ରାଉରକେଲା/ଭୁବନେଶ୍ୱର: ଆବେ ଜୁଏଲ୍ ଓରାମ୍.. ହା..ମ..ଜାଦା.. କୁ… । ତୁ ମତେ ଚିହ୍ନିନୁ । ଦେଖ୍.. ତୋ ମଦନିଶା ସବୁ ଉଡ଼େଇ ଦେବି । ମା, ଭଉଣୀଙ୍କୁ ଇଜ୍ଜତ ଦେବା ଶିଖି..ବେ ।
ଏହି ଉକ୍ତି ରାଉରକେଲା ବିଜେପିର ଜନୈକ ଯୁବନେତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ଙ୍କ ପ୍ରତିନିଧିଙ୍କର । ଅପମାନିତ ଓ କ୍ଷୁବ୍ଧ ଯୁବନେତ୍ରୀଜଣଙ୍କ ଜୁଏଲ୍ ଓରାମ୍ ଙ୍କୁ ଟେଲିଫୋନ୍ ରେ ଗାଳି କରୁଥିବାର ଅଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଜୁଏଲ୍ ଓରାମ୍ ଙ୍କ ଅଶ୍ଲୀଳ ଇଙ୍ଗିତର ଶିକାର ହେବା ପରେ କ୍ରୋଧିତ ଯୁବନେତ୍ରୀ ଦଳୀୟ କାର୍ଯ୍ୟାଳୟ ଆସି ଝରକା, କବାଟ, ଆସବାବପତ୍ର ଭାଙ୍ଗି ପକାଇଛନ୍ତି । ଦଳ ଛାଡ଼ିବାକୁ ଧମକ ଦେବା ସହ ଜୁଏଲ୍ ଙ୍କ ବିରୋଧରେ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ସାଂସଦ ଜୁଏଲ୍ ଙ୍କର ବିରୋଧରେ ଆସିଥିବା ଏଭଳି ସାଂଘାତିକ ଅଭିଯୋଗ ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି ।
ଘଟଣାଟି ଏମିତି । ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ କାର୍ଯ୍ୟ ପାଇଁ ଜୁଏଲ୍ ଓରାମ ଆଜି ସକାଳ ୧୦ଟା ବେଳେ ରାଉରକେଲା ଆସିବାର ଥିଲା । ସାଂସଦଙ୍କ ଗସ୍ତକୁ ଦଳୀୟ କର୍ମୀମାନେ ଅପେକ୍ଷା କରିଥିଲା ବେଳେ ବିଳମ୍ବ ହେବାରୁ ତାଙ୍କର ଜଣେ ପ୍ରତିନିଧି(ଶ୍ରମ ବ୍ୟାପାର) ତଥା ଯୁବ କାର୍ଯ୍ୟକର୍ତ୍ତା ତାଙ୍କୁ ଫୋନ୍ କରିଥିଲେ । ମାତ୍ର ଅଭିଯୋଗ ଅନୁଯାୟୀ, ସାଂସଦ ଉତକ୍ଷିପ୍ତ ହୋଇ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଫୋନ୍ ରେ ତାଙ୍କ ପ୍ରତି ଅଭଦ୍ରୋଚିତ ଆଚରଣ ଦେଖାଇଥିଲେ ।
ଜୁଏଲ୍ ଙ୍କର ଏତାଦୃଶ ଆଚରଣ ସଂପୃକ୍ତା ଯୁବନେତ୍ରୀଙ୍କର ହୋସ୍ ଉଡ଼ାଇ ଦେଇଥିଲା । ତାଙ୍କ ବାପା ବୟସର ଜୁଏଲ୍ ଙ୍କଠାରୁ ଏଭଳି ଆଚରଣ ସହିପାରି ନ ଥିଲେ । ଅତ୍ୟନ୍ତ ଅପମାନିତ ମନେ କରି ଭୋ ଭୋ କାନ୍ଦିଥିଲେ । ରାଗ ଓ ପ୍ରତିବାଦରେ ପରେ ପାର୍ଟି ଅଫିସ୍ ପଶି ଭଙ୍ଗାରୁଜା କରି ପକାଇଥିଲେ ।
ଜୁଏଲ୍ ଏହି ଖବର ଜାଣିଲା ପରେ ଆତ୍ମରକ୍ଷା ପାଇଁ ଫୋନ୍ ରେ ବୁଝାଇବାକୁ ଉଦ୍ୟମ କରିବାରୁ ଯୁବନେତ୍ରୀଜଣଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ନିଜର ରାଗ ଓ ଅପମାନ ଝାଡ଼ିଥିଲେ । ପରେ ଜୁଏଲ୍ ଙ୍କର ଜଣେ ଅନୁଗତ ମ୍ୟାଡାମ୍ ମଧ୍ୟ ଫୋନ୍ ରେ ଯୁବନେତ୍ରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । କହିଥିଲେ ଯେ ସକାଳୁ ଟିକେ ଲୋଡ୍(ଡ୍ରିଙ୍କସ୍) ହୋଇଯାଇଛି । ତେଣୁ ଏମିତି କହିଦେଲେ । ମାଇଣ୍ଡ୍ କର ନାହିଁ ବୋଲି ବୁଝାଇଥିଲେ ।
ତେବେ କୌଣସି ପ୍ରକାରେ ବୁଝିବା ଅବସ୍ଥାରେ ନାହାନ୍ତି ଯୁବନେତ୍ରୀ । “ମୁଁ ତାଙ୍କ ଝିଅ ସମାନ । ଜଣେ ସାଂସଦ ହୋଇ ମା, ଭଉଣୀଙ୍କୁ ଇଜ୍ଜତ ଦେବା ସେ ଶିଖିନାହାନ୍ତି । ମୋତେ ଯେଉଁ ଭାଷାରେ ଇଙ୍ଗିତ କଲେ ତାହା ପାଟିରେ କହିହେବନି । ସେ ଲୋକ ଗୋଡ଼ ଧରି କ୍ଷମା ମାଗିଲେ ବି ତାଙ୍କୁ କ୍ଷମା ନାହିଁ ।’
ସେ କହିଛନ୍ତି, ଆଗରୁ ମୁଁ ତାଙ୍କ ବିଷୟରେ ଅନେକ କଥା ଶୁଣିଥିଲି । ଲେଡିଜ୍ ମାନଙ୍କୁ ମିସବିହେଭ୍ କରନ୍ତି ବୋଲି ଶୁଣିଥିଲି । ମାତ୍ର ଆଜି ଅଙ୍ଗେ ନିଭାଇଲି । ସେ ଜଣେ ଅଭଦ୍ର । ନେତା ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ଯୁବତୀଜଣଙ୍କ କହିଛନ୍ତି । ଜୁଏଲ୍ ଙ୍କ ବିରୋଧରେ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ।
ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ଜୁଏଲ୍ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।