ଭୁୁବନେଶ୍ୱର: ୫ ବର୍ଷର କୁନି ଝିଅ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଘୋଷଣା କରିଛନ୍ତି । ଗତକାଲି ଘଟଣାଟି ବିଧାନସଭାରେ ଝଡ଼ ସୃଷ୍ଟି କଲା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ମନ୍ତ୍ରୀ ତାଙ୍କ ବିବୃତିରେ ନୟାଗଡ଼ ପୁଲିସର ଅପାରଗତାକୁ ପରୋକ୍ଷରେ ସ୍ୱୀକାର କରିବା ସହ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି କହିଛନ୍ତି ।
ମନ୍ତ୍ରୀ ତାଙ୍କ ବିବୃତ୍ତିରେ ପରୀକୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିବା ସହ ଏହି ମାମଲାରେ ୪ ଜଣ ବ୍ୟକ୍ତିଙ୍କ ପଲିଗ୍ରାଫ୍ ପରୀକ୍ଷା ସହ ସମସ୍ତ ସନ୍ଦିଗ୍ଧଙ୍କ କଲ୍ ରେକର୍ଡ ବିଶ୍ଲେଷଣ କରାଯାଇଥିବା କହିଛନ୍ତି । ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚୁରା କରାଯାଇଥିଲା । ନୟାଗଡ଼ ଏସଡିପିଓ ମାମଲାକୁ ତଦାରଖ କରୁଥିଲେ ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ ।
ମନ୍ତ୍ରୀଙ୍କର ଏହି ବିବୃତ୍ତିରୁ ନୟାଗଡ଼ ପୁଲିସର ଅପାରଗତା ସ୍ପଷ୍ଟ ବାରି ହୋଇଯାଉଛି । ସନ୍ଦିଗ୍ଧ ଅପରାଧୀ ସେହି ଗାଁ ର ବୋଲି କୁହାଯାଉଥିଲେ ମଧ୍ୟ ୪ ମାସରେ ବି ପୁଲିସ ତାକୁ ଧରି ପାରିନାହାନ୍ତି । ନୟାଗଡ଼ ଏସପି ମଧ୍ୟ ଆରାମ୍ ରେ ବସିଛନ୍ତି । ଏହି ସମ୍ବେଦନଶୀଳ ମାମଲାରେ ରାଜ୍ୟ ମାନବାଧିକାର କମିଶନଙ୍କ ପକ୍ଷରୁ ପୁଲିସକୁ ରିପୋର୍ଟ ତଲବ କରାଯାଇଥିଲେ ମଧ୍ୟ ତାହାକୁ ବି ପୁଲିସ ଖାତିର କରିନାହିଁ ।
ରାଜ୍ୟରେ ଆଇନଶୃଙ୍ଖଳାର ସ୍ଥିତି କିଭଳି ଅବସ୍ଥାରେ ପହଞ୍ଚିଛି ତାହା ଏହି ଘଟଣା ଏକ ନମୁନା ମାତ୍ର । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତର ଥୋପ ପକାଇ ବିରୋଧୀଙ୍କ ଆକ୍ରୋଶରୁ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅପରାଧୀଙ୍କୁ ଧରିବାରେ ବିଫଳ ନୟାଗଡ଼ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଖୋଦ୍ ପୁଲିସ ଡିଜି ଶ୍ରୀ ଅଭୟଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରାଯିବା ଦରକାର ବୋଲି ବିଭିନ୍ନ ମହଲରୁ ଦାବି ଉଠିଛି ।
ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ଝିଅ ପରୀ ଗତ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ୮ ଦିନ ପରେ ଗାଁ ପୋଖରୀ କୂଳରେ ପଡ଼ିଥିବା ଏକ ଜରି ବସ୍ତାରୁ ପରୀର ମୃତ ଠାବ କରାଯାଇଥିଲା । ପ୍ରଥମରୁ ହୋଇଥିବା ନିଖୋଜ ମାମଲା ହତ୍ୟା ମାମଲାକୁ ପରିବର୍ତ୍ତନ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅପରାଧୀଙ୍କ ପାଖରେ ପହଞ୍ଚିପାରିନି । ଓଲଟି ମୃତ ଝିଅର ପରିବାରକୁ ଥାନାକୁ ବାରମ୍ବାର ଡାକି ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି ।
ଏହି କୁନି ପିଲାଟିର ମୃତ ଦେହ ଗାଁ ମୁଣ୍ଡରୁ ଉଦ୍ଧାର କରାଯିବା ଏବଂ ୪ ମାସ ବିତି ଯାଇଥିଲେ ମଧ୍ୟ ନୟାଗଡ଼ ପୁଲିସ ହତ୍ୟାକାରୀକୁ ଧରି ନ ପାରିବା ପୁଲିସର ଅପାରଗତାକୁ ସ୍ପଷ୍ଟ ଇଙ୍ଗିତ କରୁଛି । ଗତକାଲି ପରୀର ବାପା ଓ ମାଆ ନ୍ୟାୟଭିକ୍ଷା କରି ବିଧାନସଭା ସମ୍ମୁଖରେ ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିଲେ । ସେମାନଙ୍କର କହିବାନୁଯାୟୀ, ପରୀ ହତ୍ୟା ପଛରେ ସ୍ଥାନୀୟ ବିଜେଡ଼ି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ବାବୁଲି ନାୟକଙ୍କ ହାତ ଅଛି । ବାବୁଲି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଖାସ୍ ଲୋକ ହୋଇଥିବାରୁ ପୁଲିସ ତାଙ୍କୁ ସୁରକ୍ଷା ଦେଉଥିବା ଉଭୟ ଗଣମାଧ୍ୟମରେ ବୟାନ ଦେଇଥିଲେ ।
ଏହାକୁ ନେଇ ବିଧାନସଭାରେ ବିରୋଧୀ ଦଳ ତମ୍ବିତୋଫାନ କରିଥିଲେ । ୪ ମାସ ପରେ ବି ସଂପୃକ୍ତ ଶିଶୁର ହତ୍ୟାକାରୀକୁ ପୁଲିସ ଧରି ପାରିନଥିବାରୁ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହି ଘଟଣାରେ ମନ୍ତ୍ରୀଙ୍କର ସଂପୃକ୍ତି ଅଭିଯୋଗ ସତ୍ୟ ହୋଇଥିଲେ ସାଂଘାତିକ ବୋଲି କହିଥିଲେ । ମାମଲାର ଗମ୍ଭୀରତାକୁ ବାଚସ୍ପତି ମଧ୍ୟ ଗ୍ରହଣ କରିଥିଲେ ।
ପରୀକୁ ନ୍ୟାୟ ମିଳୁ । ଅପରାଧୀକୁ ତୁରନ୍ତ ଧରି କଠୋର ଦଣ୍ଡ ଦେବାକୁ ସବୁ ମହଲରୁ ଦାବି ହେଉଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ରାଜଧାନୀରେ ପରୀଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସାମ୍ନାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ମନ୍ତ୍ରୀଙ୍କ ଟେଲିଫୋନ୍, ସରପଞ୍ଚଙ୍କ ଭୂମିକା
