ଭୁବନେଶ୍ୱର: ୧୯୯୭ ମସିହା ଜୁନ୍ ୧ ତାରିଖ । ବାପା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଖାଲି ହୋଇଥିବା ଆସ୍କା ଲୋକସଭା ଆସନରୁ ଉପନିର୍ବାଚନ ଜିତି ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ସାଧାରଣ ଜୀବନରେ ନବୀନଙ୍କର ସେହି ପ୍ରବେଶକୁ ଆଜି ୨୫ ବର୍ଷ ପୂରିଛି । ଏହି ୨୫ ବର୍ଷର ଲମ୍ବା ଯାତ୍ରାରେ ନବୀନ ରଚିଛନ୍ତି ଇତିହାସ । ବିଫଳତାର ସ୍ୱାଦ ଚାଖି ନ ଥିବା ଦେଶର ଅଦ୍ୱିତୀୟ ରାଜନେତା ।
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପୁଅ ହୋଇଥିଲେ ମଧ୍ୟ ପ୍ରଥମରୁ ରାଜନୀତିରେ ତାଙ୍କର ରୁଚି ନଥିଲା । ବାପାଙ୍କ ମୃତ୍ୟୁ ପରେ ବାଧ୍ୟବାଧକତାରେ ୫୨ ବର୍ଷ ବୟସରେ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର୍ । ୧୯୯୭ ରୁ ୨୦୦୦ ମଧ୍ୟରେ ଦୁଇ ଦୁଇ ଥର ସାଂସଦ ଏବଂ ଥରେ କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଆଉ ୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶାସନଭାର ଗ୍ରହଣ କରିବା ପରେ ପଛକୁ ଚାହିଁନାହାନ୍ତି ନବୀନ । କ୍ରମାଗତ ପାଞ୍ଚ ଥର ହେଲେଣି ମୁଖ୍ୟମନ୍ତ୍ରୀ । ତାଙ୍କର ଲୋକପ୍ରିୟତା, ବ୍ୟକ୍ତିତ୍ୱ ଓ ନେତୃତ୍ୱ ଏତେ ଉଚ୍ଚ ଯେ ୨୫ ବର୍ଷ ଧରି ତାଙ୍କର ପ୍ରତିଦ୍ୱନ୍ଦୀ ବାହାରି ପାରିନାହାନ୍ତି ।
ଦୁଇ ଦଶନ୍ଧୀ ଧରି ରାଜ୍ୟବାସୀଙ୍କ ହୃଦୟରେ ନବୀନ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତାଙ୍କର କଥା କମ୍ ଏବଂ କାମରେ ବିଶ୍ୱାସ ଯୋଗୁଁ ଲୋକମାନଙ୍କ ଦ୍ୱାରା ଆଦୃତ ହୋଇ ରହିଛନ୍ତି । ତାଙ୍କ ନେତୃତ୍ୱରେ ବିଜେଡ଼ି ଏକ ସଫଳ ଆଞ୍ଚଳି ଦଳ ଏବଂ ଦୃଢ଼ ସରକାର ଭାବେ ପ୍ରତିଷ୍ଠା ଲାଭ କରିପାରିଛି । ଲୋକଙ୍କ ବିକାଶ ପାଇଁ ତାଙ୍କର ଦୃଷ୍ଟିଭଙ୍ଗୀ ତାଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେଇଛି । ନବୀନଙ୍କ ଦୃଢ଼ ନେତୃତ୍ୱ ଏବଂ ଅତୁଟ ଲୋକପ୍ରିୟତା ଆଜି ଗବେଷଣାର ବିଷୟବସ୍ତୁ ପାଲଟିଛି ।
ରାଜନୀତିରେ ନବୀନଙ୍କ ୨୫ ବର୍ଷ ପୂର୍ତ୍ତି ପାଇଁ ତାଙ୍କୁ ଆଜି ଅଜସ୍ର ଶୁଭେଚ୍ଛା ମିଳିଛି । ନବୀନ ନିବାସରେ ଦଳୀୟ ସହଯୋଗୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି କହିଛନ୍ତି, ଓଡ଼ିଶାବାସୀଙ୍କ ସେବାରେ ୨୫ ବର୍ଷ ପୂରଣ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି । ସମାଜର ତୃଣମୂଳସ୍ତରରେ ଥିବା ଲୋକର କଲ୍ୟାଣ ଓ ଉନ୍ନତି ପାଇଁ ଆପଣଙ୍କ ନିଷ୍ଠା ଏବଂ ସମର୍ପଣ ଭାବ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ ।