ଭୁବନେଶ୍ୱର: ଭୁବନେଶ୍ୱରରେ ୫୦ ପ୍ରତିଶତ ଲୋକଙ୍କଠାରେ ସୃଷ୍ଟି ହେଲାଣି ଆଣ୍ଟବଡି । ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରୁ ଏହି ରିପୋର୍ଟ ଆସିଥିବା ଆରଏମଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ଆଜି ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ୫୦% ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କରୋନା ଛୁଇଁସାରିଲାଣି । କରୋନା ସଂସ୍ପର୍ଶରେ ଆସିବା ପରେ ସେମାନଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି । ଅର୍ଥାତ୍ ରୋଗ ପ୍ରତିରୋଧକ ଶକ୍ତି ଆସିଛି ।
ଜୁଲାଇ ୧୧ରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ଅନୁଷ୍ଠିତ ହୋଇଥିଲା । ସେଥିରେ ମାତ୍ର ୧.୪୨% ଲୋକଙ୍କ ଆଣ୍ଟିବଡି ଥିବା ଜଣାପଡ଼ିଥିଲା । ଅଗଷ୍ଟ ୨୮ ଦ୍ୱିତୀୟ ସର୍ଭେ ରିପୋର୍ଟରେ ୫.୧% ଲୋକଙ୍କ ଆଣ୍ଟିବଡି ଥିଲା । ଅକ୍ଟୋବର ୧୬ ରୁ ୧୮ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରେ ୫୦% ଲୋକଙ୍କଠାରେ ଆଣ୍ଟିବଡି ରିପୋର୍ଟ ଆସିଛି । ତେବେ ଏହି ତୃତୀୟ ପର୍ଯ୍ୟାୟ ଆଣ୍ଟିବଡି ଦୁଇ ସପ୍ତାହ ପୂର୍ବର । ଏବେ ସର୍ଭେ ହେଲେ ଅଧିକ ପ୍ରତିଶତ ଆଣ୍ଟିବଡି ଆସିବ ବୋଲି ଡ. ପତି କହିଛନ୍ତି ।
ତୃତୀୟ ସେରୋ ସର୍ଭେରେ ଭୁବନେଶ୍ୱରରର ୨୫ ଟି ୱାର୍ଡର ବିଭିନ୍ନ ସ୍ଥାନରୁ ୧୪୦୩ ସାମ୍ପଲ ନିଆଯାଇଥିଲା । ସେଥିରେ ଲିଙ୍ଗଗତ ଓ ବୟସଗତ ପାର୍ଥକ୍ୟ ନ ଥିଲା । ପରୀକ୍ଷଣରୁ ୫୫ ନମ୍ବର ୱାର୍ଡରେ ସର୍ବନିମ୍ନ ୨୮% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା ବେଳେ ୧୬ ନମ୍ବର ୱାର୍ଡରେ ସର୍ବାଧିକ ୬୩% ଲୋକଙ୍କର ଆଣ୍ଟିବଡି ହୋଇଛି । ୫ ଟି ୱାର୍ଡରେ ଆଣ୍ଟିବଡି ବିକଶିତ ଲୋକଙ୍କ ସଂଖ୍ୟା ୬୦% ରୁ ଅଧିକ ରହିଛି ।
ଏ ପର୍ଯ୍ୟନ୍ତ ଆହୁରି ୫୦% ଲୋକଙ୍କୁ କରୋନା ଛୁଇଁନି । ସୁତରାଂ ୫୦% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇନାହିଁ ବୋଲି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ପତି କହିଛନ୍ତି । ଏହି ଲୋକମାନେ ଏବେ ବି ସମ୍ବେଦନଶୀଳ ଥିବାରୁ ସେଥିପ୍ରତି ଯତ୍ନବାନ ହେବାକୁ ପଡିବ । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ସଫା ରଖିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଜରୁରୀ ।
ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଗତ ମାର୍ଚ୍ଚ ମାସରୁ କରୋନା ବିରୋଧରେ ଆମର ଲଢ଼େଇ ଚାଲିଛି । ବିଶ୍ୱରେ ୪ କୋଟି ୫୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଲକ୍ଷ ୮୬ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ୮୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ୧ ଲକ୍ଷ ୨୧ ହଜାର ଲୋକ ପ୍ରାଣ ହରାଇଛନ୍ତି । ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଏବଂ ମୃତ୍ୟୁ ସଂଖ୍ୟା ୧୨୯୭ । ୨ ଲକ୍ଷ ୭୭ ହଜାର ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ସଂକ୍ରମିତ ଜିଲ୍ଲା ।
ବିଏମସି ଅଞ୍ଚଳରେ ୧୧ ଲକ୍ଷ ବାସିନ୍ଦା ଅଛନ୍ତି । ଭୁବନେଶ୍ୱରରେ ୩ ଟି ଜାଗାରେ କୋଭିଡ୍ ଟେଷ୍ଟ କରାଯାଉଛି । ୭ ଟି ହସ୍ପିଟାଲ୍ ରେ ରୋଗୀ ଚିକିତ୍ସା କରାଯାଉଛି । ବର୍ତ୍ତମାନ ବେଡସଂଖ୍ୟା ୧୭୩୮ ଥିବା ବେଳେ ଆଇସିୟୁ ବେଡ୍ ସଂଖ୍ୟା ୫୦୯ । ୨୧୬ ଭେଣ୍ଟିଲେଟର୍ ରହିଛି । ୫ ହଜାର କୋଭିଡ ଯୋଦ୍ଧା ଅନବରତ କାମ କରୁଛନ୍ତି ।
ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରୁ ୫୦% ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ଆଗକୁ ଆମକୁ ଆହୁରି ସଜାଗ ଓ ସଚେତନ ରହିବାକୁ ପଡିବ । ସାମାନ୍ୟତମ ଲକ୍ଷଣ ଦେଖିଲେ ଅଣଦେଖା ନ କରି ତୁରନ୍ତ ଟେଷ୍ଟ୍ କରାଇବା ଜରୁରୀ । ଅବହେଳା କରି ଛାଡିଦେଲେ ରୋଗ ଆମକୁ ମାଡ଼ି ବସିବ ବୋଲି ଶ୍ରୀ ବାଗଚୀ କହିଛନ୍ତି ।