ମନ୍ତ୍ରୀ ଅରୁଣ ସାହୁ ଏବଂ ସ୍ଥାନୀୟ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ମଧ୍ୟରେ ଟେଲିଫୋନ୍ କଥାବାର୍ତ୍ତାର ଏକ ଅଡିଓ ଆଜି ଭାଇରାଲ୍ ହୋଇଛି ।
ମନ୍ତ୍ରୀ ଅରୁଣ କହୁଛନ୍ତି– ଯାହା କରୁଛୁ ଭଲ କରୁନୁ । ତୁ ଯେତିକି କହୁଛୁ, ସେମାନେ ସେତିକି କହୁଛନ୍ତି । ତୁ ଲିମେଟସନ୍ ବାହାରକୁ ପଳେଇ ଗଲୁଣୁ । ଏଇଟା କ’ଣ ଠିକ୍ କରୁଛୁ? ଦୟାକରି ଏଇଟା ବନ୍ଦ କର । ମୁଁ ନ ହେଲେ ମୋର କୌଣସି ସମ୍ପର୍କ କୌଣସି ସିମ୍ପାଥି ସବୁ କାଟିଦେବି ।
ସରପଞ୍ଚ କହୁଛନ୍ତି- ମୁଁ ସେମିତି କିଛି କରିନି, ଆପଣ ଯଦି କହୁଛନ୍ତି ମୁଁ ତା ବାପାମାଆଙ୍କୁ ନେଇକି ଯିବି । କାଲି ନେଇକି ଯିବି କି? ହଉ ମୁଁ ଆପଣଙ୍କୁ ଯାଇ ଦେଖା କରୁଛି ।
ମନ୍ତ୍ରୀ ଓ କଂଗ୍ରେସ ସମର୍ଥିତ ସରପଞ୍ଚଙ୍କ ଟେଲିଫୋନ୍ କଥାବାର୍ତ୍ତାର ଅଡିଓ ଟେପ୍ ଭାଇରାଲ୍ ହୋଇ ରାଜନୈତିକ ଉଷ୍ମତା ବଢ଼ାଇବା ବେଳକୁ ସୋସିଆଲ୍ ମିଡ଼ିଆରେ ପରୀଙ୍କ ବାପା ଅଶୋକ ସାହୁଙ୍କ ସହିତ ସଂପୃକ୍ତ ସରପଞ୍ଚ ସୌମ୍ୟରଂଜନ, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି, ଏକ ୱେବ୍ ଚାନେଲ୍ ର ସାମ୍ବାଦିକ ଏହିଭଳି ମୋଟ ୮ ଜଣଙ୍କର ଏକ ଚା ପିଆ ଫଟୋ ଭାଇରାଲ୍ ହୋଇଛି । ବିଧାନସଭା ଆଗରେ ପରୀଙ୍କ ବାପାମାଆଙ୍କ ଆତ୍ମାହୂତି ଉଦ୍ୟମ ପୂର୍ବରୁ ବିଧାନସଭା ଆଖପାଖ ଏକ ଚା ଚୋକାନ ଖଟିରେ ଏହି ଫଟୋ ଉଠିଛି ।
ଚା ଖଟିରେ ଏହି ମେଳି ଓ ପରବର୍ତ୍ତୀ ଘଟଣାକ୍ରମରୁ ପରୀ ମୃତ୍ୟୁ ଘଟଣାରୁ ରାଜନୈତିକ ଫାଇଦା ହାସଲ ପାଇଁ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଯୋଡିବାକୁ ସଂପୃକ୍ତ ସରପଞ୍ଚ ଉସକେଇ ଥିବା ଚର୍ଚ୍ଚା ହେଉଛି । ସମ୍ଭବତଃ ଏହା ଜାଣିବା ପରେ ମନ୍ତ୍ରୀ ତାଙ୍କୁ ଫୋନ୍ କରିଛନ୍ତି ଏବଂ ସରପଞ୍ଚ ଏହାକୁ ମନ୍ତ୍ରୀଙ୍କୁ ଅଧିକ ବଦନାମ କରିବାର ସୁଯୋଗ ଭାବି ଭାଇରାଲ୍ କରିଛନ୍ତି । ମୁଁ ତା ବାପାମାଆଙ୍କୁ ଆପଣଙ୍କ ପାଖକୁ ନେଇକି ଯିବି କି ବୋଲି ମନ୍ତ୍ରୀଙ୍କୁ ସରପଞ୍ଚ ପଚାରୁଥିବାରୁ ତାଙ୍କର ଭୂମିକା ସନ୍ଦେହହଘେରକୁ ଆସିଛି ।
ତେବେ ଏ ସମ୍ପର୍କରେ ମନ୍ତ୍ରୀ ଅରୁଣ ସାହୁ ଏବଂ ସରପଞ୍ଚ ସୋମ୍ୟରଂଜନଙ୍କ ପ୍ରତିକ୍ରିୟା ମିଳିନାହିଁ ।