ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟ ନେଇ ଉଭୟ ଦଳର ଶୀର୍ଷସ୍ତରରେ ନିଷ୍ପତ୍ତି ହୋଇସାରିଥିଲେ ମଧ୍ୟ ଆସନ ବଣ୍ଟାରେ ଅଟକି ଯାଇଛି ବୁଝାମଣା । ବିଜେଡିକୁ ୧୦୦ ରୁ ଅଧିକ ଆସନ ଛାଡ଼ିବାକୁ ରାଜ୍ୟ ବିଜେପି ୟୁନିଟ୍ ଅମଙ୍ଗ ହେବାରୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନ ଥିବା କୁହାଯାଉଛି । ଅମିତ୍ ଶାହଙ୍କୁ ବୁଝାଇବା ପାଇଁ ରାଜ୍ୟ ବିଜେପି ନେତୃତ୍ୱ ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶରଣ ପଶିଥିବା ଖବର ମିଳିଛି । ଏପଟେ ଆଜି ଦିଲ୍ଲୀରୁ ଫେରିବା ପରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ଦଳର ବରିଷ୍ଠ ନେତାମାନଙ୍କ ସହିତ ମନ୍ତ୍ରଣା ବୈଠକ କରିଛନ୍ତି ।
ଗତକାଲି ଶ୍ରୀ ପାଣ୍ଡିଆନ୍ ଏବଂ ଶ୍ରୀ ଦାସ ଦିଲ୍ଲୀ ଯାଇଥିଲେ । ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଘରେ ଉଭୟ ପକ୍ଷ ମଧ୍ୟରେ କୁଆଡ଼େ ବୈଠକ ହୋଇଥିଲା । ବିଧାନସଭାରେ ବିଜେଡି ୯୮ଟି ଏବଂ ବିଜେପି ୪୯ ଆସନ ଓ ଲୋକସଭାରେ ବିଜେପି ୧୪ ଏବଂ ବିଜେଡି ୭ ଆସନରେ ଲଢ଼ିବାକୁ ସହମତି ହୋଇଥିବା ଜାତୀୟ ସରବରାହ ସୂତ୍ରରୁ ଖବର ଆସିଥିଲା । ମାତ୍ର ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ଆଜିର ଘଟଣାକ୍ରମରୁ ସ୍ପଷ୍ଟ ହୋଇଛି । ଭୁବନେଶ୍ୱର ଫେରି ପାଣ୍ଡିଆନ୍ ଏବଂ ବବି ଦଳର ବରିଷ୍ଠ ନେତାଙ୍କ ସହ ବିଚାର ବିମର୍ଷ ଚଳାଇଥିବା ବେଳେ ବିଜେଡିକୁ ୧୦୦ରୁ ଅଧିକ ଆସନ ଛାଡ଼ିବାକୁ ରାଜ୍ୟ ବିଜେପି ରାଜି ହେଉ ନ ଥିବା କୁହାଯାଉଛି ।
ଏଭଳି ଚର୍ଚ୍ଚା ଆଲୋଚନା ବେଳେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମକୁ କହିଥିଲେ ଯେ ମେଣ୍ଟ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ବିଜେପି ଏକା ଲଢ଼ିବାର ଯଥେଷ୍ଟ ସମ୍ଭାବନା ଅଛି । ପୃଥ୍ୱୀରାଜଙ୍କର ଏଭଳି ମନ୍ତବ୍ୟ ଆସିବା ପରେ ମେଣ୍ଟ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା ବୋଲି ଚର୍ଚ୍ଚା ହେଲା । ସାମ୍ବାଦିକମାନେ ଏହା ଉପରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ମତାମତ ଲୋଡ଼ିବାକୁ ଚେଷ୍ଟା କଲେ । ମାତ୍ର ପରବର୍ତ୍ତୀ ସମୟରେ ପୃଥ୍ୱୀରାଜଙ୍କୁ ତାଙ୍କ ମନ୍ତବ୍ୟ ପାଇଁ ଉପରୁ କଡ଼ା ତାଗିଦ୍ ଆସିଥିବା ଖବର ଆସିଲା । ଗଣମାଧ୍ୟମରେ ଏମିତି କହିବାକୁ କିଏ ତୁମକୁ ଅନୁମତି ଦେଲା ବୋଲି ତାଙ୍କୁ କୁଆଡ଼େ ଜବାବ ମଗାଯାଇଛି । ସ୍ମରଣ ଥାଉକି, ସମୀର ମହାନ୍ତିଙ୍କ ସଭାପତିତ୍ୱ କାର୍ଯ୍ୟକାଳ ବୃଦ୍ଧି ହୋଇଛି ବୋଲି ଅତୀତରେ ଗଣମାଧ୍ୟମରେ ବିବୃତି ଦେଇ ବିବାଦରେ ଫସିଥିଲେ ପୃଥ୍ୱୀରାଜ । କାରଣ ଦଳ ପକ୍ଷରୁ ସେଭଳି ନିଷ୍ପତ୍ତି ହୋଇ ନ ଥିଲା । ବରଂ ଏଭଳି ମନଇଚ୍ଛା ବିବୃତି ପାଇଁ ତାଙ୍କୁ ତାଗିଦ୍ କରାଯାଇଥିଲା ।
ସେ ଯାହା ହେଉ, ଏହି ଘଟଣାରୁ ଏତିକି ସ୍ପଷ୍ଟ ଯେ ବିଜେଡି ସହ ମେଣ୍ଟ କରିବା ନିଷ୍ପତ୍ତି ବିଜେପି ଶୀର୍ଷସ୍ତରରେ ହୋଇସାରିଛି । ପରବର୍ତ୍ତୀ ସମୟରେ ବିଧାନସଭା ଆସନ ଭାଗବଣ୍ଟା ଛିଡିପାରୁ ନ ଥିବା ମଧ୍ୟ ସ୍ପଷ୍ଟ ହୋଇଗଲାଣି । ମାତ୍ର ବିଜେଡି ଓ ବିଜେପି ନିର୍ଦ୍ଦିଷ୍ଟ ଭାବେ କେତେ କେତେ ବିଧାନସଭା ଓ ଲୋକସଭା ଆସନରୁ ଲଢ଼ିବାକୁ ଚାହୁଁଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ଚର୍ଚ୍ଚା ହେଉଛି ଯେ ବିଜେଡି ୧୦୦ ରୁ ଅଧିକ ବିଧାନସଭା ଆସନରେ ଲଢ଼ିବାକୁ ଚାହୁଁଥିବା ବେଳେ ରାଜ୍ୟ ବିଜେପି ୬୦ ରୁ ଅଧିକ ବିଧାନସଭା ଆସନରେ ଲଢ଼ିବାକୁ ଚାହୁଁଛି । ସେହିଭଳି ବିଜେଡି ଅତି ବେଶୀରେ ୧୨ଟି ଲୋକସଭା ଆସନ ବିଜେପିକୁ ଛାଡ଼ିବାକୁ ରାଜି ଅଛି । ଯେମିତି ହେଲେ ଭୁବନେଶ୍ୱର ଓ ପୁରୀ ଲୋକସଭା ଆସନ ନିଜ ହାତରେ ରଖିବାକୁ ବିଜେଡି ଚାହିଁଥିବା ବି କୁହାଯାଉଛି । ମାତ୍ର ଏହି ଦୁଇଟି ଲୋକସଭା ଆସନ ବିଜେପି ଚାହୁଁଛି ।
ଇତିମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମନାକୁ ଆସିଛି । ରାଜ୍ୟ ବିଜେପିରେ ଅଲୋଡ଼ା ହୋଇଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ରାଜ୍ୟ ବିଜେପି ନେତୃବର୍ଗ । ବିଜେଡି ସହ ଅଧିକ ଆସନ ବାର୍ଗେନିଂରେ ସେମାନେ ନିଜେ ମଧ୍ୟ ଅସହାୟ ହୋଇପଡ଼ିଛନ୍ତି । ସେମାନଙ୍କର ଦାବିକୁ ଧରି ଅମିତ୍ ଶାହା ଏବଂ ଜେପି ନଡ୍ଡାଙ୍କୁ ପ୍ରବର୍ତ୍ତାଇବାରେ କେବଳ ଧର୍ମେନ୍ଦ୍ର ସକ୍ଷମ ହେବେ ବୋଲି ସେମାନେ ଭାବି ଦେଇଛନ୍ତି । ତେବେ ଶେଷ ମୁହୁର୍ତ୍ତରେ ଆସନ ବୁଝାମଣା ମାମଲାରେ ପଶିବାକୁ ଧର୍ମେନ୍ଦ୍ର ମନା କରିଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତାଙ୍କ ମୁଣ୍ଡରେ ମେଣ୍ଟ ଅଠା ବୋଳିବାକୁ ଏହା ମନମୋହନ-ବୈଜୟନ୍ତ-ଅପରାଜିତା ଟିମ୍ ର ଆଉ ଏକ ଚକ୍ରାନ୍ତ ହୋଇପାରେ ବୋଲି ତାଙ୍କର ଡର ରହିଛି ।