ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ହେଭିୱେଟ୍ କପିଲ ସିବଲ୍ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ମେ’ ୧୬ ତାରିଖରୁ ସେ ଇସ୍ତଫା ଦେଇ ସାରିଥିବା ଆଜି ଗଣମାଧ୍ୟମକୁ ଜଣାଇଛନ୍ତି । ଏଥିସହ ସମାଜବାଦୀ ପାର୍ଟି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନାମାଙ୍କନ ଦାଖଲ କରି ସମସ୍ତଙ୍କୁ ଚକିତ କରିଛନ୍ତି ।
ଆଜିର ଘଟଣା ସମ୍ପୂର୍ଣ୍ଣ ନାଟକୀୟ ଥିଲା । କପିଲ ଶିବଲ୍ ସ୍ୱାଧୀନ ଭାବେ ରାଜ୍ୟସଭା ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିଲେ । ସାଙ୍ଗରେ ଥିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ସାଂସଦ ରାମ ଗୋପାଳ ଯାଦବ । ସେମାନଙ୍କ ଉପସ୍ଥିତିରେ କପିଲ ନାମାଙ୍କନପତ୍ର ଦାଖଲ କରିବା ପରେ ଗଣମାଧ୍ୟମ ଆଗରେ ଗୁମର ଖୋଲିଥିଲେ । ମେ’ ୧୬ ରୁ ସେ କଂଗ୍ରେସ ଦଳ ଛାଡ଼ି ସାରିଥିବା ଜଣାଇଥିଲେ । ସେ ରାଜ୍ୟସଭା ପାଇଁ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଏବଂ ସମାଜବାଦୀ ପାର୍ଟି ତାଙ୍କୁ ସମର୍ଥନ ଦେଇଥିବା କହିଥିଲେ ।
କପିଲ୍ ଙ୍କୁ ସମାଜବାଦୀ ପାର୍ଟିର ସମର୍ଥନ ନେଇ ଅଖିଳେଶ ଯାଦବ ମଧ ଗଣମାଧ୍ୟମକୁ ଜଣାଇଥିଲେ । ସମାଜବାଦୀ ପାର୍ଟି ବାକି ଦୁଇଟି ଆସନରେ ପ୍ରାର୍ଥୀ ଦେବ ବୋଲି ସେ କହିଥିଲେ ।
ସୂଚନାଯୋଗ୍ୟ, କପିଲ ସିବଲ୍ ଗତଥର ଉତ୍ତର ପ୍ରଦେଶରୁ କଂଗ୍ରେସ ସଦସ୍ୟ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ଜୁଲାଇ ୪ ରେ ସରୁଛି । ଉତ୍ତରପ୍ରଦେଶରେ ତାଙ୍କ ଆସନକୁ ମିଶାଇ ୧୧ ଆସନ ଖାଲି ହେଉଛି । ସେଥିପାଇଁ ଜୁନ୍ ୧୦ ତାରିଖରେ ନିର୍ବାଚନ ହେବ । ଗତଥର ଏହି ୧୧ ଆସନରେ ବିଜେପି ୫, ସମାଜବାଦୀ ପାର୍ଟି ୪, ବିଏସପି ୨ ଏବଂ କଂଗ୍ରେସ ୧ ଥିଲା । ଏଥର ୟୁପି ବିଧାନସଭାରେ କଂଗ୍ରେସର ମାତ୍ର ୨ ଜଣ ଏବଂ ବିଏସପିର ଜଣେ ସଦସ୍ୟ ଥିବାରୁ ସେମାନଙ୍କ ଭାଗରେ ରାଜ୍ୟସଭା ଆସନ ପଡ଼ିବ ନାହିଁ । ସୁତରାଂ କଂଗ୍ରେସରୁ କପିଲ ସିବଲ୍ ପୁଣି ଥରେ ରାଜ୍ୟସଭାକୁ ଯିବା ସମ୍ଭବ ନ ଥିଲା ।
କଂଗ୍ରେସ ସହିତ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରିଥିବା କପିଲ ସିବଲ୍ ଉପା ସରକାରର ଦୁଇଟି ଯାକ ଟର୍ମରେ ତିନି ତିନି ଥର ମନ୍ତ୍ରୀ ହୋଇଥିଲେ । ଗତ ଦୁଇବର୍ଷ ଧରି ଗାନ୍ଧୀ ପରିବାର ସହ ତାଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥିଲା । ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ଅସନ୍ତୁଷ୍ଟ ନେତାଙ୍କ(ଜି-୨୩) ଗ୍ରୁପର୍ ସେ ଥିଲେ ପ୍ରମୁଖ । କଂଗ୍ରେସରେ ଗାନ୍ଧୀ ପରିବାର ନେତୃତ୍ୱ ନ ବଦଳିଲେ ଦଳ ଉଧେଇ ପାରିବନି ବୋଲି ଗତବର୍ଷ ଅଗଷ୍ଟ ମାସରେ ସୋନିଆ ଗାନ୍ଧୀଙ୍କୁ ତାଙ୍କର ଚିଠି ଝଡ଼ ସୃଷ୍ଟି କରିଥିଲା ।
ନିକଟରେ ଉଦୟପୁରଠାରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବିରରେ ସେ ଯୋଗ ଦେଇ ନ ଥିଲେ । ଶିବିର ୧୫ ତାରିଖରେ ସରିଥିବା ବେଳେ ସେ ୧୬ ତାରିଖରେ ଦଳରୁ ଇସ୍ତଫା ଦେଇଛନ୍ତି । କପିଲ ସିବଲ୍ ଙ୍କ ଇସ୍ତଫା କଂଗ୍ରେସ ପାଇଁ ଶକ୍ତ ଝଟକା ହୋଇଛି । ଗତ ୫ ମାସରେ ସିବଲ୍ ଙ୍କୁ ମିଶାଇ ୫ ହାଇ ପ୍ରୋଫାଇଲ ନେତା କଂଗ୍ରେସ ଛାଡ଼ିଲେଣି ।