ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍ ରେ ଆଜି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଡକ୍ଟର ଜାକିର ହୁସେନ୍ ହସ୍ପିଟାଲ୍ କୁ ଅକ୍ସିଜେନ୍ ଯୋଗାଣ ବନ୍ଦ ହୋଇଯିବାରୁ ଆଇସିୟୁରେ ଥିବା ୨୨ ଜଣ କୋଭିଡ୍ ରୋଗୀ ଛଟପଟ ହୋଇ ମରିଯାଇଛନ୍ତି । ଏହି ଖବର ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଛି । ମୃତକଙ୍କ ଆତ୍ମୀୟସ୍ୱଜନ ହସ୍ପିଟାଲ୍ ରେ ପହଞ୍ଚିବା ପରେ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ବୈଷୟିକ ତ୍ରୁଟିକୁ ଦାୟୀ କରି ଉଭୟ ହସ୍ପିଟାଲ୍ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି ।
ଆଜି ଦିନ ୧୦ଟାରେ ଏହି ଘଟଣା ଘଟିଛି । ଅକ୍ସିଜେନ୍ ଟ୍ୟାଙ୍କରରେ ବଡ଼ ଧରଣର ଲିକେଜ୍ ହେବାରୁ ହସ୍ପିଟାଲ୍ କୁ ଅକ୍ସିଜେନ୍ ଯୋଗାଣ ଅଧଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଟରରେ ଥିବା ୨୨ ଗୁରୁତର ରୋଗୀ ଛଟପଟ ହୋଇ ମରିଯାଇଥିଲେ । ଅକ୍ସିଜେନ୍ ଯୋଗାଣ ସ୍ୱାଭାବିକ ହେଲା ବେଳକୁ ସେମାନେ ଆଖି ବୁଜି ସାରିଥିଲେ ।
ଏହି ଖବର ପାଇ ପ୍ରଥମେ ହସ୍ପିଟାଲ୍ ରେ ପହଞ୍ଚିଥିବା ସ୍ଥାନୀୟ ଶିବସେନା ନେତା ସୁଧାକର ବଡଗୁଜରଙ୍କ କହିବାନୁଯାୟୀ, ଏଥିରେ ୩୦ ରୁ ୩୫ ରୋଗୀଙ୍କର ଜୀବନ ଯାଇଛି ।
ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପଙ୍କ ସୂଚନା ଅନୁଯାୟୀ, ଡକ୍ଟର ଜାକିର ହୁସେନ୍ ହସ୍ପିଟାଲ୍ ରେ ୧୫୭ କୋଭିଡ୍ ରୋଗୀ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ୬୧ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ଅକ୍ସିଜେନ୍ ସପୋର୍ଟ ସିଷ୍ଟମ୍ ରେ ସେମାନଙ୍କୁ ଚିକିତ୍ସିତ କରାଯାଉଥିଲା ।
ନାସିକ୍ ଜିଲ୍ଲା କଲେକ୍ଟର ସୁରଜ ମାନ୍ଧାରେ କହିଛନ୍ତି, ଲିକେଜ୍ ସମୟରେ ଟ୍ୟାଙ୍କରରେ ଅକ୍ସିଜେନ୍ ଥିଲା । ଟ୍ୟାଙ୍କରଟି ଏକ ଘରୋଇ ଭେଣ୍ଡରଠାରୁ ଆସିଥିଲା । ଟେକ୍ନସିଆନ୍ ଭାଲଭ୍ ଲଗାଉଥିବା ବେଳେ ଚାପ କମ୍ ହୋଇ ଲିକେଜ୍ ହୋଇଥିଲା । ଅକ୍ସିଜେନ୍ ଯୋଗାଣ ବନ୍ଦ ହୋଇଯିବାରୁ ଭେଣ୍ଟିଲେଟର ରେ ଥିବା ୨୨ ଗୁରୁତର ରୋଗୀ ପ୍ରାଣ ହରାଇଥିବା ସେ କହିଛନ୍ତି ।
ଦ୍ୱିତୀୟ ଲହର କରୋନାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ନାସିକ୍ ରେ ଦୈନିକ ସଂକ୍ରମଣ ୩ ହଜାର ଉପରେ ରହୁଛି । ବର୍ତ୍ତମାନ ସେଠି ୪୫ ହଜାର ସକ୍ରିୟ ରୋଗୀ ବିଭିନ୍ନ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ମୃତୁ୍ୟସଂଖ୍ୟା ୨,୬୭୨ ରେ ପହଞ୍ଚିଛି ।
ଦିଲ୍ଲୀ ସମତେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଙ୍କଟ ସୃଷ୍ଟି ହୋଇଥିଲା ବେଳେ ନାସିକ୍ ର ଏହି ଘଟଣା ସମସ୍ତଙ୍କୁ ଚହଲେଇ ଦେଇଛି ।







