ଭୁବନେଶ୍ୱର: ମଣିଷ ଜୀବନରେ ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ । ସାଧାରଣ, ଅସାଧାରଣର ମୂଲ୍ୟ ସେ ବୁଝିପାରେନା । ଏହି ମୃତ୍ୟୁ କେତେବେଳେ କାହା ପାଖକୁ କେଉଁ ରୂପରେ ଆସେ ତାହା ଛାର୍ ମଣିଷ ପକ୍ଷେ ଜାଣିବା ସମ୍ଭବ ନୁହେଁ । ଆଉ ଜାଣିବା ବେଳକୁ ସବୁ ସରିଯାଇଥାଏ । ବଲିଉଡ୍ ର ପ୍ରସିଦ୍ଧ ଗାୟକ କ୍ରିଷ୍ଣକୁମାର କୁନ୍ନଥ ଓରଫ୍ କେକେ ଏହାର ବ୍ୟତିକ୍ରମ ହୋଇନାହାନ୍ତି । ସୁସ୍ଥ ସବଳ ଚେହେରାର ଏହି ୫୩ ବର୍ଷୀୟ ସୁପ୍ରସିଦ୍ଧ ଗାୟକ ଷ୍ଟେଜ୍ ପ୍ରୋଗ୍ରାମ୍ ରେ ହଜାର ହଜାର ଦର୍ଶକଙ୍କ ମନୋରଞ୍ଜନ କରୁଥିବା ବେଳେ ଅଚାନକ ମୃତ୍ୟୁ ତାଙ୍କୁ ଡାକିନେଇଛି । କେକେଙ୍କର ଦାରୁଣ ମୃତ୍ୟୁ ସମଗ୍ର ବଲିଉଡ୍ ଜଗତ ଏବଂ କୋଟି କୋଟି ଫ୍ୟାନ୍ ଙ୍କୁ ସ୍ତବ୍ଧ କରିଦେଇଛି ।
ଦୁଇଦିନିଆ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ କୋଲକତା ଆସିଥିଲେ କେକେ । ଗତକାଲି ସଂଧ୍ୟାରେ ଗୁରୁଦାସ କଲେଜ ବାର୍ଷିକ ଉତ୍ସବରେ ତାଙ୍କର ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ହୋଇଥିଲା । ନଜରୁଲ ମଞ୍ଚ ଅଡିଟୋରିୟମ୍ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଧୂମଧାମରେ ଚାଲିଥିଲା । ନିଜର ଲୋକପ୍ରିୟ ଗୀତଗୁଡ଼ିକୁ ଗାଇ ସମସ୍ତଙ୍କୁ ମତୁଆଲା କରିଥିଲେ କେକେ । ତେବେ ଗୀତ ଗାଉଥିବା ବେଳେ ହଠାତ୍ ନିଜକୁ ଅସହଜ ମନେ କରିଥିଲେ । ତାଙ୍କ ଦେହ ଭଲ ଲାଗି ନ ଥିଲା । ତାହା ସତ୍ତ୍ୱେ ଷ୍ଟେଜ୍ ନ ଛାଡ଼ି ଦର୍ଶକଙ୍କ ଅନୁରୋଧର ଗୀତ ଗୁଡ଼ିକ ଗାଇଥିଲେ ।
ତେବେ ବେଳକୁ ବେଳ ଅଧିକ ଅସୁସ୍ଥ ଅନୁଭବ କରିବାରୁ ବିଶ୍ରାମ ପାଇଁ ସେ ରହୁଥିବା ହୋଟେଲକୁ ପଳାଇ ଆସିଥିଲେ । ତେବେ ରାତି ୧୦ଟା ବେଳେ ହୋଟେଲରେ ପହଞ୍ଚିବା କ୍ଷଣି ତାଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା । ତାଙ୍କୁ ତୁରନ୍ତ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲ୍ ଆଣିବା ବାଟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ସେ ହୃଦଘାତ୍ ର ଶିକାର ହୋଇଥିବା ଜଣାପଡ଼ିଛି ।
“ପଲ୍’ ଏବଂ “ୟାରୋଁ’ ଆଲବମ୍ ଗୀତ ପାଇଁ କେକେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିଣିଥିଲେ । ନବେ ଦଶକର ଶେଷ ଭାଗରେ କେକେଙ୍କର ଏହି ଦୁଇଟି ଗୀତ କିଶୋର ଓ ଯୁବବର୍ଗଙ୍କ ମଧ୍ୟରେ ଚହଳ ପକାଇଥିଲା । ସ୍କୁଲ, କଲେଜର ଫେୟାରୱେଲ୍ ଏବଂ ସାଂସ୍କୃତିକ ଉତ୍ସବରେ ଏହି ଗୀତର ଖୁବ୍ ଡିମାଣ୍ଡ ଥିଲା । ୨୦୦୦ ପରଠାରୁ ସେ ବଲିଉଡ୍ ରେ ଗୀତ ଗାଇବା ଆରମ୍ଭ କରିଥିଲେ । ଆଉ ତାଙ୍କର ସବୁ ଗୀତ ହିଟ୍ ହୋଇଥିଲା ।
ତାଙ୍କର ବଲିଉଡ୍ ହିଟ୍ ଗୀତ ମଧ୍ୟରେ ଥିଲା ତଡ଼ପ୍ ତଡ଼ପ୍(ହମ୍ ଦିଲ ଦେ ଚୁକେ ସନମ୍), ଦସ୍ ବାହାନେ(ଦସ୍), ତୁନେ ମାରି(ଗୁଣ୍ଡେ), ଗୋରି ଗୋରି(ମେଁ ହୁଁ ନା), ତୁ ଜୋ ମିଲା(ବଜରଙ୍ଗୀ ଭାଇଜାନ୍), କ୍ୟା ମୁଝେ ପ୍ୟାର୍ ହୈ( ୱଲମହେ) । କେବଳ ବଲିଉଡ୍ ନୁହେଁ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟମ, ମରାଠି ଏବଂ ବେଙ୍ଗଲୀ ଭାଷାରେ ସେ ଅନେକ ଗୀତ ଗାଇଥିଲେ ।
ତାଙ୍କର ପତ୍ନୀ ଏବଂ ଦୁଇ ସନ୍ତାନ ଅଛନ୍ତି ।
ସୁପ୍ରସିଦ୍ଧ ଗାୟକ କେକେଙ୍କ ଅକାଳ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କେକେଙ୍କର ଏଭଳି ମୃତ୍ୟୁକୁ ବଲିଉଡ୍ ର କଳାକାରମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ପ୍ରତିଭାବାନ ଗାୟକଙ୍କ ଅକଳା ନିଧନ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।