ଭୁବନେଶ୍ୱର: ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ।
ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି –
(୧) ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠ, ଶାସନ ଆମ୍ବଗାଁ ପଞ୍ଚାୟତ
(୨) କୁମାରପାଣି ହାଇସ୍କୁଲ, କୁମାରପାଣି ପଞ୍ଚାୟତ
(୩) ସରକାରୀ ୟୁଜି ହାଇସ୍କୁଲ, ସାପୁଆପଲ୍ଲୀ, ଦାରୁଭଦ୍ର ପଞ୍ଚାୟତ
(୪) ଲାଞ୍ଜିଆପଲ୍ଲୀ ହାଇସ୍କୁଲ, ଧନତରା ପଞ୍ଚାୟତ
(୫) ଗ୍ରାମପଞ୍ଚାୟତ ହାଇସ୍କୁଲ, ଶାହାପୁର ପଞ୍ଚାୟତ
(୬) କରଡ଼କଣା ହାଇସ୍କୁଲ, କରଡକଣା ପଞ୍ଚାୟତ
(୭) ଭଗବତୀ ବିଦ୍ୟାପୀଠ, ବୁରୁପଦ ପଞ୍ଚାଯତ
(୮) ସହିଦ୍ ହାଇସ୍କୁଲ, ଟକରଡା ପଞ୍ଚାୟତ
(୯) ମା କାଳୀ ହାଇସ୍କୁଲ, କୁଳାଗଡା ପଞ୍ଚାୟତ
(୧୦) ଜେ.ସି.ସି. ହାଇସ୍କୁଲ, ଭାବନ୍ଧ ପଞ୍ଚାୟତ
ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ୫-ଟି କାର୍ଯ୍ୟକ୍ରମ ଏହି ରୂପାନ୍ତରୀକରଣ ରେ କିପରି ପ୍ରମୁଖ ଭୂମିକା ନେଇଛି ସେ ସଂପର୍କରେ ଆଲୋକପାତ କରିଥିଲେ ମୁଖ୍ୟମନ୍ତ୍ରୀ । ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହା ଠାରୁ କମ୍ ନୁହନ୍ତି । ସେମାନଙ୍କ ପାଖରେ ଭରପୁର ସମ୍ଭାବନା ରହିଛି । ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମନ୍ତ୍ରୀ ଓ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କିପରି ଭଲ ଭାବରେ କାର୍ଯ୍ୟକାରୀ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ଗଞ୍ଜାମରେ ଯେପରି ସଫଳତା ମିଳିଛି, ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ସେହିପରି ଲୋକଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମନ୍ତ୍ରୀମଣ୍ଡଳର ସଦସ୍ୟ ,ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ୫-ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ । ଗଞ୍ଜାମ ଜିଲ୍ଳାପାଳ ସ୍ଵାଗତ ଭାଷଣ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ପ୍ରତାପ ଜେନା , ରଣେନ୍ଦ୍ର ପ୍ରତାପ ସ୍ବାଇଁ , ଅଶୋକ ପଣ୍ଡା ,ରଘୁନନ୍ଦନ ଦାସ ଓ ବିଧାୟକ ମାନେ ଯୋଗ ଦେଇଥିଲେ । ଲୋକସେବା ଭବନରୁ ମୋ ସ୍କୁଲର ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ବାଗଚୀ ,ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଥିଲେ ।