ଭୁବନେଶ୍ୱର: ବିଜେଡିରେ ମିଶିଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ରଙ୍କ ଉପସ୍ଥିତିରେ ଆଜି ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳ ଭାବମୂର୍ତ୍ତି, ସ୍ୱଚ୍ଛ ଶାସନ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ, ତାକୁ ସୂଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି ବର୍ଷା ।
କିଛି ଦିନ ପୂର୍ବରୁ ବର୍ଷାଙ୍କ ପୂର୍ବତନ ସ୍ୱୀମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ଇତିମଧ୍ୟରେ ବିଜେଡି ୨୧ଟି ଯାକ ସଂସଦୀୟ କ୍ଷେତ୍ର ଏବଂ ୧୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଅନୁଭବଙ୍କ ନାଁ ନାହିଁ । ବିଜେପି ତାଙ୍କୁ କେଉଁଠୁ ପ୍ରାର୍ଥୀ କରିବ ନା ନାଇଁ ତାହା ସସପେନ୍ସରେ ଅଛି । ଯାହା ବି ହେଉ ନା କାହିଁକି, ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ଅନୁଭବ ସ୍ଥାନ ପାଇବେ ଏବଂ ସାରା ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିବେ ଏହା ଥୟ ।
ଏପଟେ ବର୍ଷା ବିଜେଡିରେ ଯୋଗଦେଇଥିବାରୁ ଆଗକୁ ରୋଚକ ସ୍ଥିତି ଦେଖିବାକୁ ମିଳିବ ବୋଲି ନିଶ୍ଚିତ କୁହାଯାଇପାରିବ । କାରଣ ବର୍ଷାଙ୍କୁ ବିଜେଡି କେଉଁଠୁ ଟିକେଟ୍ ଦେଉ କି ନ ଦେଉ, ଦଳର ଷ୍ଟାର୍ ପ୍ରଚାରକ କରିବା ତ ନିଶ୍ଚିତ । ଓଡ଼ିଶା ସାରା ବୁଲି ସେ ବିଜେଡି ପାଇଁ ପ୍ରଚାର କରିବେ ।
ବିବାହ ବିଚ୍ଛେଦ ହୋଇଥିବା ଏହି ପୂର୍ବତନ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ରାଜନୈତିକ ଖଟିରେ କିନ୍ତୁ ସିରିୟସ୍ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ବିଜେଡି ତାଙ୍କୁ କେବଳ ଷ୍ଟାର୍ ପ୍ରଚାରକ କରିବାକୁ ଆଣିନାହିଁ । ବରଂ କୌଣସି ଏକ ଆସନରୁ ଟିକେଟ୍ ଦେଇପାରେ । ଏମିତି ବି ହୋଇପାରେ, ଦୁଇ ଦଳ ଛକାଛକି ହୋଇ କୌଣସି ଆସନରୁ ବର୍ଷା-ଅନୁଭବଙ୍କୁ ଲଢ଼େଇ ପାରନ୍ତି । ସେଭଳି ଆସନ ଏ ପର୍ଯ୍ୟନ୍ତ ସାମନାକୁ ଆସି ନ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।