ଭୁବନେଶ୍ୱର: ବିଜେଡି-ବିଜେପି ମଧ୍ୟରେ ଆସନ ବୁଝାମଣା ବୈଠକ ଆଜି ରାତିରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ଉଭୟ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ହୋଇଥିବା ଖବର ମିଳିଛି । ବିଧାନସଭାରେ ବିଜେଡି ୯୮ଟି ଏବଂ ବିଜେପି ୪୯ ଆସନରେ ଲଢ଼ିବାକୁ ସହମତି ପ୍ରକାଶ ପାଇଥିବା ବେଳେ ବିଜେପି ୧୪ ଲୋକସଭା ଏବଂ ବିଜେଡି ୭ ଲୋକସଭା ଆସନରେ ଲଢ଼ିବାକୁ ସହମତି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ଏ ନେଇ ଉଭୟ ଦଳ ପକ୍ଷରୁ କୌଣସି ସୂଚନା ଆସିନାହିଁ ।
ବିଜେଡି-ବିଜେପି ମେଣ୍ଟ ନେଇ ବୁଧବାର ଦିନ ସ୍ପଷ୍ଟ ସଙ୍କେତ ଆସିଥିବା ପରେ ଆସନ ବଣ୍ଟନକୁ ନେଇ ସମସ୍ତଙ୍କର ନଜର ରହିଛି । ଏ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ଦିଲ୍ଲୀ ହାଇକମାଣ୍ଡ ଆଜି(ଗୁରୁବାର) ଦିନ ତମାମ ଘନ ଘନ ବୈଠକ କରିଥିଲେ । ସେହିଭଳି ଅପରାହ୍ନରେ ବିଜେଡିର ଦୁଇ ଶୀର୍ଷ ନେତା କାର୍ତ୍ତିକ ପାଣ୍ଡିଆନ୍ ଏବଂ ପ୍ରଣବ ପ୍ରକାଶ ଦାସ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯାଇଥିଲେ । ଉଭୟ ଦଳର ନେତାଙ୍କ ମଧ୍ୟରେ ବୈଠକ ପରେ ୯୮:୪୯ ଏବଂ ୭:୧୪ ସମୀକରଣ ଛିଡିଥିବା ଏହି ସୂତ୍ରରୁ ଜଣାପଡ଼ିଛି । ତେବେ ଏହା ଚୂଡ଼ାନ୍ତ ନା ପୁଣି ଆଲୋଚନା ହେବ ତାହାର ସ୍ପଷ୍ଟତା ମିଳିନାହିଁ । ଆସନ୍ତାକାଲି(ଶୁକ୍ରବାର) ଏ ନେଇ ଆନୁଷ୍ଠାନିକ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି ।