ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର । ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ଇସ୍ତଫାର କାରଣ ସମ୍ପର୍କରେ ସେ ମୁହଁ ଖୋଲି ନ ଥିଲେ ମଧ୍ୟ ଦଳ ତାଙ୍କୁ ବାହାର କରିବା ପୂର୍ବରୁ ନିଜେ ବାହାରି ଯାଇଥିବା ଜଣାପଡ଼ିଛି ।
ସସ୍ମିତଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇବା ପାଇଁ ସୋମବାର ଦିନ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା । ସସ୍ମିତଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଦଳର ୪ ଜଣ ସାଂସଦ ଦେବାଶିଷ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ଶୁଭାଷିଶ ଖୁଣ୍ଟିଆ ସଭାପତିଙ୍କୁ ଚିଠି ଲେଖିଥିଲେ । ବିଜୁ ବାବୁଙ୍କୁ ଅପମାନିତ କରି ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟକୁ ରାଜ୍ୟସଭାରେ ଯେଉଁ ଢ଼ଙ୍ଗରେ ପ୍ରତିବାଦ କରାଯିବା କଥା ତାହା କରାଯାଇ ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତାଙ୍କ ଉପରକୁ ବିପଦ ଆସୁଥିବା ନିଶ୍ଚିତ ହେଲା ପରେ ସସ୍ମିତ୍ ନିଜ ଆଡୁ ସଂସଦୀୟ ଦଳର ନେତା ପଦ ଛାଡ଼ିଥିବା କୁହାଯାଉଛି ।
ସୂଚନାଥାଉକି, ୨୦୨୨ ମସିହାରୁ ସସ୍ମିତ୍ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ରହିଥିଲେ । ତାଙ୍କର ପ୍ରଦର୍ଶନ ଉଚ୍ଚକୋଟିର ଥିଲା । ତେବେ ୱକଫ୍ ବିଲ୍ ପ୍ରସଙ୍ଗରେ ସେ ବିବାଦରେ ଫସିଥିଲେ । ବିଲ୍ ବିରୋଧରେ ବିଜେଡି ଭୋଟ୍ ଦେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସାଂସଦମାନଙ୍କ ବିବେକ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ଏଥିପାଇଁ ସସ୍ମିତଙ୍କ ଉପରେ ବର୍ଷିଥିଲେ ଦେବାଶିଷ ସାମନ୍ତରାୟ । ଦେବାଶିଷ ଏହି ଭୋଟଦାନରୁ ବିରତ ରହିଥିଲା ବେଳେ କେବଳ ମୁନ୍ନା ଖାଁ ବିଲ୍ ବିପକ୍ଷରେ ଭୋଟ ଦେଇଥିଲେ । ଅନ୍ୟମାନେ ବିଲ୍ ସପକ୍ଷରେ ଯାଇଥିଲେ ।