ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୬ ଗାଇଡଲାଇନ୍ ଜାରି କରାଯାଇଛି । ନଭେମ୍ବର ୧୬ ରୁ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଏସଓପି ଅନୁସାରେ ଏହା ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ନବମରୁ ଦ୍ୱାଦଶ ଶ୍ରେଣୀ ଛଡ଼ା ଅନ୍ୟ ପିଲାଙ୍କ ପାଇଁ ନଭେମ୍ବର ମାସ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
ଅନ୍ୟପକ୍ଷରେ, ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନ ଉପରେ ଛାଡ଼ିଛନ୍ତି । ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲି ପାରିବ । ଅନୁମତି ନେଇ ପୂଜାର୍ଚ୍ଚନା ମଧ୍ୟ କରାଯାଇପାରିବ ।
ନଭେମ୍ବର ୧୫ ଯାଏଁ ସିନେମା ହଲ୍, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ସେହିଭଳି ଆନ୍ତର୍ଜାତୀୟ ବିମାନ ଚଳାଚଳ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ।
ବାହାଘର ଓ ଅନ୍ତିମ ସଂସ୍କାର ନିୟମକୁ କୋହଳ କରାଯାଇଛି । ଏଣିକି ବାହାଘରରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ । ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ । ତେବେ ବଡ଼ ଧରଣର ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶକୁ ବାରଣ କରାଯାଇଛି ।
କଣ୍ଟେନମେଣ୍ଟ ଜୋନ୍ ରେ ଲକଡାଉନ୍ କଟକଣା ଜାରି ରହିବ । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ଏହା ସ୍ଥିର କରିବେ ।
ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ କୋଭିଡ୍ ନିୟମ ପାଳନ କରିବା ବାଧ୍ୟତାମୂଳକ ବୋଲି ଗାଇଡଲାଇନ୍ ରେ କୁହାଯାଇଛି ।