ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ଶ୍ରୀମତୀ ସିପ୍ରା ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି । କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟ୍ ପାଇବାକୁ ସେ ଆଶାୟୀ ଥିଲେ । ମାତ୍ର ଗଣେଶ୍ୱର ବେହେରା କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିବା ପରେ ସିପ୍ରାଙ୍କ ଟିକେଟ୍ ପାଇବା ଆଶା ମଉଳି ଯାଇଥିଲା । ବିଜେଡିରେ ଗଣେଶ୍ୱରଙ୍କ ଯୋଗଦାନ ଏବଂ ସମ୍ଭାବ୍ୟ ଟିକେଟ୍ କୁ ସେ ଏବଂ କିଶୋର ତରାଇ ବିରୋଧ କରି ମେଳି କରିଥିଲେ ମଧ୍ୟ ହାଇକମାଣ୍ଡଙ୍କ ଉପରେ ତାହା ପ୍ରଭାବଶୂନ୍ୟ ଜାଣି ସିପ୍ରା ଆଗୁଆ ବାଟ କାଟିଛନ୍ତି । ସମ୍ଭବତଃ କଂଗ୍ରେସରୁ ସେ ପ୍ରାର୍ଥୀ ହେବାର ପ୍ରତିଶ୍ରୁତି ପାଇବା ପରେ ଆଜି ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।
ସେପଟେ କନ୍ଧମାଳ ଜିଲ୍ଲା ବିଜେପିର ଟାଣୁଆ ନେତା କମଳାକାନ୍ତ ପାଣ୍ଡେ ଆଜି ବିଜେଡିରେ ଯୋଗଦେଇଛନ୍ତି । ରାଜ୍ୟ ବିଜେପିର ସେ କାର୍ଯ୍ୟକାରୀ ସଦସ୍ୟ ଥିଲେ । ତାଙ୍କର ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର, କନ୍ଧମାଳ ସାଂସଦ ଡ. ଅଚୁ୍ୟତ ସାମନ୍ତ ଓ କନ୍ଧମାଳର ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ ଉପସ୍ଥିତ ଥିଲେ ।
ସେହିଭଳି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ରୋବେଲ କଡ଼ମଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ ସମର୍ଥକ ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖଭବନଠାରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର ଓ ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ତଥା ଏଥରର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କ ଉପସ୍ଥିତିରେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି ।