କଟକ: ଆଖି ବୁଜିଦେଲା କାଳିଆ । ଡାକ୍ତରମାନଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ତାକୁ ବଞ୍ଚାଇ ପାରିଲେନି । ଦୁଇଦିନ ତଳେ ହଠାତ୍ କାଳିଆର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା । ପ୍ରଫେସର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତାଙ୍କୁ ବଞ୍ଚାଇବା ପାଇଁ ଲାଗିପଡ଼ିଥିଲେ । ମାତ୍ର ସଫଳ ହୋଇପାରିନାହାନ୍ତି । ଯୋଡାମୁଣ୍ଡରୁ ପୃଥକ୍ କାଳିଆର ଭାଇ ଜଗାର ଅବସ୍ଥା କିନ୍ତୁ ପ୍ରଭୁଙ୍କ କୃପାରୁ ଭଲ ଅଛି । ମୁଣ୍ଡରୁ ହେଲମେଟ୍ ହଟି ନ ଥିଲେ ମଧ୍ୟ ସେ ଠିକ୍ ଭାବରେ ଚଲାବୁଲା ଓ ଖିଆପିଆ କରିପାରୁଛି ।
କନ୍ଧମାଳ ଜିଲ୍ଲା ମିଲିପଡ଼ା ଗ୍ରାମର ଭୁଆଁ କହଁର ଓ ପୁଷ୍ପାଞ୍ଚଳୀ କହଁରଙ୍କ ଯୋଡାମୁଣ୍ଡ ସନ୍ତାନଙ୍କୁ ରାଜ୍ୟ ସରକାରଙ୍କ ସହାୟତାରେ ଗତ ୨୦୧୭ ଜୁଲାଇ ୧୩ ତାରିଖରେ ଦିଲ୍ଲୀ ଏମସ୍ ରେ ଭର୍ତ୍ତି କରାଯାଇଥିଲା । ଏହି ଦୁଇ ଶିଶୁଙ୍କ ଯୋଡାମୁଣ୍ଡ ଅଲଗା କରି ତାଙ୍କୁ ବଞ୍ଚାଇ ରଖିବା ଚିକିତ୍ସା ବିଜ୍ଞାନ ପାଇଁ ବିରଳ ଘଟଣା ଥିଲା । ଏଭଳି ଜଟିଳ ଅପରେସନ୍ ପୂର୍ବରୁ ଭାରତରେ କେବେ ସଫଳ ହୋଇ ନ ଥିଲା । ମାତ୍ର ଏମସ୍ ର ତକ୍ରାଳୀନ ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର ଏହି ଚାଲେଂଜକୁ ଗ୍ରହଣ କରିଥିଲେ ।
ଡାକ୍ତର ମହାପାତ୍ରଙ୍କ ନେତୃତ୍ୱରେ ୨୦୧୭ ଅଗଷ୍ଟ ୨୮ ଓ ଅକ୍ଟୋବର ୨୫ ଦୁଇଟି ପର୍ଯ୍ୟାୟରେ ଦୀର୍ଘ ୧୮ ଘଣ୍ଟାର ଅପରେସନ୍ କରାଯାଇ ଯୋଡାମୁଣ୍ଡକୁ ସଫଳତାର ସହ ପୃଥକ୍ କରାଯାଇଥିଲା । ଏହି ବିରଳ ଅପରେସନ୍ କୁ ସଫଳତା ମିଳିବା ସାରା ବିଶ୍ୱରେ ଚିକିତ୍ସା ବିଜ୍ଞାନ ପାଇଁ ଚର୍ଚ୍ଚାର ବିଷୟ ହୋଇଥିଲା । ଦୁଇ ଶିଶୁ ଜଗା ଓ କାଳିଆକୁ ସଫଳତାର ସହ ପୃଥକ୍ କରାଯିବା ପରେ ଜଗାର ସ୍ୱାସ୍ଥ୍ୟାବସ୍ଥା ଏକ ପ୍ରକାର ଭଲ ରହୁଥିଲେ ମଧ୍ୟ କାଳିଆର ସ୍ୱାସ୍ଥ୍ୟ କିନ୍ତୁ ଭଲ ରହୁ ନ ଥିଲା । ଡାକ୍ତରମାନଙ୍କ ତୀକ୍ଷ୍ମ ନଜରରେ ରହୁଥିଲା କାଳିଆ ।
ଏମସ୍ ରେ ଦୁଇବର୍ଷ ଧରି ଚିକିତ୍ସାଧୀନ ପରେ ଗତବର୍ଷ ସେପ୍ଟେମ୍ବର ୭ ତାରିଖରେ ଜଗା ଓ କାଳିଆଙ୍କୁ ବେଶ୍ ଯତ୍ନ ଓ ସତର୍କତାର ସହ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିରେ ତାଙ୍କର ଚିକିତ୍ସା ଜାରି ରଖିବା ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ସହ ୧୪ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ସରକାର ଜଗା କାଳିଆଙ୍କ ଚିକିତ୍ସା ବ୍ୟବସ୍ଥାକୁ ମନିଟର୍ କରୁଥିଲେ । ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ଉନ୍ନତି ଆସୁଥିଲା ।
୭ ଦିନ ତଳେ କାଳିଆର ଅବସ୍ଥାରେ ହଠାତ୍ ଅବନ୍ନତି ଘଟିଥିଲା । ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ଦୁଇଦିନ ତଳେ ତାଙ୍କୁ ଭେଣ୍ଟିଲେଟର୍ କୁ ଅଣାଯାଇଥିଲା । ମାତ୍ର ଆଜି ସକାଳୁ ଅବସ୍ଥା ଅତ୍ୟଧିକ ସଙ୍କଟାପନ୍ନ ହୋଇଥିଲା । ସେଫଟିସେମିୟା ଯୋଗୁଁ ଆଜି ରାତି ୯.୧୦ ମିନିଟ୍ ରେ କାଳିଆ ଆଖି ବୁଜିଦେଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ୧୪ ମାସ ଧରି ଆମ ଚିକିତ୍ସାରେ ଥିବା କାଳିଆକୁ ବଞ୍ଚାଇବାରେ ଡାକ୍ତର ସମର୍ଥ ହୋଇପାରି ନ ଥିବା ଦୁଃଖର ସହ ଘୋଷଣା କରିଛନ୍ତି ।
ଜଗାକୁ ଛାଡ଼ି କାଳିଆ ଚାଲିଯିବା ଘଟଣା ସାରା ରାଜ୍ୟବାସୀଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ଏହାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସ୍ୱାସ୍ଥ୍ୟ ବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି ।