ଭୁୁବନେଶ୍ୱର: ପ୍ରଥମ ଲହର କରୋନାରେ ଦେଶରେ ସର୍ବାଧିକ ଦୈନିକ ସଂକ୍ରମଣର ରେକର୍ଡ ଥିଲା ୯୭,୪୦୦ । ଓଡ଼ିଶାରେ ଏହି ରେକର୍ଡ ଥିଲା ୪,୩୫୬ । ଆଜି ଦିନରେ ଦେଶର ଦୈନିକ ସଂକ୍ରମଣ ୪ ଲକ୍ଷ ପାର୍ କରିଛି । ଆମ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ପାର୍ କରିଛି ।
ପୂର୍ବ ଥର ଏହି ମହାମାରୀକୁ ସାମନା କଲା ବେଳେ ହସ୍ପିଟାଲ୍ ଗୁଡ଼ିକରେ ଅକ୍ସିଜେନ୍ ଭଳି ସଙ୍କଟ ନ ଥିଲା । ମାତ୍ର ଏବେ ଦେଶର ବଡ଼ ବଡ଼ ସହରର ହସ୍ପିଟାଲ୍ ରେ ଅକ୍ସିଜେନ୍ ର ଘୋର ସଙ୍କଟ ଦେଖାଦେଇଛି । ରୋଗୀଙ୍କୁ ବେଡ୍ ମିଳୁନି । ବେଡ୍ ଥିଲେ ଅକ୍ସିଜେନ୍ ମିଳୁନି । ସାମଗ୍ରିକ ଭାବେ ଆଗକୁ କରୋନା ଚିତ୍ର କ’ଣ ହେବ କେହି ଆକଳନ କରିପାରୁନାହାନ୍ତି ।
ଗତବର୍ଷ ଆରମ୍ଭରୁ ଭାରତବର୍ଷକୁ କବଳିତ କରିଥିଲା କରୋନା । ମାସ ମାସ ଧରି ଦେଶବାସୀ ଲକଡାଉନ୍, ସଟଡାଉନ୍ ଭିତରେ ଜୀବନ କାଟିଥିଲେ । ଜୀବନ ଓ ଜୀବିକାର ସଂଘର୍ଷ ଭିତରେ ମଣିଷ ଦୁର୍ବିସହ ହୋଇଗଲା । ଅନେକ ରୋଜଗାର ହରାଇଲେ । ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନରେ ତାଲା ପଡ଼ିଲା । ସରକାରଙ୍କ କଠୋର କଟକଣା ଏବଂ ଲୋକମାନେ ନିଜକୁ ସତର୍କ ରଖିବା ଦ୍ୱାରା ବର୍ଷ ଶେଷ ବେଳକୁ ସଂକ୍ରମଣ ହ୍ରାସ୍ ପାଇବାକୁ ଆରମ୍ଭ କରିଥିଲା ।
ତେବେ ଦୁର୍ଭାଗ୍ୟ ଯେ କରୋନାଠାରୁ ଦୂରେଇ ରହିବା ପାଇଁ ଲୋକଙ୍କ ସତର୍କତା ଓ ସରକାରଙ୍କ ପଦକ୍ଷେପ ବେଶୀ ଦିନ ରହିଲା ନାହିଁ । ଆମେରିକା, ବ୍ରିଟେନ ଓ ବ୍ରାଜିଲ୍ ଭଳି ଦେଶ କରୋନାର ଦ୍ୱିତୀୟ ଲହରରେ ଥରହର ହେଉଥିବା ବେଳେ ଆମ ସରକାର ନିଶ୍ଚିନ୍ତରେ ରହିଲେ । ବିଦେଶରେ ଲକଡାଉନ୍, ସଟଡାଉନ୍ ଫେରୁଥିବା ବେଳେ ଆମ ଦେଶରେ ସବୁ କଟକଣା ହଟିଗଲା । ସରକାର ପ୍ରସ୍ତୁତ ରହିଲେନି, ଲୋକେ ବେଫିକର୍ ହୋଇଗଲେ ।
ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଚରଣ ଓ ଉଚ୍ଚାରଣ କରୋନା ନିଆଁରେ ପେଟ୍ରୋଲ୍ ଢ଼ାଳିବା ଅବସ୍ଥା ସୃଷ୍ଟି କଲା ବୋଲି ଅନେକ ମତ ଦେଉଛନ୍ତି ।
ଚଳିତବର୍ଷ ଆରମ୍ଭ ଅର୍ଥାତ୍ ଜାନୁଆରୀ ୨୮ ତାରିଖରେ ୱାଲର୍ଡ ଇକୋନୋମିକ୍ ଫୋରମସ୍ ର ଭର୍ଚୁଆଲ୍ ବୈଠକରେ ଯୋଗଦେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ଭାଷଣରେ କରୋନାକୁ ସ୍ୱାଃ କରିଦେଇଥିଲେ । କରୋନା ବିରୋଧୀ ଲଢ଼େଇରେ ଭାରତ ଜିତିଯାଇଥିବା ଘୋଷଣା କରି ବିଶ୍ୱଦରବାରରେ ସରକାରଙ୍କ ବାହାଦୁରି ଦେଖାଇଲେ ।
ମୋଦିଙ୍କର ଏହି ମନ୍ତବ୍ୟକୁ କୋଟି କୋଟି ଭାରତୀୟ ଅନ୍ଧ ଭାବରେ ବିଶ୍ୱାସ କଲେ । କରୋନା ଆମ ଦେଶରୁ ଚାଲିଯାଇଛି ବୋଲି ସମସ୍ତେ ଧରିନେଲେ । ଲୋକମାନେ କୋଭିଡ୍ ନିୟମ ଭୁଲିବା ପଛରେ ଏହାକୁ ମୁଖ୍ୟ ଦାୟୀ କରାଯାଉଛି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା କବଚକୁ ଲୋକେ ଆଉ ଖାତିର କଲେନି ।
ଇତିମଧ୍ୟରେ ଭାରତର ନିର୍ବାଚନ କମିଶନ ୫ ଟି ରାଜ୍ୟରେ ସାଧାରଣ ନିର୍ବାଚନ ସହ କିଛି ରାଜ୍ୟରେ ଉପନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କଲେ । ଆଶ୍ଚର୍ଯ୍ୟର କଥା ଯେ ପ୍ରଚାର, ଶୋଭାଯାତ୍ରା ପାଇଁ କଡ଼ା କଟକଣା ରହିଲାନି । ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଲେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା । ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଚାର କଲେ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସଭାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଲା । ସାମାଜିକ ଦୂରତା ସ୍ୱପ୍ନ ହୋଇଗଲା । କାହାରି ମୁହଁରେ ମାସ୍କ ରହିଲାନି ।
କରୋନା ସଂକ୍ରମଣ ବୃଦ୍ଧିର ଏହା ପ୍ରମୁଖ କାରଣ ବୋଲି ସ୍ୱୀକାର କରିବାକୁ ପଡ଼ିବ । ଯେଉଁଥିପାଇଁ ମାଡ୍ରାସ୍ ହାଇକୋର୍ଟ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି । ଦ୍ୱିତୀୟ ଲହର କରୋନା ପାଇଁ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଏକାକୀ ଦାୟୀ କରି ହତ୍ୟା କେସ୍ ରେ ବୁକ୍ କରିବା ଉଚିତ୍ ବୋଲି ମନ୍ତବ୍ୟ ଦେଇଛନ୍ତି ।
କହିବା ବାହୁଲ୍ୟ, ନିର୍ବାଚନ କମିଶନଙ୍କ ସମସ୍ତ ନିଷ୍ପତ୍ତି ପଛରେ କେନ୍ଦ୍ର ସରକାରଙ୍କ ଭୂମିକା କ’ଣ ତାହା ସମସ୍ତଙ୍କୁ ଜଣା । କେନ୍ଦ୍ର ସରକାର ଚାହିଁଥିଲେ ନିଷ୍ପତ୍ତି ଭିନ୍ନ ହୋଇଥାନ୍ତା ବୋଲି କୁହାଯାଉଛି । କେନ୍ଦ୍ର ସରକାର ଯେମିତି ଚାହିଁଛନ୍ତି ନିର୍ବାଚନ କମିଶନ ସେମିତି କରିଛନ୍ତି ବୋଲି ଲମ୍ବା ଅଭିଯୋଗ ରହିଛି ।
ଇତିମଧ୍ୟରେ ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ସରକାରଙ୍କ ଦ୍ୱାରା ନିଯୁକ୍ତ ୫ ଜଣିଆ ବୈଜ୍ଞାନିକ ପରାମର୍ଶଦାତା ଫୋରମ୍ ଭାରତରେ କୋଭିଡ୍ ର ଅଧିକ ସଂକ୍ରମିତ ଭାରିଏଣ୍ଟ ସମ୍ପର୍କରେ ସୂଚନା ଦେଇଥିଲେ । ମାତ୍ର ମୋଦି ସରକାର ତାହାକୁ ଗୁରୁତ୍ୱ ଦେଇ ନ ଥିଲେ କି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ମୋଟାମୋଟି ଭାବେ, ଆତ୍ମପ୍ରଚାରରେ ମଗ୍ନ ସରକାର ଓ ଜନସାଧାରଣଙ୍କ ସତର୍କତା ଅଭାବରୁ ଆଜି ସାରା ଦେଶକୁ ବହୁମୂଲ୍ୟ ଦେବାକୁ ପଡୁଛି । ଏପ୍ରିଲ ୧୫ ତାରିଖରୁ କ୍ରମାଗତ ଭାବେ ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ଉପରେ ରହୁଥିଲା ବେଳେ ଆଜି ୪ ଲକ୍ଷ ୧ ହଜାର ୯୯୩ ହୋଇଛି । ଦିନକରେ ୩,୫୨୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଆମ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ୪୩୧ରେ ପହଞ୍ଚିଛି ।