ନୂଆଦିଲ୍ଲୀ: କରୋନାରେ ପ୍ରାଣ ହରାଇଛନ୍ତି ଭେଟେରାନ୍ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀଙ୍କ ପୁଅ ଆଶିଷ । ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା । କରୋନା ସଂକ୍ରମିତ ହୋଇ ଗୁରୁଗାଁସ୍ଥିତ ମେଦାନ୍ତ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ପୁଅର ମୃତ୍ୟୁ ଖବର ଟୁଇଟ୍ କରି ଜଣାଇଥିଲେ ଶ୍ରୀ ୟେଚୁରୀ ।
ଦୁଇ ସପ୍ତାହ ତଳେ ଆଶିଷ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା ଏବଂ ସେ ସୁସ୍ଥ ହୋଇ ଆସୁଥିଲେ ବୋଲି ତାଙ୍କ ନିକଟ ସମ୍ପର୍କୀୟମାନଙ୍କ ପକ୍ଷରୁ କୁହାଯାଇଛି । ମାତ୍ର ଆଜି ସକାଳ ୫.୩୦ ମିନିଟ୍ ରେ ହଠାତ୍ ସେ ଆଖି ବୁଜି ଦେଇଥିଲେ ।
ସୀତାରାମ୍ ୟେଚୁରୀ ଏବଂ ଇନ୍ଦ୍ରାଣୀ ମଜୁମଦାରଙ୍କ ବଡ଼ପୁଅ ଆଶିଷ ୟେଚୁରୀ ପେଶାରେ ଥିଲେ ଜଣେ ସାମ୍ବାଦିକ । ଚେନ୍ନାଇସ୍ଥିତ ଏସିଆନ୍ କଲେଜ ଅଫ ଜର୍ଣ୍ଣାଲିଜିମ୍ ରୁ ଉତ୍ତୀର୍ଣ୍ଣ ହୋଇ ଟାଇମସ୍ ଅଫ ଇଣ୍ଡିଆ ସମେତ ବିଭିନ୍ନ ଖବରକାଗଜରେ କାମ କରିଛନ୍ତି । ସେ ପୁନେରେ କାର୍ଯ୍ୟରତ ଥିଲେ । ଆସନ୍ତା ଜୁନ୍ ୯ ତାରିଖରେ ସେ ତାଙ୍କର ୩୫ତମ ଜନ୍ମବାର୍ଷିକୀ ପାଳନ କରିଥାନ୍ତେ । ତାଙ୍କର ପତ୍ନୀଙ୍କ ନାଁ ସ୍ୱାତୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସବୁ ରାଜନୈତିକ ଦଳର ମାନ୍ୟଗଣ୍ୟ ବ୍ୟକ୍ତି ଆଶିଷଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ୟେଚୁରୀ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।