ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଥିବା ବେଳେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ସାହାସ ଓ ଧୈର୍ଯ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହସ୍ପିଟାଲ୍ ବେଡ୍ ଏବଂ ଅକ୍ସିଜେନ୍ ସଙ୍କଟର ସମାଧାନ ପାଇଁ ମୋଦି ଆଶ୍ୱାସନା ଦେଇଛନ୍ତି । ଶ୍ରମିକମାନେ ଯିଏ ଯେଉଁଠି ଅଛନ୍ତି, ଥାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । କୋଭିଡ୍ ନିୟମ କଡ଼ାକଡ଼ି ଅନୁପାଳନକୁ ପ୍ରଧାନମନ୍ତ୍ରୀ ଜୋର୍ ଦେଇଥିବା ବେଳେ ଲକଡାଉନ୍ ସପକ୍ଷରେ ନାହାନ୍ତି । ଲକଡାଉନ୍ ନୁହେଁ, ମାଇକ୍ରୋ କଣ୍ଟେନମେଣ୍ଟ କୁ ଗୁରୁତ୍ୱ ଦିଆଯାଉ । ଆର୍ଥିକ ଗତିବିଧି ଜାରି ରହିବା ପାଇଁ ଲକଡାଉନ୍ ଅନ୍ତିମ ବିକଳ୍ପ ହେଉ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟ କୋଭିଡ୍ ମୁକାବିଲା କ୍ଷେତ୍ରରେ ଡାକ୍ତର, ନର୍ସିଂ କର୍ମଚାରୀ, ପାରାମେଡ଼ିକସ୍, ପରିମଳ କର୍ମଚାରୀ, ପୁଲିସଙ୍କ ନିଃସ୍ୱାର୍ଥପର ସେବାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କରୋନା ଦ୍ୱିତୀୟ ଲହରରେ ସେମାନଙ୍କ ଭୂମିକାକୁ ମନେ ପକାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍ ଲଢ଼େଇର ପ୍ରାଥମିକ ଅବସ୍ଥାରେ ଯେଉଁ ସ୍ଥିତି ଥିଲା ଏବେ ସେୟା ନାହିଁ । ଆମ ପାଖରେ ଅଭିଜ୍ଞ ଡାକ୍ତର, ନର୍ସ ଅଛନ୍ତି । ବଡ଼ ବଡ଼ ଔଷଧ କମ୍ପାନୀ ଅଛନ୍ତି । ଆମ ଦେଶରେ କମ୍ ମୂଲ୍ୟରେ ଟିକା ଉତ୍ପାଦନ ହେଉଛି । ବର୍ତ୍ତମାନ ସୁଦ୍ଧା ୧୨ କୋଟି ଲୋକଙ୍କୁ ଟିକାକରଣ କରାଗଲାଣି । ମେ’ ୧ ରୁ ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ଟିକା ଦିଆଯିବ । ତେଣୁ ଆମେ ଧୈର୍ଯ୍ୟହରା ହେବା ନାହିଁ ।
ମେଡ଼ିକାଲ୍ ବେଡ୍ ଓ ଅକ୍ସିଜେନ୍ ସଙ୍କଟର ସମାଧାନ ପାଇଁ ଆମେ ତ୍ୱରିତ ଓ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରୁଛୁ । ପ୍ରତ୍ୟେକ ରୋଗୀ ଅକ୍ସିଜେନ୍ ପାଇବା ସୁନିଶ୍ଚିତ କରାଇବାକୁ ଆମେ ଚେଷ୍ଟା କରୁଛୁ । ଲୋକଙ୍କ ଜୀବନ ବଞ୍ଚାଇବା ଆମର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ବିଭିନ୍ନ ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଘରକୁ ନ ଫେରିବାକୁ ମୋଦି ଅନୁରୋଧ କରିଛନ୍ତି । ଯେଉଁଠି ଅଛ, ସେଇଠି ଥାଅ ବୋଲି କହିଛନ୍ତି । ସବୁ ରାଜ୍ୟ ଏଥିରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।
କୋଭିଡ୍ ନିୟମ ଅନୁପାଳନକୁ ପ୍ରଧାନମନ୍ତ୍ରୀ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଯୁବକମାନେ ଛୋଟ ଛୋଟ କମିଟି କରି ସଚେତନତା ସୃଷ୍ଟି କରନ୍ତୁ । ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ନିଶ୍ଚୟ ପାଳନ୍ତୁ । ଅତି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।







