ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରେ କଟକରୁ ଭୁବନେଶ୍ୱର ଆସୁଥିବା ଏକ ଜାଗୁଆର୍ କାର ତେଲେଙ୍ଗାପେଣ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇ କେନାଲ ଭିତରକୁ ଖସିପଡ଼ିବାରୁ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଅଙ୍କୁର ପ୍ରଧାନ, ଗୌତମ ଦାସ ଏବଂ ପ୍ରନୀତ ମଧୁ ପତି । ଅଙ୍କୁର ପୂର୍ବତନ ମନ୍ତ୍ରୀ ଏବଂ ସାଂସଦ ଅମର ପ୍ରଧାନଙ୍କ ପୁଅ ହୋଇଥିବା ବେଳେ ଗୌତମ ଗୋପାଳପୁରର ଓ ପ୍ରନୀତଙ୍କ ଘର ହାଇଦ୍ରାବାଦ ।
ଶୁକ୍ରବାର ରାତି ୨ଟାରୁ ୩ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । କଟକରୁ ଏକ ଜାଗୁଆର କାର୍(ନଂ ଓଡି୧୪ସି ୦୦୦୭)ରେ ଏହି ତିନି ବନ୍ଧୁ ଭୁବନେଶ୍ୱର ଫେରୁଥିଲେ । ଦ୍ରୁତବେଗରେ ଆସୁଥିବା ଗାଡିଟି ତେଲେଙ୍ଗାପୀଠ ଢ଼ାବା ନିକଟରେ ରୋଡ ଡିଭାଇଡରେ ପିଟିହୋଇ ଭାରସାମ୍ୟ ହରାଇବାରୁ କେନାଲ୍ ଭିତରକୁ ଗଡ଼ି ପଡ଼ିଥିଲା ।
ଏହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ବାଲିକୁଦା ଛକଠାରେ ପାଟ୍ରୋଲିଂ କରୁଥିବା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ମାତ୍ର ଗାଡ଼ିଟି ଭିତରପଟୁ ସେଣ୍ଟ୍ରାଲ୍ ଲକ୍ ହୋଇଯାଇଥିବାରୁ କାହାରିକୁ ବାହାର କରିବା ସମ୍ଭବ ହୋଇ ନ ଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିର କାଚ ଭଙ୍ଗାଯାଇ ତିନିଜଣ ଯାକଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଥାଉକି, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ, ସାଂସଦ ଅମର ପ୍ରଧାନଙ୍କ ପତ୍ନୀ ମୌସୁମୀ ପ୍ରଧାନ ୧୦ ବର୍ଷ ତଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ୨୦୧୦ ମସିହା ଏପ୍ରିଲ୍ ୧ ତାରିଖରେ ମୌସୁମୀ ରିଲିଫ୍ କାର୍ଯ୍ୟ ସାରି ଆଠମଲ୍ଲିକ ଫେରୁଥିବା ବେଳେ ତାଙ୍କ କାର୍ ୪୨ ନଂ ଜାତୀୟ ରାଜପଥର ଝାରପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।








