ଭୁବନେଶ୍ୱର: ଏବର୍ଷ ଆଉ ସ୍କୁଲ ଖୋଲିବ ନାହିଁ । କରୋନାର ଦ୍ୱିତୀୟ ଲହରର ଆଶଙ୍କା ଦୃଷ୍ଟିରୁ ଡିସେମ୍ବର ୩୧ ଯାଏଁ ସ୍କୁଲ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ଏହାର ବିଜ୍ଞପ୍ତି ଜାରି ହୋଇଛି । ସ୍କୁଲ ବନ୍ଦ ରହିଲେ ମଧ୍ୟ ପରୀକ୍ଷା ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରହିବ । ଅନଲାଇନ୍ ଓ ଦୂରନ୍ତର ଶିକ୍ଷା ଜାରି ରହିବ । ଅନଲାଇନ୍ କ୍ଲାସ୍ ପାଇଁ ଶିକ୍ଷକମାନେ ସ୍କୁଲ ଆସିବେ ।
ଚଳିତମାସ ୧୫ ତାରିଖରୁ ନବମଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ଯୋଜନା କରିଥିଲା । ତେବେ ଏହାକୁ ଅଭିଭାବକ ମହଲରୁ ବିରୋଧ ହୋଇଥିଲା । ଏବେ ଶୀତ ଦିନ ଆରମ୍ଭ ହୋଇଥିବାରୁ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଯଥେଷ୍ଟ ଆଶଙ୍କା ରହିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ ସତର୍କ କରାଇଛନ୍ତି । ଅନ୍ୟପକ୍ଷରେ ଅନ୍ୟ ଦେଶ ଓ କିଛି ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆସିଲାଣି । ଯେଉଁଠି ସ୍କୁଲ ଖୋଲିଛି ସେଠି ଛାତ୍ରଛାତ୍ରୀମାନେ କରୋନାରେ ସଂକ୍ରମିତ ହେଉଥିବାର ଖବର ଆସୁଛି ।
ଏସବୁକୁ ଦୃଷ୍ଟିରେ ରଖି ଷ୍ଟେକ୍ହୋଲଡରମାନଙ୍କ ସହ ବିଚାରବିମର୍ଷ କଲା ପରେ ଗଣଶିକ୍ଷା ବିଭାଗ ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କେବେ ସ୍କୁଲ ଖୋଲିବ ସେ ସମ୍ପର୍କରେ କିଛି ନିଷ୍ପତ୍ତି ନିଆଯାଇନାହିଁ ।