ଭୁବନେଶ୍ୱର: ପବିତ୍ର ଶିବରାତ୍ରୀ ଅବସରରେ ଲିଙ୍ଗରାଜ ମନ୍ଦିରରେ ଏକ ବଡ଼ ଅଘଟଣ ଘଟିଛି । ମହାଦୀପ ଧରି ଚୂଳକୁ ଚଢ଼ୁଥିବା ସେବାୟତ ତଳକୁ ଖସିପଡ଼ି ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଭର୍ତ୍ତି କରାଯାଇଛି । ମହାଦୀପ ମଶାଲରୁ ତେଲ ପଡ଼ି ଜଣେ ପୁଲିସ ଓ ଆଉ ଜଣେ ସେବାୟତ ମଧ୍ୟ ଆହତ ହୋଇଛନ୍ତି ।
ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ତେବେ ନୀତିକାନ୍ତିରେ ସାମାନ୍ୟ ବିଭ୍ରାଟ ହେବାରୁ ଅଧଘଣ୍ଟା ବିଳମ୍ବରେ ମହାଦୀପ ଉଠିଥିଲା । ପ୍ରତିବର୍ଷ ଭଳି ଏଥର ବି ସମର୍ଥା ନିଯୋଗର ସେବାୟତ ଯୋଗେନ୍ଦ୍ର ସମର୍ଥା(୬୦) ମହାଦୀପ ଧରି ମନ୍ଦିର ଚୂଳକୁ ଚଢ଼ୁଥିଲେ । ତେବେ ପ୍ରାୟ ୧୫ ଫୁଟ ଉପରେ ପହଞ୍ଚିଥିବା ବେଳେ ହଠାତ ତାଙ୍କ ବାମ ହାତଟି ଖସି ଯାଇଥିଲା । ଫଳରେ ସେ ମହାଦୀପ ସହ ସିଧା ତଳକୁ ଖସିପଡ଼ିଥିଲେ । ତାଙ୍କ ମୁହଁ ଏବଂ ଗୋଡ଼ରେ ଆଘାତ ଲାଗି ରକ୍ତାକ୍ତ ହୋଇଯାଇଥିଲେ ।
ସ୍ୱେଚ୍ଛାସେବୀମାନେ ଆମ୍ବୁଲାନ୍ସ ଯୋଗେ ସମର୍ଥାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇ ଆସିଥିଲେ । ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।
ଯୋଗେନ୍ଦ୍ରଙ୍କ ଅବସ୍ଥା ଭଲ ଅଛି ବୋଲି ଜଣାପଡ଼ିଛି ।