ଭୁବନେଶ୍ୱର: ୨୦୨୨ ବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଦେଶର ଏହି ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ୧୨୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯିବ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି । ପଦ୍ମ ସମ୍ମାନ ତାଲିକାରେ ୩୪ ଜଣ ମହିଳା ଥିବା ବେଳେ ୧୩ ଜଣଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯିବ । ୧୦ ଜଣ ପ୍ରବାସୀ ଭାରତୀୟ ତାଲିକାରେ ସ୍ଥାନ ପାଇଛନ୍ତି ।
ତାଲିକାରେ ଓଡ଼ିଶାର ୭ ଜଣ ପ୍ରତିଭା ସ୍ଥାନ ପାଇଛନ୍ତି । ପଦ୍ମ ଭୂଷଣ ତାଲିକାରେ ଜଣେ ଏବଂ ପଦ୍ମଶ୍ରୀ ତାଲିକାରେ ୬ ଜଣ ବିଶିଷ୍ଟ ଓଡ଼ିଆ ସ୍ଥାନ ପାଇଛନ୍ତି ।
ବିଶିଷ୍ଟ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ । ସେହିଭଳି ପଦ୍ମଶ୍ରୀ ସମ୍ମାନ ପାଇବାକୁ ଥିବା ବ୍ୟକ୍ତିମାନେ ହେଲେ ପାରା ଆଥଲେଟ୍ ପ୍ରମୋଦ ଭଗତ, ସମାଜସେବା ପାଇଁ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ, ସାହିତ୍ୟ ଓ ଶିକ୍ଷା ପାଇଁ ନୃସିଂହ ପ୍ରସାଦ ଗୁରୁ । ସିଭିଲ୍ ସର୍ଭିସ୍ କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାରେ ଜନ୍ମିତ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ଦିଆଯିବ । ତେବେ ପଦ୍ମ ତାଲିକାରେ ତାଙ୍କୁ ଦିଲ୍ଲୀ ବାସିନ୍ଦା ଭାବେ ଦର୍ଶାଯାଇଛି ।
ପଦ୍ମ ବିଭୂଷଣ ଏବଂ ପଦ୍ମଭୂଷଣ ତାଲିକା
ପଦ୍ମ ବିଭୂଷଣ: ଶ୍ରୀମତୀ ପ୍ରଭା ଏ ତ୍ରେ(କଳା) ମହାରାଷ୍ଟ୍ର, ସ୍ୱର୍ଗତଃ ରାଧେଶ୍ୟାମ ଖେମକା(ସାହିତ୍ୟ ଓ ଶିକ୍ଷା) ଉତ୍ତରପ୍ରଦେଶ, ସ୍ୱର୍ଗତଃ ଜେନେରାଲ୍ ବିପିନ୍ ରାୱତ୍(ସିଭିଲ୍ ସର୍ଭିସ୍) ଉତ୍ତରାଖଣ୍ଡ, ସ୍ୱର୍ଗତଃ କଲ୍ୟାଣ ସିଂହ(ରାଜନୀତି) ଉତ୍ତର ପ୍ରଦେଶ
ପଦ୍ମଭୂଷଣ: ଗୁଲାମନବୀ ଆଜାଦ(ରାଜନୀତି) ଜାମ୍ମୁ କାଶ୍ମୀର, ଭିକ୍ଟର ବାନାର୍ଜୀ(କଳା) ପଶ୍ଚିମବଙ୍ଗ, ସ୍ୱର୍ଗତଃ ଶ୍ରୀମତୀ ଗୁମିତ୍ ବାୱା(କଳା), ପଞ୍ଜାବ, ବୁଦ୍ଧଦେବ ଭଟ୍ଟଚାର୍ଯ୍ୟ(ରାଜନୀତି) ପଶ୍ଚିମବଙ୍ଗ, ନଟରାଜନ୍ ଚନ୍ଦ୍ରଶେଖର(ବାଣିଜ୍ୟ ଓ ଶିଳ୍ପ) ମହାରାଷ୍ଟ୍ର, ଦ୍ୱୈତ ଭାବେ ଶ୍ରୀ କ୍ରିଷ୍ଣ ଇଲ୍ଲା ଏବଂ ଶ୍ରୀମତୀ ସୁଚିତ୍ରା ଇଲ୍ଲା(ବାଣିଜ୍ୟ ଓ ଶିଳ୍ପ) ତେଲେଙ୍ଗାନା, ଶ୍ରୀମତୀ ମଧୁର ଜାଫରି(ରୋଷେଇ) ଯୁକ୍ତରାଷ୍ଟ୍ର ଆମେରିକା, ଦେବେନ୍ଦ୍ର ଝଜହରିଆ(କ୍ରୀଡ଼ା) ରାଜସ୍ଥାନ, ରସିଦ ଖାନ୍(କଳା) ଉତ୍ତର ପ୍ରଦେଶ, ରାଜୀବ ମେହେରିଶି(ସିଭିଲ୍ ସର୍ଭିସ୍) ରାଜସ୍ଥାନ, ସତ୍ୟ ନାରାୟଣ ନାଦେଲ୍ଲା( ବାଣିଜ୍ୟ ଓ ଶିଳ୍ପ), ଯୁକ୍ତରାଷ୍ଟ୍ର ଆମେରିକା, ସୁନ୍ଦରରାଜନ୍ ପିଚାଇ(ବାଣିଜ୍ୟ ଓ ଶିଳ୍ପ) ଯୁକ୍ତରାଷ୍ଟ୍ର ଆମେରିକା, ସାଇରସ୍ ପୁନୱାଲିଆ(ବାଣିଜ୍ୟ ଓ ଶିଳ୍ପ) ମହାରାଷ୍ଟ୍ର, ସ୍ୱର୍ଗତଃ ସଞ୍ଜୟ ରାଜାରାମ୍(ବିଜ୍ଞାନ ଓ ଇଞ୍ଜିନିୟରିଂ), ମେକ୍ସିକୋ, ଶ୍ରୀମତୀ ପ୍ରତିଭା ରାୟ(ସାହିତ୍ୟ ଓ ଶିକ୍ଷା) ଓଡ଼ିଶା, ସ୍ୱାମୀ ସଚିଦାନନ୍ଦ(ସାହିତ୍ୟ ଓ ଶିକ୍ଷା) ଗୁଜୁରାଟ, ବଶିଷ୍ଠ ତ୍ରିପାଠୀ(ସାହିତ୍ୟ ଓ ଶିକ୍ଷା), ଉତ୍ତର ପ୍ରଦେଶ
ବୁଦ୍ଧଦେବଙ୍କ ପ୍ରତ୍ୟାଖ୍ୟାନ: ଶେଷ ଖବର ଅନୁଯାୟୀ ପଦ୍ମଭୂଷଣ ତାଲିକାରେ ଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟଚାର୍ଯ୍ୟ ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।