ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଉଧେଇବ ନା ନାଇଁ ତାହା ପର କଥା । ମାତ୍ର ବର୍ତ୍ତମାନର ସ୍ଥିତିରେ ଦଳରେ ନିଜର ଭବିଷ୍ୟତ ଦେଖିପାରୁନାହାନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ବିରୋଧୀ । ଧର୍ମେନ୍ଦ୍ରଙ୍କ ପ୍ରତିପତ୍ତି ଜାହିର ଏବଂ ଓଡ଼ିଶା ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କ ନିଯୁକ୍ତି ସେମାନଙ୍କର ଆଶାକୁ ମଉଳାଇ ଦେଇଛି । ଅମିତ ଶାହା-ସୁନୀଲ ବଂଶଲ-ଧର୍ମେନ୍ଦ୍ର ପ୍ରଧାନଙ୍କ ଛାଇରେ ସେମାନେ ବିଲକୁଲ୍ ଉଧେଇ ପାରିବେ ନାହିଁ ବୋଲି ନିଶ୍ଚିତ ହୋଇଗଲେଣି । ତେଣୁ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସୁରକ୍ଷିତ ଜାଗା ଖୋଜିବା ଆରମ୍ଭ କରିଛନ୍ତି । ଆମ୍ ଆଦମୀ ପାର୍ଟି ‘ଆପ୍’ ର ଉଜ୍ଜଳ ସମ୍ଭାବନା ଭାବି କିଛି ସେୟାଡକୁ ଯିବା ପାଇଁ ମନ ବଳାଇଛନ୍ତି ।
‘ଆପ୍’ ମୁହାଁ ସମ୍ଭାବ୍ୟ ବିଜେପି ନେତାଙ୍କ ଭିତରେ ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ସର୍ବାଗ୍ରେ ଥିବା ଚର୍ଚ୍ଚା ହେଉଛି । ସେମାନେ କୁଆଡ଼େ ଏଥିପାଇଁ ଭିତିରିଆ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଦିଲ୍ଲୀରେ ବିଭିନ୍ନ ପ୍ରେସର୍ ଗ୍ରୁପ୍ କୁ ସେଥିପାଇଁ ବ୍ୟବହାର କରାଯାଉଛି । ଓଡ଼ିଶାରେ ଆପ୍ ର ଆକ୍ସନ୍ ପ୍ଲାନ୍, ନବୀନ ପଟ୍ଟନାୟକଙ୍କ ଦୃଢ଼ ବିକଳ୍ପ ଖୋଜା ଚାଲିଥିବାରୁ ଉଭୟ ଏହାକୁ ସୁଯୋଗ ବୋଲି ଧରିନେଇଥିବା କୁହାଯାଉଛି ।
ତେବେ ବୈଜୟନ୍ତ ଓ ଅପରାଜିତାଙ୍କ ନାଁ ଚର୍ଚ୍ଚାରେ କାହିଁକି?
ରାଜନୈତିକ ସମୀକ୍ଷକଙ୍କ ମତରେ ବୈଜୟନ୍ତ ଏବେ ଚାରିଆଡୁ ନିରାଶ ହୋଇଯାଇଛନ୍ତି । ବିଜେଡିରେ ଥିଲାବେଳେ ନବୀନଙ୍କ ପରେ ସେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ସ୍ୱପ୍ନ ତାଙ୍କୁ ବିଜେଡିରୁ ତଡ଼ିଦେଲା । ବିଜେପିରେ ଯୋଗଦେଇ କେନ୍ଦ୍ରାପଡ଼ାରୁ ପୁଣି ଲଢ଼ିଲେ, ମାତ୍ର ଜିତିପାରିଲେ ନାହିଁ । ରାଜ୍ୟସଭା ଯିବା ପାଇଁ ଉଦ୍ୟମ କରିଥିଲେ । ସେଥିରେ ମଧ୍ୟ ଫେଲ୍ ହୋଇଛନ୍ତି । ନାମକୁ ମାତ୍ର ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ତାଙ୍କୁ ଥଇଥାନ କରାଯାଇଛି । ହେଲେ ପାୱାର୍ ନାହିଁ । ଦିଲ୍ଲୀରେ ତାଙ୍କର ପୂର୍ବ ଛବିି ନାହିଁ କି ଓଡ଼ିଶାରେ ପୂର୍ବ କାଟତି ନାହିଁ । ବିଜେପି ରାଜନୀତିରେ ସେ ପ୍ରାୟ ଅଲୋଡ଼ା ହୋଇଯାଇଛନ୍ତି । ତାଙ୍କୁ କେହି ପଚାରୁନାହାନ୍ତି ।
