ଯାଇ କାମ ଆରମ୍ଭ ହେଲା ।
ଏଏସଆଇର କିଛି ପରାମର୍ଶକୁ ଗ୍ରହଣ କରାଯାଇ ଯୋଜନାରେ ସଂଶୋଧନ କରାଯାଇଥିଲା ବୋଲି ମଧ୍ୟ ବିଜେଡ଼ି ମୁଖପାତ୍ର କହିଛନ୍ତି । ରାଜ୍ୟ ସରକାର ସମସ୍ତଙ୍କ ସ୍ୱୀକୃତିରେ କାମ ଆରମ୍ଭ କରିଥିବାରୁ ଏଥିରେ ପ୍ରତିବନ୍ଧକ ସୃଷ୍ଟି ନ କରିବାକୁ ଅନୁରୋଧ କରିଛନ୍ତି । ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ପରିକ୍ରମା ପ୍ରକଳ୍ପକୁ ସମର୍ଥନ ପାଇଁ ସେ ସହଯୋଗ କାମନା କରିଛନ୍ତି ।