ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ବେଳକୁ ରାଜ୍ୟରେ ଟିକାର ଅଭାବ ଏବେ ଚିନ୍ତାର ବିଷୟ ହୋଇଛି । ମୋଟ ୧୫୦୦ ଟିକାକରଣ କେନ୍ଦ୍ରରୁ ଗତକାଲି ସୁଦ୍ଧା ୪୦୦ କେନ୍ଦ୍ର ବନ୍ଦ ହୋଇଥିଲା । ଆଜି ଆଉ ୩୦୦ ଏହିଭଳି ମୋଟ ୭୦୦ କେନ୍ଦ୍ର ବନ୍ଦ ହୋଇଗଲାଣି । ଟିକା ଯୋଗାଇବାକୁ କେନ୍ଦ୍ରକୁ ବାରମ୍ବାର ଚିଠି/ମେଲ୍ ଲେଖାଯାଉଥିଲେ ମଧ୍ୟ ତାହାର ଉତ୍ତର ମିଳୁନି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ଓଡ଼ିଶାରେ ଦୈନିକ ଅଢ଼େଇ ଲକ୍ଷ ଟିକା ଦରକାର ପଡୁଛି । ମାତ୍ର ୦.୫% ଟିକା ନଷ୍ଟ ହେଉଛି । ବର୍ତ୍ତମାନ ୫.୩୪ ଲକ୍ଷ ଡୋଜ୍ ଗଚ୍ଛିତ ଥିବାରୁ ଆଉ ମାତ୍ର ଦୁଇଦିନ ଯିବ । ସେ ଭିତରେ କେନ୍ଦ୍ର ନ ପଠାଇଲେ ଶନିବାରଠାରୁ ରାଜ୍ୟରେ ଟିକାକରଣ ବନ୍ଦ ହୋଇଯିବ ।
ଆଜି ସଂଧ୍ୟା ସାଢ଼େ ୬ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ଅଭାବ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି ।
ଦ୍ୱିତୀୟ ଲହର କରୋନା ଏବେ ସମସ୍ତଙ୍କୁ ଆତଙ୍କିତ କରିଛି । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି । ଗତକାଲି ୭୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ପଜିଟିଭ୍ ଅଛନ୍ତି । ସୁନ୍ଦରଗଡ଼ରୁ ୧୩୧ ଏବଂ ନୂଆପଡ଼ାରୁ ୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେପଟେ ଦେଶରେ ସଂକ୍ରମଣ ଆଜି ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରେ କେବଳ ମହାରାଷ୍ଟ୍ରରୁ ଅଛନ୍ତି ୫୯, ୯୦୭ ପଜିଟିଭ୍ । ଦ୍ୱିତୀୟ ଅଧିକ ସଂକ୍ରମିତ ରାଜ୍ୟ ଛତିଶଗଡ଼ରୁ ଅଛନ୍ତି ୧୦, ୩୧୦ ପଜିଟିଭ୍ । ଏହି ୨୪ ଘଣ୍ଟାରେ ୬୮୫ ଜଣଙ୍କର ମୃତ୍ୟୁ ହୋଇଛି ।
ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ୁଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ବିଏମସି ପ୍ରଶାସନ ତତ୍ପର ହୋଇଛି । ଉଭୟ ବିଏମସି ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯାଉଛି । କୋଭିଡ୍ ନିୟମ ଭାଙ୍ଗୁଥିବା ପ୍ରତିଷ୍ଠାନକୁ ବିଏମସି ସିଲ୍ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ୍ ଡ୍ରାଇଭ୍ ନିର୍ଦ୍ଦେଶ ପରେ ଗତକାଲିଠାରୁ କମିଶନରେଟ୍ ପୁଲିସ ପକ୍ଷରୁ ସହରରେ ବ୍ୟାପକ ଚେକିଂ ଆରମ୍ଭ ହୋଇଯାଇଛି । ନିଜେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ଉ କରିଛନ୍ତି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।
ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି । ଏମାନଙ୍କ କରୋନା ଟେଷ୍ଟ ଏବଂ ୭ ଦିନିଆ କ୍ୱାରେଣ୍ଟାଇନ୍ କୁ ବାଧ୍ୟତାମୂଳକ କରାଯାଇଛି ।