ଅରୁଣଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଙ୍ଗାମା, ବିଧାନସଭା ଅଚଳ
ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ଘଟଣାକୁ ନେଇ ଆଜି ବିଧାନସଭାରେ କମ୍ପମାନ କରିଥିଲେ ବିରୋଧୀ ଦଳ । ବିରୋଧୀ ଦଳର ହୋ ହଲ୍ଲା ଓ ହଟ୍ଟଗୋଳ ଯୋଗୁଁ ଗୃହ ଚାଲି ପାରି ନ ଥିଲା । ବିରୋଧୀଙ୍କ ଟାର୍ଗେଟ୍ ରେ ଥିଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ । ହତ୍ୟାକାରୀକୁ ମନ୍ତ୍ରୀ ସୁରକ୍ଷା ଦେଉଥିବା ପରୀ ବାପାମାଆଙ୍କ ଅଭିଯୋଗକୁ ବିଜେପି ଓ କଂଗ୍ରେସ ସଭ୍ୟମାନେ ଅସ୍ତ୍ର କରିଥିଲେ । ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା ଏକ ଫାର୍ସ ବୋଲି ସେମାନେ କହିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ।
ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ସାହୁ ଗୃହରେ ନିଜର ଜବାବ ରଖିଛନ୍ତି । କହିଛନ୍ତି,
‘ଛୋଟ ଝିଅ ପରୀର ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ସେଥିରେ ମୁଁ ଗଭୀର ମର୍ମାହତ ହୋଇଛି । ତାଙ୍କ ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ । ମୋର ରାଜନୈତିକ ଜୀବନରେ ମୁଁ ହିଂସାର ଘୋର ବିରୋଧୀ । ଯେ କୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ । ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ସ୍ୱାଗତ କରିବା ସହ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ବିଶ୍ୱାସ । ଏଥିରେ ଯିଏ ବି ଜଡ଼ିତ ହୋଇଥାଆନ୍ତୁ ନା କାହିଁକି ସିଏ ଦଣ୍ଡିତ ହେବା ଦରକାର । ମୋର ଅନୁରୋଧ ଏହାକୁ ରାଜନୀତିକରଣ ନ କରି ବରଂ ପରୀ ନ୍ୟାୟ ପାଇବା ପାଇଁ ଦାବି ରଖିବା ଉଚିତ୍ । ସତ୍ୟର ଉନ୍ମୋଚନ ପାଇଁ ପ୍ରାଧାନ୍ୟ ଦେବା ଦରକାର । ପରୀ ନ୍ୟାୟ ପାଉ ଏବଂ ସତ୍ୟ ଉନ୍ମୋଚନ ହେଉ ।’
ଆଜି ବିଧାନସଭା ଆରମ୍ଭ ହେଲା କ୍ଷଣି ବିଜେପି ସଭ୍ୟମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର୍ ଧରି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ବାଚସ୍ପତିଙ୍କ ପୋଡିୟମ୍ ଆଗରେ ଛିଡ଼ା ହୋଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ । କଂଗ୍ରେସ ସଭ୍ୟମାନେ ମଧ୍ୟ ଅନୁରୂପ ଦାବିରେ ହୋ ହଲ୍ଲା କରିଥିଲେ । ଫଳରେ ୫ ମିନିଟ୍ ପରେ ବାଚସ୍ପତି ଗୃହକୁ ୨୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ । ୨୦ ମିନିଟ୍ ପରେ ଗୃହରେ ଅନୁରୂପ ପରିସ୍ଥିତି ହେବାରୁ ବାଚସ୍ପତି ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ଅପରାହ୍ନ ଅଧିବେସନରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା ହଟ୍ଟଗୋଳ ଜାରି ରଖିବାରୁ ଗୃହ ଚଳାଇବା ସମ୍ଭବ ହୋଇନଥିଲା । ତେବେ ଗୃହରେ ବିବୃତ୍ତି ରଖିବାକୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ବିବୃତ୍ତି ରଖୁଥିବା ବେଳେ ବିରୋଧୀ ସଦସ୍ୟମାନେ ତାଙ୍କୁ ନ ଶୁଣି ନାରାବାଜି ଜାରି ରଖିଥିଲେ । ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଗୃହ ବାହାରକୁ ଆସି ଗଣମାଧ୍ୟମ ସାମନାରେ ମନ୍ତ୍ରୀ ଶ୍ରୀ ତାଙ୍କର ବିବୃତି ଦୋହରାଇଥିଲେ । ପରୀ ମୃତ୍ୟୁ ମାମଲାରେ ଯିଏ ବି ଦୋଷୀ ଥାଆନ୍ତୁ, ସେମାନଙ୍କୁ କଠୋର ଦଣ୍ଡ ମିଳୁ ଏବଂ ପରୀକୁ ନ୍ୟାୟ ମିଳୁ ବୋଲି କହିଥିଲେ । ଏହି ଘଟଣାରେ ରାଜନୀତି ନ କରିବାକୁ ବିରୋଧୀ ଦଳଙ୍କୁ ଅନୁରୋଧ କରିଥିଲେ ଅରୁଣ ।