ଭୁବନେଶ୍ୱର: କର୍ପୋରେଟ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ସଂତୃପ୍ତ ମିଶ୍ର ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି । ନବୀନ ବାବୁଙ୍କ ଆଦର୍ଶ, ବିଚାରାଧାରା ଓ ତଥା ବିକାଶମୂଳକ କାର୍ଯ୍ୟ ତାଙ୍କୁ ଅନୁପ୍ରାଣିତ କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ବିକାଶାଧାରାରେ ନିଜକୁ ସାମିଲ କରିବାକୁ ସେ କର୍ପୋରେଟ୍ ଚାକିରି ଛାଡ଼ି ରାଜନୀତିକୁ ଆସିଛନ୍ତି । ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ସୁଚାରୂପେ ନିର୍ବାହ କରିବେ ବୋଲି ଏହି ଅବସରରେ ଗଣମାଧ୍ୟମକୁ ସେ ପ୍ରତିକ୍ରିୟା ଦେଇଛନ୍ତି ।
ଗୁୁରୁତ୍ୱପୂର୍ଣ୍ଣ କଥା ହେଉଛି, ନବୀନ ନିବାସ ଆସି ସଂତୃପ୍ତ ବିଜେଡିରେ ଯୋଗଦେବାର କିଛି କ୍ଷଣ ମଧ୍ୟରେ ତାଙ୍କୁ ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ସହ ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ଦଳର ମୁଖପାତ୍ର ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି ।
ପୁରୀ ଜିଲ୍ଲାର ବୀରପ୍ରତାପପୁରରେ ଜନ୍ମିତ ଓ କଟକରେ ପାଳିତ ସଂତୃପ୍ତ ମିଶ୍ର କର୍ପୋରେଟ ଜଗତରେ ଦୀର୍ଘ ୨୮ ବର୍ଷ କାମ କରିଛନ୍ତି । ଆଦିତ୍ୟ ବିର୍ଲା ଏଚଆର ଗ୍ରୁପ୍ ର ସେ ନିଦେ୍ର୍ଦଶକ ଥିଲେ । ଗତ ଡିସେମ୍ବର ମାସରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ତାଙ୍କର ଦକ୍ଷତା ଓ ଅଭିଜ୍ଞତାକୁ ଆଖିରେ ରଖି ନିକଟ ଅତୀତରେ ରାଜ୍ୟ ସରକାର ତାଙ୍କୁ ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ ।
ସଂତୃପ୍ତ ବିଜେଡିରେ ଯୋଗଦେବା ପରେ ତାଙ୍କୁ ନେଇ ଦୁନିଆ ଚର୍ଚ୍ଚା ଆରମ୍ଭ ହୋଇଛି । ଦଳରେ ଯୋଗଦେବା କ୍ଷଣି ମୁଖ୍ୟମନ୍ତ୍ରୀ ତାଙ୍କୁ ଜାତୀୟ ମୁଖପାତ୍ର ନିଯୁକ୍ତି ଦେଇଥିବାରୁ ତାଙ୍କର ଗୁରୁତ୍ୱ ବାରି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇବେ ବୋଲି ଜୋର୍ ଚର୍ଚ୍ଚା ହେଉଛି । ସୂଚନାଥାଉକି, ଆସନ୍ତା ମାସରେ ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ହେଉଛି । ସେଥିପାଇଁ ଆସନ୍ତା ୨୭ ତାରିଖରେ ନିର୍ବାଚନ ହେବ । ଏହି ତିନୋଟି ଯାକ ଆସନ ବିଜେଡି ହାତରେ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମସ୍ତଙ୍କର ଅପେକ୍ଷା ରହିଛି ।
ତେବେ କେବଳ ରାଜ୍ୟସଭା ଚର୍ଚ୍ଚାରେ ସୀମିତ ନାହାନ୍ତି ସଂତୃପ୍ତ । ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ଲୋକସଭା ପ୍ରାର୍ଥୀ କରିପାରେ ବୋଲି ମଧ୍ୟ କୁହାଯାଉଛି । କଟକ ଆସନରୁ ସେ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି କିଛି ମହଲରେ ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ଜନ୍ମସ୍ଥାନ ପୁରୀରୁ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଉ କିଛି ମହଲରୁ ଶୁଣିବାକୁ ମିଳୁଛି । ତେବେ ଏହି ସବୁ ଚର୍ଚ୍ଚା ଆଲୋଚନାକୁ ହସରେ ଉଡ଼ାଇ ଦେଇଛନ୍ତି ସଂତୃପ୍ତ । ମୁଖ୍ୟମନ୍ତ୍ରୀ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେବେ ତାହାକୁ ସେ ଗ୍ରହଣ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।