ଭୁବନେଶ୍ୱର: ଖାଲି ୱେବ୍ ଚାନେଲ୍ ନୁହେଁ, ବଡ ଟିଭିରେ ବି ମାଳ ମାଳ ନକଲି ସାମ୍ବାଦିକ । ନିକଟରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବିଇଓଙ୍କୁ ଧମକାଇ ବଟି ଅସୁଲ କରୁଥିବା ୩ ଟିଭି, ଖବରକାଗଜ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଛି । ତେବେ ଆଶ୍ଚର୍ଯ୍ୟର କଥା ଏହି ଖବରଟି ସଂପୃକ୍ତ ଗଣମାଧ୍ୟମରେ କିନ୍ତୁ ଚପିଯାଇଛି । ଭୁବନେଶ୍ୱରରେ ଦଲାଲି କରୁଥିବା ୬ ୱେବ୍ ଚାନେଲ୍ ର ନକଲି ସାମ୍ବାଦିକଙ୍କୁ ପୁଲିସ ଗିରଫ କରିବା ଘଟଣାକୁ ପ୍ରମୁଖ ଗଣମାଧ୍ୟମ ବଡ଼ ଖବର କରିଥିବା ବେଳେ ବୁଗୁଡ଼ା ଘଟଣାରେ ସେମାନଙ୍କ ନିରବତା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି । ସୋସିଆଲ୍ ମିଡ଼ିଆ ନ ଥିଲେ ହୁଏତ ଏହି ଖବରଟି ଲୋକଲୋଚନକୁ ଆସି ପାରି ନ ଥାଆନ୍ତା ।
ବୁଗୁଡ଼ା ବ୍ଲକ୍ ଏଜୁକେସନ୍ ଅଫିସ(ବିଇଓ) ରସାନନ୍ଦ କରଙ୍କୁ ବ୍ଲାକମେଲିଂ କରି ଗିରଫ ହୋଇଥିବା ସାମ୍ବାଦିକମାନେ ହେଲେ ଓଟିଭି ସାମ୍ବାଦିକ ଆଲୋକ ଗୌଡ଼, ପ୍ରମେୟ ସାମ୍ବାଦିକ କାଳିଆ ପାଢ଼ୀ ଏବଂ ବଡ଼ ଖବର ସାମ୍ବାଦିକ ମନୋଜ କୁମାର ଘଡ଼େଇ । ବିଇଓଙ୍କ ଏତଲା ଭିତ୍ତିରେ ପୁଲିସ ସେମାନଙ୍କ ବିରୋଧରେ ୩୫୩, ୩୮୫, ୫୦୬, ୫୦୭ ଓ ୩୪ ଆଇପିସିରେ ମାମଲା ରୁଜୁ କରିଛି ।
ଏତଲାରେ ଶ୍ରୀ କର ଦର୍ଶାଇଛନ୍ତି, ଗତ ୧୬ ତାରିଖ ଦିନ ୧୦.୩୦ରେ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ତାକରଡ଼ାରେ ସ୍କୁଲ ପରିଚ୍ଛନ୍ନତା ଅନୁଧ୍ୟାନ କରିବାକୁ ସେ ଯାଇଥିଲେ । ତେଣୁ ଅଫିସରେ ଅନୁପସ୍ଥିତ ଥିଲେ । ସେହି ସମୟରେ ବଡ଼ ଖବରର ପୋଲସରା ପ୍ରତିନିଧି ମନୋଜ କୁମାର ଘଡ଼େଇ, ଓଟିଭିର ବୁଗୁଡ଼ା ପ୍ରତିନିଧି ଆଲୋକ ଗୌଡ଼ ଏବଂ ବୁଗୁଡ଼ା ପ୍ରମେୟ ପ୍ରତିନିଧି କାଳିଆ ପାଢ଼ୀ ତାଙ୍କ ଅଫିସ୍ ଚାମ୍ବରରେ ପଶି ଫଟୋ ଉଠାଇଥିଲେ । ବିଇଓ ଅଫିସ୍ ରେ ଅନୁପସ୍ଥିତ ଥିବାରୁ ଖବର କରିବେ ବୋଲି ଧମକାଇଥିଲେ । ଏ ସମ୍ପର୍କରେ ନିଜ କର୍ମଚାରୀଙ୍କଠାରୁ ସୂଚନା ପାଇ ବିଇଓ ତୁରନ୍ତ ପହଞ୍ଚିଥିଲେ ।