ସେହିଭଳି ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ସାଂସଦ ହୋଇଥିଲେ ମଧ୍ୟ ମନ ତାଙ୍କର ସନ୍ତୁଷ୍ଟ ନାହିଁ । କାରଣ ବିଜେପିର ସେ ଓଡ଼ିଶା ଫେସ୍ ହେବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହେଉନି । ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତିକୁ ସେ ଆଦୌ ସହ୍ୟ କରିପାରୁନାହାନ୍ତି । ଧର୍ମେନ୍ଦ୍ରଙ୍କ ପାୱାର୍ କୁ ପ୍ରତିହତ କରିବା ପାଇଁ ସେ ସମାନ୍ତରାଳ ସଂଗଠନ କରି ସାରା ରାଜ୍ୟ ବୁଲୁଛନ୍ତି । ବିଜେପି ସଂଗଠନଠାରୁ ସେ ପୃଥକ୍ ରହୁଥିବାରୁ ଦଳରେ ଏକଘରିକିଆ ହୋଇଛନ୍ତି କହିଲେ ଚଳେ । ଆଗାମୀ ଦିନରେ ଧର୍ମେନ୍ଦ୍ର ତାଙ୍କ ପାଇଁ ଆହୁରି ମହଙ୍ଗା ପଡ଼ିବେ ବୋଲି ତାଙ୍କ ବିଶ୍ୱାସ । ଏହି କାରଣରୁ ସେ ବେଳ ଥାଉ ବାଟ କାଟିବାକୁ ହୁଏତ ଚିନ୍ତା କରୁଛନ୍ତି ।
ଯାହା ବି ହେଉ, ବୈଜୟନ୍ତ ଏବଂ ଅପରାଜିତାଙ୍କୁ ଗୋଟିଏ ମୁଦ୍ରାର ଦୁଇ ପାଖ ବୋଲି କୁହାଯାଉଛି । ରାଜନୈତିକ ସମୀକ୍ଷକଙ୍କ ମତରେ ଉଭୟଙ୍କର କାର୍ଯ୍ୟକ୍ରମ, ଅଭିଳାଷ ଏବଂ ସ୍ୱଭାବ ପ୍ରାୟତଃ ସମାନ । ରାଜନୈତିକ ଉଚ୍ଚାକାଂକ୍ଷା ଏବଂ ଅହଂକାରରେ କେହି କାହାରିଠାରୁ କମ୍ ନୁହଁନ୍ତି । ଡ୍ରାମାବାଜି ଏବଂ ନିଜକୁ ପ୍ରଚାର କରାଇବାରେ ଧୂରନ୍ଧର । ଗାଁ ମୁଣ୍ଡରେ ହେଲିକପ୍ଟର ରଖି ବୈଜୟନ୍ତ ଲୋକଙ୍କ ଘରେ ଶାଗ ପଖାଳ ଖାଇବା କି ଗାଁ ସେଲୁନ୍ ରେ ବସି ଚୁଟି କାଟିବାର ଅଭିନୟ ନଜିର ଥିବା ବେଳେ ଅପରାଜିତା ଏବେ ପଛରେ ପଡ଼ିନାହାନ୍ତି । କେଉଁଠି ନାଚିଲେଣି ତ ଆଉ କେଉଁଠି ଚାଷ ଜମିରେ ଧାନ ତଳି ପକାଇବାର ଅଭିନୟ କରି ଟୁଇଟରରେ ଛାଡ଼ିଲେଣି । ସମ୍ଭବତଃ ଉଭୟଙ୍କର ଏହି ସମାନ ଗୁଣ ପରଷ୍ପରକୁ ନିକଟତ୍ତର କରିଛି ।
ଉଭୟଙ୍କର ‘ଆପ୍’ ଯିବା ଉଦ୍ୟମ ସତ ହୋଇଥିଲେ, ଦୁହେଁ ଏକାଠି ହୋଇ ଏହି ନିଷ୍ପତ୍ତି ନେବେ ନା ଆଉ କିଛି.. ତାହା ଦେଖିବାକୁ ସମସ୍ତେ ଉତ୍ସୁକ । ଏ ସମ୍ପର୍କରେ ସୋସିଆଲ୍ ମିଡ଼ିଆରେ ପୂର୍ବରୁ କିଛି ଖବର ଆସିଥିଲେ ମଧ୍ୟ ଉଭୟଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିନାହିଁ । ମାତ୍ର ତାଙ୍କ ଭକ୍ତମାନେ ଏହି ଖବରକୁ ଗୁଜବ ଓ ମନଗଢ଼ା ବୋଲି କହୁଛନ୍ତି ।
ଏ ସମ୍ପର୍କରେ ରାଜ୍ୟ ବିଜେପିର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆମେ କଥା ହୋଇଥିଲୁ । ସେ ସ୍ୱୀକାର କରିଥିଲେ ଯେ ଦଳ ଉପରେ ଖୁସି ନ ଥିବା କିଛି ନେତାଙ୍କର ପ୍ରଥମ ପସନ୍ଦ ହେଉଛି ବିଜେଡି । ହେଲେ ସେଠି ଜାଗା ନ ଥିବାରୁ ଦ୍ୱିତୀୟ ବିକଳ୍ପ ଭାବେ ‘ଆପ୍’ କଥା ଚିନ୍ତା କରୁଛନ୍ତି । ତେବେ ସିଧାସଳଖ ଭାବେ ବୈଜୟନ୍ତ ଓ ଅପରାଜିତାଙ୍କ ଉପରେ ସେ କିଛି କହି ନ ଥିଲେ ।