ଭୁବନେଶ୍ୱର: ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଛି । ମଦ୍ରାସା ପରୀକ୍ଷା ମଧ୍ୟ ବାତିଲ ହୋଇଛି । କରୋନା ସଂକ୍ରମଣ ବଢ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା ହେବ । ଏଥିରେ ମିଳିଥିବା ମାର୍କ ଏବଂ ଗ୍ରେଡ୍ ରେ ଛାତ୍ରଛାତ୍ରୀ ଅସହମତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ଦେଇପାରିବେ । କରୋନା ସ୍ଥିତି ଟଳିବା ପରେ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବ ।
ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଇତିମଧ୍ୟରେ ସିବିଏସଇ ଏବଂ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାରୁ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ପଢ଼ୁଥିବା ଦଶମ ଛାତ୍ରଛାତ୍ରୀମାନେ ଅନୁରୂପ ଦାବି କରିଥିଲେ ।
ଗତକାଲି ଭୁବନେଶ୍ୱର କିଛି ସ୍କୁଲର ମାଟ୍ରିକ୍ ଛାତ୍ରଛାତ୍ରୀମାନେ ନବୀନ ନିବାସ ଆଗକୁ ଆସି ମାଟ୍ରିକ୍ ପରୀକ୍ଷା ବାତିଲ୍ ପାଇଁ ଦାବି କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଆଗକୁ ମଧ୍ୟ ଯାଇଥିଲେ । ଆଜି ବାରିପଦାରେ ଦଶମ ଛାତ୍ରଛାତ୍ରୀମାନେ ଅନୁରୂପ ଦାବିରେ ରାସ୍ତାକୁ ଆସିଥିଲେ ।