ଟଙ୍କା ଦେଲେ ଯାଇ ଖବର ଚାପିହେବ ବୋଲି ସେମାନେ ରୋକଠୋକ୍ ଜଣାଇ ଚାଲି ଯାଇଥିଲେ । ପରଦିନ ତାଙ୍କୁ ବାରମ୍ବାର ଫୋନ୍ କରି ଟଙ୍କା ମାଗିଥିଲେ । ବଡ଼ ଖବର ସାମ୍ବାଦିକ ମନୋଜ ଘଡ଼େଇ ୫ ହଜାର ଟଙ୍କା ଦାବି କରିଥିଲା ବେଳେ ପ୍ରମେୟ ସାମ୍ବାଦିକ କାଳିଆ ପାଢ଼ୀ ୧୫ ହଜାର ଟଙ୍କା ଏବଂ ଓଟିଭି ସାମ୍ବାଦିକ ଆଲୋକ ଗୌଡ଼ ଦାବି କରିଥିଲେ ୫ ହଜାର ଟଙ୍କା ।
ତେବେ ଏତେ ଟଙ୍କା ଦେଇପାରିବେନି ବୋଲି ବିଇଓ ଜଣାଇବାରୁ ସେମାନେ ଗତ ୧୯ ତାରିଖରେ ଏମବିସି ଟିଭିରେ ତାଙ୍କ ବିରୋଧରେ ଖବର କଲେ । ଏହାପରେ ମଧ୍ୟ ଟଙ୍କା ନ ଦେବାରୁ ସେମାନଙ୍କ ବ୍ଲାକମେଲିଂର ଶିକାର ହେଉଥିବା ବିଇଓ ତାଙ୍କ ଏତଲାରେ ଦର୍ଶାଇଥିଲେ । ବଡ଼ ଖବର ସାମ୍ବାଦିକ ଶ୍ରୀ ଘଡେଇ ଫୋନ୍ କରି ୫୦ ହଜାର ଟଙ୍କା ଦେଇଦେବାକୁ ଧମକାଉଥିବା ଏବଂ ଟଙ୍କା ନ ଦେଲେ ତମ ବିରୋଧରେ ଆହୁରି ଖବର କରାଯିବ ବୋଲି ଡରୋଉଥିବା ବିଇଓ ଦର୍ଶାଇଥିଲେ ।
ସେ ଜଣେ ଅନେଷ୍ଟ ଅଫିସର । ସଂପୃକ୍ତ ସାମ୍ବାଦିକଙ୍କ ଏଭଳି ବ୍ୟବହାର ତାଙ୍କୁ ମାନସିକସ୍ତରରେ ବହୁତ ଆଘାତ ଦେଇଛି । ଏଭଳି ଦଲାଲ୍ ସାମ୍ବାଦିକଙ୍କ କବଳରୁ ରକ୍ଷା କରିବାକୁ ପୁଲିସକୁ ଗୁହାରି କରିଥିଲେ ବିଇଓ ଶ୍ରୀ କର । ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀମାନଙ୍କୁ ମଧ୍ୟ ଲେଖି ଜଣାଇଥିଲେ । ସଂପୃକ୍ତ ସାମ୍ବାଦିକଙ୍କର ଫୋନ୍ କଲ୍ ରେକର୍ଡିଂ, ଅଫିସରେ ବଳପୂର୍ବକ ପଶିବାର ସିସିଟିଭି ଫୁଟେଜ୍ ମଧ୍ୟ ଦାଖଲ କରିଥିଲେ ।
ପୁଲିସ ଏହାର ତଦନ୍ତ କରି ସଂପୃକ୍ତ ସାମ୍ବାଦିକଙ୍କୁ ଗିରଫ କରିଥିଲା । ମାତ୍ର ଏହି ଖବରକୁ ପ୍ରମୁଖ ଗଣମାଧ୍ୟମରେ ସ୍ଥାନ ମିଳିନାହିଁ । ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ସାତଖୁଣ ମାଫ କି? ସେମାନେ ବଡ଼ ବ୍ରାଣ୍ଡର ସାମ୍ବାଦିକ ବୋଲି ସେମାନଙ୍କ ଦଲାଲି କ’ଣ ମାଫ୍ ବୋଲି ସୋସିଆଲ୍ ମିଡ଼ିଆରେ କଟାକ୍ଷ କରାଯାଇଛି ।