ଭୁୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଭୟଙ୍କର ଭାବେ ମାଡ଼ି ଚାଲିଛି । ତିନି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୪ ହଜାର ଉପରେ ଥିଲା । ଆଜି ସିଧାସଳଖ ୬ ହଜାରକୁ ଡେଇଁଛି । ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୧୬୪ ପଜିଟିଭ୍ । କରୋନା ସଂକ୍ରମଣରେ ଏହା ରାଜ୍ୟର ନୂଆ ରେକର୍ଡ । ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ ସଂଖ୍ୟକ ସର୍ବାଧିକ ୧୧୩୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡ଼ା ଜିଲ୍ଲାରୁ ୪୫୯, କଳାହାଣ୍ଡିରୁ ୪୫୨, ସୁନ୍ଦରଗଡ଼ରୁ ୪୨୭, କଟକରୁ ୩୬୦ ଏବଂ ଝାରସୁଗୁଡ଼ାରୁ ୩୫୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟାମୋଟି ଏହି ପଜିଟିଭ୍ ତାଲିକାରେ କ୍ୱାରେଣ୍ଟାଇନ୍ ରୁ ୩୫୭୫ ଏବଂ ଲୋକାଲ୍ କଣ୍ଟାକ୍ଟ ରୁ ଅଛନ୍ତି ୨୫୮୯ ।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୮,୪୭୯ ହୋଇଥିଲା ବେଳେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୫,୦୭୫ ।
ସୂଚନାଥାଉକି, ଗତବର୍ଷ ସେପ୍ଟେମ୍ବର ୨୫ ତାରିଖରେ ରାଜ୍ୟରେ ସର୍ବାଧିକ ୪୩୫୬ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହା ରେକର୍ଡ ଥିଲା । ମାତ୍ର ଦ୍ୱିତୀୟ ଲହର କରୋନା ଏହି ରେକର୍ଡକୁ ବହୁତ ପଛରେ ପକାଇ ଦେଇଛି । ଚଳିତବର୍ଷ ମାର୍ଚ୍ଚ ୧୯ ରୁ ସଂକ୍ରମଣ ବଢ଼ି ବଢ଼ି ଏବେ ୬ ହଜାର ପାର୍ କରିସାରିଛି ।
କରୋନା ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିଲା ବେଳେ କଳାହାଣ୍ଡି, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୬୫ କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ ଦେଶରେ ମଧ୍ୟ ସଂକ୍ରମଣ ହୁ ହୁ ବଢ଼ି ଆଜି ସବୁ ରେକର୍ଡ ଭାଙ୍ଗିଛି । ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ ହୋଇଛି । ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩,୧୪, ୮୩୫ ପଜିଟିଭ୍ । ମହାରାଷ୍ଟ୍ରରେ ୬୭,୪୬୮, ଉତ୍ତର ପ୍ରଦେଶରେ ୩୩,୧୦୬ ଏବଂ ଦିଲ୍ଲୀରେ ୨୪, ୬୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଣ୍ଟାରେ ୨୧୦୪ ଜଣଙ୍କର ମୃତ୍ୟୁ ହୋଇଛି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧୩୬, ବାଲେଶ୍ୱର-୭୮, ବରଗଡ଼-୨୩୬, ଭଦ୍ରକ-୭୧, ବଲାଙ୍ଗୀର-୨୨୬, ବୌଦ୍ଧ-୩୮, କଟକ-୩୬୦, ଦେବଗଡ଼-୩୧, ଢ଼େଙ୍କାନାଳ-୧୭, ଗଜପତି-୫୫, ଗଞ୍ଜାମ-୧୩୫, ଜଗତସିଂହପୁର-୬୩, ଯାଜପୁର-୧୫୪, ଝାରସୁଗୁଡ଼ା-୩୫୫, କଳାହାଣ୍ଡି-୪୫୨, କନ୍ଧମାଳ-୨୩, କେନ୍ଦ୍ରାପଡ଼ା-୪୮, କେଉଁଝର-୨୦୫, ଖୋର୍ଦ୍ଧା- ୧୧୩୨, କୋରାପୁଟ-୪୫, ମାଲକାନଗିରି-୧୬, ମୟୁରଭଞ୍ଜ-୧୩୬, ନବରଙ୍ଗପୁର-୨୦୭, ନୟାଗଡ଼-୯୯, ନୂଆପଡ଼ା-୪୫୯, ପୁରୀ-୨୮୬, ରାୟଗଡ଼ା-୧୦୫, ସମ୍ବଲପୁର-୨୨୯, ସୋନପୁର-୯୯, ସୁନ୍ଦରଗଡ଼-୪୨୭,ଷ୍ଟେଟ୍ ପୁଲ୍-୨୪୧ ।